ଓଡ଼ିଶାଲାଇଭ୍ ବ୍ୟୁରୋ

india-china meeting

ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚୀନ ସେନା ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଡିସେମ୍ବର ୯ ତାରିଖ ରାତିରେ ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ର ୩୦୦ ରୁ ଅଧିକ ସୈନ୍ୟ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ପେଟ୍ରୋଲିଙ୍ଗ କରିବା ବହନାରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲେ। ସେମାନେ ଏଠାରେ ଭାରତୀୟ ପୋଷ୍ଟକୁ ଅଧିକାର କରିବାକୁ ଚେଷ୍ଟା କରିଥିଲେ। ଭାରତୀୟ ସେନାର ଯବାନମାନେ ଚାଇନାର ଏହି ପ୍ରୟାସକୁ ପଣ୍ଡ କରିବା ସହ ସେମାନଙ୍କୁ ଦୃଢ ଜବାବ ଦେଇଥିଲେ। ଯାହା ଫଳରେ ଚାଇନା ସେନା ପଛକୁ ଘୁଞ୍ଚିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣାରେ ଉଭୟ ଭାରତୀୟ ଓ ଚୀନର କିଛି ସୈନ୍ୟ ଆହତ ହୋଇଛନ୍ତି।

ଅରୁଣାଚଳ ପ୍ରଦେଶରେ ଚାଇନା ସହ ହୋଇଥିବା ସଂଘର୍ଷ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଏକ ଜରୁରୀ ବୈଠକ ଡାକଇଛନ୍ତି। ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ସିଡିଏସ ଜେନେରାଲ ଅନିଲ ଚୌହାନଙ୍କ ସମେତ ବାୟୁସେନା ଏବଂ ନୌସେନାର ବରିଷ୍ଠ କମାଣ୍ଡରମାନେ ମଧ୍ୟ ଯୋଗ ଦେବେ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ନେବେ। ଏହାପରେ ରାଜନାଥ ସିଂ ସଂସଦରେ ସମ୍ପୃକ୍ତ ଘଟଣା ସମ୍ପର୍କରେ ଏକ ବିବୃତ୍ତି ଦେବେ।

ଏହି ଘଟଣା ପରେ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ଭାରତ ଓ ଚାଇନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ଏକ ଫ୍ଲାଗ୍‌ ମିଟିଂ ହୋଇଛି। ଏହାପରେ ଉଭୟ ପକ୍ଷ ତୁରନ୍ତ ଉକ୍ତ ଅଞ୍ଚଳରୁ ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି। ୨୦୧୭ର ଡୋକଲାମ ସୀମା ବିବାଦ ଏବଂ ୨୦୨୦ର ଗଲୱାନ ଘଟଣା ସମୟରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଚୀନର ବିସ୍ତାରବାଦୀ ନୀତି ଯୋଗୁଁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଥମୁ ନଥିଲାବେଳେ, ତୱାଙ୍ଗର ଏହା ଘଟଣା ଉଭୟ ଭାରତ ଓ ଚୀନ ସମ୍ପର୍କରେ ଆହୁରି ତିକ୍ତତା ସୃଷ୍ଟି କରିବ।

Tags: #India-ChinaConflict #ArunachalPradesh #Tawang #IndianArmy #LAC #DefenceMinister #RajnathSingh

 

 

LEAVE A REPLY

Please enter your comment!
Please enter your name here