ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରିୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଭାରତ ବନ୍ଦର ବୁଧବାର ଦ୍ଵିତୀୟ ଦିନ। ସାରା ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ଦେଖାଯାଇଛି। ଧର୍ମଘଟ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଛି ଓ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି।
ବୁଧବାର ବନ୍ଦ ଯୋଗୁଁ ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଭଦ୍ରକ, ସମ୍ବଲପୁର ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଛନ୍ତି।
ଧର୍ମଘଟର ପ୍ରଥମ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଯାଇଥିଲା। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।
ତେବେ ଏହି ଧର୍ମଘଟର ଫାଇଦା ଅଟୋବାଲା ଉଠାଉଥିବା ଦେଖାଯାଇଛି। ଅନ୍ୟ ଯାତ୍ରୀବାହୀ ଗାଡ଼ିଗୁଡ଼ିକ ବନ୍ଦ ରହିଥିବାରୁ ଯାତ୍ରୀମାନେ ବାଧ୍ୟ ହୋଇ ଅଟୋରେ ଯିବା ଆସିବା କରୁଛନ୍ତି। ଏହାର ଫାଇଦା ନେଇ ଅଟୋବାଲା ଯାତ୍ରୀଙ୍କ ଠାରୁ ଅଧିକ ପଇସା ନେଉଛନ୍ତି।