ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୋରକୁ ଧରିବା ପାଇଁ ଲଗାତାର ୧୭ ଦିନ ଯାଏ ଏଟିଏମ୍ ଦୌଡିଲେ ମହିଳା। ଆଉ ଶେଷରେ ସଫଳ ମଧ୍ୟ ହେଲେ। ଘଟଣାଟି ହେଉଛି ମୁମ୍ବାଇର। ଠକାମୀର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ରେହାନା ଶେଖ୍।

ମିଳିଥିବା ସୂଚନା ଅନୁଯାୟୀ ରେହାନାଙ୍କ ସହ ଏହି ଘଟଣା ବାନ୍ଦ୍ରା ରେଲୱେ ଷ୍ଟେସନ୍ ନିକଟସ୍ଥ ଏକ ଏଟିଏମ୍ କାଉଣ୍ଟରରେ ହୋଇଥିଲା। ପ୍ରତିଦିନ ପରି ରେହାନା ଅଫିସ୍ ଯାଇଥିଲେ। ବାନ୍ଦ୍ରା ଷ୍ଟେସନରେ ପହଂଚିବା ପରେ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ହେଲେ କୌଣସି ଟେକ୍ନିକାଲ୍ କାରଣ ପାଇଁ ଟଙ୍କା ବାହାରି ପାରିନଥିଲା।

ତେବେ ବାହାରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ସାହାଯ୍ୟ କରିବା ବାହାନାରେ କାର୍ଡର ସମସ୍ତ ଡିଟେଲ୍ ନେଇଥିଲେ। କିଛି ସମୟ ପାଇଁ ସାହାଯ୍ୟ କରିବାର ନାଟକ କରି କହିଥିଲେ ଟଙ୍କା ବାହାରୁ ନାହିଁ। ଏହା ପରେ ରେହାନା ଅଫିସ୍ ଚାଲିଯାଇଥିଲେ। ହେଲେ ପହଂଚିବା ପରେ ଆକାଉଂଟରୁ ୧୦ହଜାର ଟଙ୍କା କଟିଥିବାର ମେସେଜ୍ ମୋବାଇଲକୁ ଆସିଥିଲା। ଯେଉଁଥିରୁ ସେ ଠକାମୀର ଶିକାର ହୋଇଥିବା କଥା ଜାଣିପାରିଥିଲେ।

ତେବେ ଠକକୁ ଧରିବା ପାଇଁ ସ୍ୱତନ୍ତ୍ର ଜାଲ ବିଛାଇଥିଲେ ଏହି ୩୫ ବର୍ଷୀୟ ମହିଳା। ୧୭ ଦିନ ଯାଏଁ ଲଗାତାର ସେହି ଏଟିଏମକୁ ରେହାନା ଏହି ଆଶା ନେଇ ଯାଇଥିଲେ ଯେ କେବେ ନା କେବେ ତ ଆସିବ ସେ। ଆଉ ଠିକ୍ ତାହା ହିଁ ହେଲା। ସେହିଦିନ ରାତି ୧୧ଟା ସମୟରେ ରେହାନା ସେହି ବ୍ୟକ୍ତିକୁ ଏଟିଏମ୍ ନିକଟରେ ଦେଖିଥିଲେ। ସାଙ୍ଗେ ସାଙ୍ଗେ ତାକୁ ଧରି ପୋଲିସକୁ ଡାକିଥିଲେ ରେହାନା।

ଯାଞ୍ଚ ପରେ ଜଣା ପଡିଥିଲା ଅଭିଯୁକ୍ତର ନାଁ ହେଉଛି ଭୁପେନ୍ଦ୍ର ମିଶ୍ରା। ମୁମ୍ବାଇର ଭିନ୍ନ ଭିନ୍ନ ଥାନାରେ ତା ବିରୋଧରେ ୭ଟି ମାମଲା ଅଛି। ଆଉ ସମସ୍ତ ମାମଲା ଏଟିଏମ୍ ଠକେଇ।

Comment