ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗଣଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ ଜେଲ, ୧୦ ହଜାର ଟଙ୍କାର ଜରିମାନା
  • ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା
  • ପ୍ରମାଣ ନଷ୍ଟ ପାଇଁ ୨ ବର୍ଷ ଜେଲ ୫ ହଜାର ଟଙ୍କାର ଜରିମାନା

କେନ୍ଦ୍ରାପଡ଼ା: ୨୦୦୭ ମସିହାର ବହୁ ଚର୍ଚ୍ଚିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ସେସନ୍ସ ଜଜ୍ କୋର୍ଟର ବିଚାରପତି ବାସୁଦେବ ପଣ୍ଡା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୦୭ ମସିହା ସେପ୍ଟେମ୍ବର ୧୬ ତାରିଖର ଘଟଣା। ସେତେବେଳର କେନ୍ଦ୍ରାପଡ଼ା ଥାନା ଏବଂ ବର୍ତ୍ତମାନର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକର ଦେଶପୁର ମଠ ନିକଟ ଗୋବରୀ ନଦୀରେ ଜଣେ ଅପରିଚିତା ଯୁବତୀଙ୍କ ମୃତଦେହ ଭାସୁଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଥାନାକୁ ଜଣାଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଯୁବତୀଙ୍କ ପରିଚୟ ପାଇବା ପରେ ପୋଲିସ ଖୋଳତାଡ଼ କରିଥିଲା। ଏ ସମ୍ପର୍କରେ ମୃତ ଯୁବତୀଙ୍କ ବାପା କେନ୍ଦ୍ରାପଡ଼ା ଥାନରେ ଅଭିଯୋଗ କରିଥିଲେ। ଅଭିଯୋଗରୁ ଜଣାପଡ଼ିଥିଲା କି ଏହା ପ୍ରେମଜନିତ ହତ୍ୟାକାଣ୍ଡ।

ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଖମଳ ଗାଁର ଅଲେଖ ବାରିକଙ୍କ ପୁଅ ଦିଲ୍ଲୀପ ବାରିକ ସେହି ଯୁବତୀଙ୍କୁ ପ୍ରେମ କରୁଥିଲା। ଯୁବତୀ ଜଣଙ୍କର ଦେହ ଅସୁସ୍ଥ ଥିବାରୁ ତାଙ୍କୁ  ୨୦୦୭ ମସିହା ସେପ୍ଟେମ୍ବର ୧୨ ତାରିଖ ସକାଳେ ସାଇକେଲରେ ବସାଇ ଚାନ୍ଦୋଳ ସରକାରୀ ଡାକ୍ତରଖାନାକୁ ଆଣିଥିଲା। ଏହାପରେ ଯୁବତୀ ଜଣକ ଘରକୁ ଫେରିନଥିଲେ। ଚରିଆଡ଼େ ଖୋଜାଖୋଜି କରିଥିଲେ ପରିବାର ଲୋକେ। ହେଲେ ପତ୍ତା ମିଳିନଥିଲା ଯୁତୀଙ୍କର।ଶେଷରେ ଗୋବରୀ ନଦୀରୁ ମୃତଦେହ ମିଳିଥିଲା।

ଯୁବତୀଙ୍କର ପରିବାରର ଅସହାୟତାର ସୁଯୋଗ ନେଇ ଦିଲ୍ଲୀପ ପ୍ରତିଦିନ ଯୁବତୀଙ୍କ ଘରର ଭଲମନ୍ଦ ବୁଝୁଥିଲା। ଯୁବତୀଙ୍କ ପରିବାର ସହିତ ବିଶ୍ୱାସ ଜନ୍ମାଇ ବିଶ୍ୱାସରେ ବିଷ ଦେଇଥିଲା ଦିଲ୍ଲୀପ।ଯୁବତୀଙ୍କ ସହ ଶରିରୀକ ସମ୍ପର୍କ ରଖିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା।

ଯୁବତୀର ମୃତଦେହ ଜବତ କରିବାର କିଛିଦିନ ପରେ ପୋଲିସ ହାବୁଡ଼ରେ ପଡ଼ିଥିଲା ଦିଲ୍ଲୀପ। ଏହାପରେ ଦିଲ୍ଲୀପ ପୋଲିସ ଆଗରେ ସମସ୍ତ କାହାଣୀ ବଖାଣିଥିଲା।

ଦିଲ୍ଲୀପ କହିଥିଲା, “ପୀଡ଼ିତା ଯୁବତୀଙ୍କୁ ଡାକ୍ତରାଖାନାକୁ ନେଇଥିଲା। ପରେ ତାଙ୍କ ଭଉଣି ଘରକୁ ଯିବା କହି କେନ୍ଦ୍ରାପଡ଼ା ଥାନା ଅନ୍ତର୍ଗତ ଅର୍ତ୍ତାମୂଳ ଗାଁକୁ ନେଇଯାଇଥିଲା। ଅର୍ତ୍ତାମୂଳ ଗାଁର ଯେନାମଣି ପ୍ରାଥମିକ ବିଦ୍ୟାଳୟର ଏକ ପରିତ୍ୟକ୍ତ ଘରକୁ ଡାକିନେଇଥିଲା। ସେଠାରେ ଆଗରୁ ରହିଥିବା ଦିଲ୍ଲୀପର ୪ ଜଣ ବନ୍ଧୁ ବାବୁଲି ଦାସ, ସିରିଆ ମଳିକ, ସରୋଜ ଜେନା ଓ ପ୍ରଶାନ୍ତ ଜେନା ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାଳେ ଯୁବତୀ ଜଣକ ବାହାରେ ପ୍ରକାଶ କରିଦେବ ସେହି ଭୟରେ ଯୁବତୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ।”

ମୃତଦେହକୁ ଅର୍ତ୍ତାମୂଳ ଗାଁଠାରୁ ପ୍ରାୟ ୨୦ କିଲୋମିଟର ଦୂର ନେଇ ଆସି ଡେରାବିସ ବ୍ଲକର ଦେଶପୁର ଗାଁ ନିକଟରେ ଥିବା ଗୋବରୀ ନଦୀର କଳାପୋଲ ପାଖରେ ପାଣିକୁ ଫିଙ୍ଗିଦେଇ ଫେରାର ହୋଇଯାଇଥିବା ଦିଲ୍ଲୀପ ପୋଲିସ ଆଗରେ ସ୍ୱୀକାର କରିଥିଲା।

ଅଭିଯୁକ୍ତ ଦିଲ୍ଲୀପକୁ ପୋଲିସ ଗିରଫ କରି ବିଚାରବିଭାଗୀୟ ହାଜତରେ ରହିଥିଲା। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସେସନ୍ସ ଜଜ୍ ବାସୁଦେବ ପଣ୍ଡା ସମସ୍ତ ସାକ୍ଷ୍ୟ ପ୍ରମାଣର ବିଚାର କରି ଅଭିଯୁକ୍ତ ଦିଲ୍ଲୀପ ବାରିକ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି।

ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କାର ଜରିମାନା, ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଓ ପ୍ରମାଣ ନଷ୍ଟ କରିଦେବା ଅଭିଯୋଗରେ ୨ ବର୍ଷ ଜେଲ ୫ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି କୋର୍ଟ।

ଏହି ଘଟଣାରେ ସମ୍ପୃକ୍ତ ଆଉ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇନି ପୋଲିସ। ଦୀର୍ଘ ୧୨ ବର୍ଷ ହେଲା ଏପରି ଏକ ନାରକୀୟ ଘଟଣା ଘଟାଇଥିବା ଏହି ୪ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସର ଟାଳଟୂଳ ନୀତି କରୁଥିବା ଅଭିଯୋଗ ହେଉଛି।

Comment