ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ, କଟକରେ ୯.୪ ଡିଗ୍ରୀ, ସମ୍ବଲପୁରରେ ୮.୧ ଡିଗ୍ରୀ, ବାଲେଶ୍ୱରରେ ୮.୫ ଡିଗ୍ରୀ, ଫୁଲବାଣୀ ୭ ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୬ ଡିଗ୍ରୀ।

ଶୀତରେ ଥରୁଛି ସାରା ଓଡ଼ିଶା। ଉପକୂଳଠାରୁ ପଶ୍ଚିମ ଓଡ଼ିଶା ଯାଏଁ ସବୁଠି ହାଡ଼ଥରା ଶୀତ। ଗୁରୁବାର (୨୮ ଡିସେମ୍ବର) ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ରହିଥିବା ବେଳେ, ସମ୍ବଲପୁରରେ ୮.୧, କଟକରେ ୯.୪ ଡିଗ୍ରୀ ରହିଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡ଼ିରେ ପାରଦ ୬କୁ ଖସି ଆସିଛି।

ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ପାରଦ କମିବ ଏବଂ ଶୀତର ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ କହିବାନୁସାରେ, ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ତିନି ଦିନ ଧରି ସାଂଘାତିକ ପରିସ୍ଥିତି ଉପୁଜିବ।

ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଗଜପତି ୨ ସେମି ଲେଖାଏ ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର ଓ ଗୋପାଳପୁରରେ ୧ ସେମି ଲେଖାଏ ବର୍ଷା‌ ହୋଇଛି। ଏହା ପ୍ରଭାବରେ ଆଜି ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଫୁଲବାଣୀ, ବୌଦ୍ଧ ଜିଲ୍ଲାରେ ସକାଳେ ମେଘୁଆ ପାଗ ରହିଥିଲା।

ପାଣିପାଗ ବିଶେଷଜ୍ଞ କହିଛନ୍ତି ‌ଯେ ପୁରୀଠାରୁ ଦକ୍ଷିଣରେ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଦିନରେ କୋହଲା ପାଗ ହେବା ସହ ରାତିରେ ତାପମାତ୍ରା କମିବ ନାହିଁ। ସେହିପରି ଦକ୍ଷିଣ-ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ରହିବ। ଶନିବାର ରାତିର ତାପମାତ୍ରା କେନ୍ଦ୍ରୀୟ ଓ ଉପକୂଳବର୍ତୀ ଓଡ଼ିଶାରେ କମିବ।

ଦୁଇ ଦିନ ମଧ୍ୟରେ ଭୁବନେଶ୍ୱର ତାପମାତ୍ରା ଦେଢ଼ରୁ ଦୁଇ ଡିଗ୍ରୀ କମିପାରେ। ରବିବାର ରାତି ପରଠାରୁ ତିନି ଦିନ ଧରି କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଏପରିକି ମଙ୍ଗଳବାର ସୁଦ୍ଧା ଦୁଇ ଡିଗ୍ରି ବଢ଼ିପାରେ। ସେହିପରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୪ ଦିନ ଧରି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଯେପରିକି ଶନିବାର ତୁଳନାରେ ବୁଧବାର ଦିନ ଦୁଇ ଡିଗ୍ରି ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

ନୂଆବର୍ଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୀତ ଜାରି ରହିବ। ଥଣ୍ଡାକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ପାଣିପାଗ ବିଭାଗ ପକ୍ଷରୁ କୃଷି ଉପଦେଶ ଜାରି କରାଯାଇଛି। ଅନ୍ୟପଟେ ଶୀତ ଯୋଗୁଁ ବୃଦ୍ଧ ବୃଦ୍ଧା ଅଧିକ ହଇରାଣ ହେଉଛନ୍ତି।

Comment