ଓଡ଼ିଶାଲାଇଭ୍ ବ୍ୟୁରୋ

ବୋଫର୍ସରେ କଂଗ୍ରେସ ସରକାରର ପତନ ଘଟିଥିଲା, କିନ୍ତୁ ରାଫେଲ ମୋଦି ସରକାରଙ୍କୁ କ୍ଷମତା ଦଖଲ କରିବାକୁ ସୁଯୋଗ ଦେବ – ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।
ଲୋକସଭାରେ ରାଫେଲ ଡିଲକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଗତ ତିନି ଦିନ ଧରି ଏହି ପ୍ରସଙ୍ଗକୁ ନେଇ ଉଠୁଛିପଡ଼ୁଛି ସଂସଦ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲର ଜେପିସି ତଦନ୍ତ ଦାବି କରିଛନ୍ତି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ରାଫେଲ ଦୁର୍ନୀତି ନେଇ କଂଗ୍ରେସ ପକ୍ଷରୁ ଯେଉଁ ସମସ୍ତ ପ୍ରଶ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚରା ଯାଇଛି, ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ ଡରୁଛନ୍ତି। ଏବଂ ପ୍ରଧାନମନ୍ତ୍ରୀ ମୋଦି ନିଜେ ଉତ୍ତର ରଖିବା ବଦଳରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମାଧ୍ୟମରେ ଉତ୍ତର ରଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କ୍ଷମତାକୁ ଆସିଲେ ରାଫେଲ ଦୁର୍ନୀତିର ତଦନ୍ତ ହେବ – ରାହୁଲ
ସାମ୍ବାଦିକଙ୍କ ପ୍ରଶ୍ନରେ ରାହୁଲ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ସର୍ବପ୍ରଥମେ ରାଫେଲ ଦୁର୍ନୀତି ସଂପର୍କରେ ତଦନ୍ତ କରାଇବ। ଏବଂ ରାଫେଲ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ଆଗତ ସହ ସେମାନଙ୍କ ପ୍ରତି ଦଣ୍ଡବିଧାନ କରାଯିବ।
ବିରୋଧୀଙ୍କ ଉପରେ ବର୍ଷିଲେ ନିର୍ମଳା
ବିରୋଧୀଙ୍କ ସବୁ ଅଭିଯୋଗର କଡ଼ା ଜବାବ ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଦୀର୍ଘ ଦୁଇ ଘଣ୍ଟା ଧରି ରାହୁଲଙ୍କ ସମସ୍ତ ପ୍ରଶ୍ନର ବିସ୍ତୃତ ଉତ୍ତର ତଥ୍ୟ ସହିତ ଉପସ୍ଥାପିତ କରିଛନ୍ତି। ସେ କଂଗ୍ରେସ ଅମଳରେ ହୋଇଥିବା ବୋଫର୍ସ ଦୁର୍ନୀତିକୁ ଉଠାଇ ରାହୁଲ ଓ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବୋଫର୍ସ ସ୍କାମ କଂଗ୍ରେସକୁ ଡୁବାଇ ଥିବା ବେଳା ରାଫେଲ ପୁଣିଥରେ ମୋଦି ସରକାରଙ୍କୁ କ୍ଷମତା ଦଖଲ କରିବାର ସୁଯୋଗ ଦେବ।
ଏଥିରେ ରାଫେଲ ଡିଲର ଦର ଠାରୁ ଆରମ୍ଭ କରି ହାଲ କାହିଁକି ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରିବ ନାହିଁ ତା’ର ସମସ୍ତ ତଥ୍ୟ ରଖିଥିଲେ। ନିର୍ମଳା କହିଛନ୍ତି, “ପ୍ରତିରକ୍ଷା ମନ୍ତ୍ରଣାଳୟ ଦଲାଲଙ୍କ ବିନା ମୋଦି ସରକାରଙ୍କ ଶାସନ କାଳରେ କାର୍ଯ୍ୟ କରୁଛି। ମନ୍ତ୍ରଣାଳୟ କେବଳ ଦେଶର ସ୍ୱାର୍ଥ କଥା ଚିନ୍ତା କରୁଛି। ମୁଁ ଏଠାରେ ବୋଫର୍ସ କଥା କହିବି ନାହିଁ। କାରଣ ବୋଫର୍ସ ଏକ ଦୁର୍ନୀତି ଥିଲା। ହେଲେ ରାଫେଲରେ କୌଣସି ଦୁର୍ନୀତି ହୋଇନାହିଁ। ବୋଫର୍ସ ଆପଣଙ୍କୁ(କଂଗ୍ରେସ) ଡୁବାଇଥିଲା। ରାଫେଲ ପୁଣିଥରେ ଏକ ଉନ୍ନତ ଏବଂ ବିକଶିତ ଭାରତ ପାଇଁ ମୋଦି ସରକାରଙ୍କୁ କ୍ଷମତା ଦଖଲ କରିବାକୁ ସୁଯୋଗ ଦେବ। ଏଥିସହ କଂଗ୍ରେସ ସହ ଜଡ଼ିତ ଥିବା ଦୁର୍ନୀତିର ମୂଳପୋଛ କରିବ।”
ସେ ଆହୁରି ବି କହିଛନ୍ତି, “ହାଲ ପାଇଁ କଂଗ୍ରେସ କିଛି କରି ନଥିଲା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି। କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ହାଲକୁ ୧ ଲକ୍ଷ କୋଟି ଟଙ୍କାର କଣ୍ଟ୍ରାକ୍ଟ ଦେଇଛନ୍ତି। କଂଗ୍ରେସ ରାଫେଲ ପାଇଁ ଚୁକ୍ତି କରିଥିଲେ ହେଁ ଏହାକୁ ନ କିଣି ବାୟୁସେନାକୁ ଦୁର୍ବଳ କରିଦେଇଥିଲା।”


















