ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରକୃତରେ ୨୦୧୯ ଆସି ହିଁ ଯାଇଛି। ଖୁବ୍ ସେମି ଫାଇନାଲ ଖେଳାଗଲା। ଏବେ ଫାଇନାଲର ସମୟ। ବିଜେପି ପକ୍ଷରୁ ନିର୍ବାଚନ ବିଗୁଲ ରୀତିମତ ଫୁଙ୍କିବା ଆରମ୍ଭ ହୋଇଯାଇଛି। ସୋମବାର ଦ୍ୱିପ୍ରହରରେ ଖବର ଆସିଲା ଯେ କେନ୍ଦ୍ର ସରକାର ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବେ।

ସୂଚନା ମିଳିଛି  ଯେ ମଙ୍ଗଳବାର ଦିନ ସଂସଦରେ ମୋଦି ସରକାର ଏହି ନୂଆ ସଂରକ୍ଷଣ ବ୍ୟବସ୍ଥା ପାଇଁ ଏକ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ କରିବେ। ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆସିବା ପରେ  ଵିସ୍ତୃତ ଭାବେ ଜଣାପଡ଼ିବ କିଏ ଏହି ବ୍ୟବସ୍ଥାର ଫାଇଦା ପାଇବେ ଓ କେମିତି ପାଇବେ। ସୂତ୍ର ଅନୁଯାୟୀ ଏହି ଦଶ ପ୍ରତିଶତ ସଂରକ୍ଷଣର ରୂପରେଖ ମୋଟାମୋଟି ଏୟା  ରହିବ:

୧- ପାର୍ଲାମେଣ୍ଟରେ ସଂଶୋଧନ ପ୍ରସ୍ତାବ ଆଗତ କରି ସମ୍ବିଧାନର ଧାରା ୧୫ ଓ ୧୬କୁ ବଦଳାଯିବ। ଧାରା ୧୫ ସମାନତାର ଅଧିକାର ବିଷୟ କହୁଥିବା ବେଳେ ଧାରା ୧୬ ସମାନ ସୁଯୋଗ (ଚାକିରିରେ) କଥା କହୁଛି।
୨- ଏହି ସଂରକ୍ଷଣ ଉଭୟ ପଢ଼ାପଢ଼ି ଓ ଚାକିରି ପାଇଁ ଲାଗୁ ହେବ।
୩- ସଂଖ୍ୟାଲଘୁ ମାନ୍ୟତା ପାଇଥିବା ସଂସ୍ଥାମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ।
୪- ନୂଆ ୧୦% ସଂରକ୍ଷଣ ସୁପ୍ରିମକୋର୍ଟଙ୍କ ୫୦ % ସୀମା ବାହାରେ ରହିବ। ଅର୍ଥାତ ଏସ ସି/ଏସଟି/ଓବିସିଙ୍କ ପାଇଁ ସଂରକ୍ଷଣ ପୂର୍ବଭଳି ଚାଲୁ ରହିବ ଓ ସେମାନଙ୍କ କୋଟା ହ୍ରାସ ପାଇବ ନାହିଁ।

ଦିଲ୍ଲୀ ରାଜନୀତି ମହଲରେ ଆଜିର ଏହି ଘୋଷଣାକୁ ମୋଦିଙ୍କ ଏକ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି। ଲୋକେ ଏହି ଘୋଷଣାକୁ ନେଇ ଯାହା ବି କୁହନ୍ତୁ ବିରୋଧୀ ଦଳ କିନ୍ତୁ ଏଥିରେ ଚୁପ ରହିବା ପାଇଁ ବାଧ୍ୟ। ସଂରକ୍ଷଣ ଜରିଆରେ ଭୋଟ ଗୋଟାଇବା ଯେହେତୁ ପ୍ରତି ରାଜନୈତିକ ଦଳର ଲକ୍ଷ୍ୟ, କେନ୍ଦ୍ର ସରକାରଙ୍କ ଏହି ପ୍ରାକନିର୍ବାଚନୀ ଘୋଷଣାକୁ କେହି ବିରୋଧ କରିବା ଦେଖାଯାଉନି। ଯଦି ବି କରୁଛନ୍ତି ତାର ବାଟ ପାଇବା କଷ୍ଟ।

ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ବିଜେପି ଓ ଆରଏସଏସ ଯେଉଁ କଥା କହି ଆସିଛନ୍ତି ଏହା ତାର ପ୍ରତିଫଳନ। ବିଜେପି ପକ୍ଷରୁ ବରାବର କୁହାଯାଇଆସିଛି ଯେ ଦେଶରୁ ସଂରକ୍ଷଣ ହଟାଇବା ସମ୍ଭବ ନୁହେଁ। ଏହି କାରଣରୁ ମୋଦି ସରକାର ଅନ୍ୟ ବର୍ଗଙ୍କୁ ଖୁସି କରିବା ପାଇଁ ସଂରକ୍ଷଣ ଆଇନରେ ସଂଶୋଧନ ଆଣିବା ସକାଶେ ଅଣ୍ଟା ଭିଡ଼ିଛନ୍ତି।

ସବର୍ଣ୍ଣ ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା ଦ୍ୱାରା ୨୦୧୯ ନିର୍ବାଚନରେ ବିଜେପିକୁ ଏହା କେତେ ଦୂର ଲାଭ ଦେବ ତାହା କହିବା କଷ୍ଟ। କିନ୍ତୁ ଏହି ସଂରକ୍ଷଣ ଲାଗୁ ହେବା ପାଇଁ ସମୟ ନିଶ୍ଚିତ ଲାଗିବ। ପ୍ରଥମେ ଏହା ଲୋକସଭାରେ ଗୃହୀତ ହେବ ତା ପରେ ରାଜ୍ୟସଭାକୁ ଯିବ, ପରେ ରାଜ୍ୟ ସରକାରମାନେ ଏହା ଉପରେ ମୋହର ଲଗାଇବେ। ସବୁଠୁ ବଡ଼ କଥା ଏହି ସଂରକ୍ଷଣ ଆଇନ ବିରୁଦ୍ଧରେ ଲୋକେ ସୁପ୍ରିମକୋର୍ଟ ବି ଯାଇପାରନ୍ତି।

Comment