ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ଡିଏଲ୍ ସହ ଆଧାର କାର୍ଡ ଲିଙ୍କ୍ ହେବ ବାଧ୍ୟତାମୂଳକ!
ଦୁର୍ଘଟଣା ଘଟାଇ ଫେରାର ହେଇଯାଉଥିବା ଡ୍ରାଇଭର ସାବଧାନ। କେନ୍ଦ୍ର ସରକାର ଖୁବ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହ ଯୋଡ଼ିବା ପାଇଁ ନିୟମ ଆଣିପାରନ୍ତି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ପଞ୍ଜାବର ଫଗବାଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରବିଶଙ୍କର କହିଛନ୍ତି ଖୁବଶୀଘ୍ର ଏନେଇ ନିୟମ ପ୍ରଣୟନ କରିବେ ସରକାର। ଆଉ ତା’ପରେ ଡ୍ରାଇଭିଂ ଲାଇସେନ୍ସ ସହ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ହେବ।

ବର୍ତ୍ତମାନ ସମୟରେ ଦେଖାଯାଉଛି ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି। ଆଉ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରୁ ନାହିଁ। ଆଉ କିଛି ଦିନ ଭିତରେ ହିଁ ଦୋଷୀ ନକଲି ଲାଇସେନ୍ସ ମଧ୍ୟ ହାସଲ କରିନେଉଛି। ଯାହା ଦୋଷୀକୁ ଦଣ୍ଡରୁ ରକ୍ଷା କରିଦିଏ।

ଡିଏଲ୍ ଆଧାର ସହ ସଂଯୋଗ ପରେ, ନିଜର ନାମ ବଦଳାଇଦେଲେ ବି ବାୟୋମେଟ୍ରିକ୍ସରେ ପରିବର୍ତ୍ତନ ହେବନାହିଁ। ଆଖିର ପଟଳକୁ ବଦଳାଇ ହେବ ନାହିଁ କି ଅଙ୍ଗୁଳି ଚିହ୍ନକୁ ମଧ୍ୟ ପରିବର୍ତ୍ତନ କରିହେବ ନାହିଁ। ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ଯେତେବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ପାଇଁ ଯିବେ, ଆପେ ଆପେ ଜଣାପଡ଼ିଯିବ ଯେ ତାଙ୍କ ପାଖରେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଥିଲା। ଆଉ ଦୋଷୀକୁ ଦଣ୍ଡ ମିଳିବ।

















