ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ରରେ ବିଜେପି ସରକାର ଅଙ୍ଗୀକାରବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିର ଠାରେ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଝାରସୁଗୁଡା ଠାରେ ୨୯ଏକର ପରିମିତ ଅଞ୍ଚଳରେ ଏକ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ। ‘ମୁଁ ଗତ ମାସକ ଭିତରେ ତିନି ଥର ଓଡ଼ିଶା ଗସ୍ତରେ ଆସି ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛି। ଏଥିରୁ ଆମର ସଂକଳ୍ପ ବିଷୟ ଜାଣିହେବ’, ଏହା ମୋଦି କହିଛନ୍ତି।
ତା ଛଡ଼ା ବଲାଙ୍ଗିର ଓ ବିଚୁପଲ୍ଲୀ ମଧ୍ୟରେ ୧୩ କିମି ବିଶିଷ୍ଟ ରେଳ ଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହି ରେଳ ଲାଇନ ଖୋଲିବା ଫଳରେ ଭୁବନେଶ୍ୱର, ପୁରୀ ଓ ଦେଶର ଅନ୍ୟାନ୍ୟ ସହରକୁ ଦୂରତା ହ୍ରାସ ପାଇବ। ଅଧିକନ୍ତୁ ଖଣି ଓ କୁଟୀର ଶିଳ୍ପର ବିକାଶ ବି ହୋଇପାରିବ। ସୋନପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ସ୍ଥାୟୀ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଆଜି କରାଯାଇଛି।
ଝାରସୁଗୁଡ଼ା -ବିଶାଖାପାଟଣା ଓ ସମ୍ବଲପୁର -ଅନୁଗୁଳ ମଧ୍ୟରେ ୮୧୩ କିମି ଲମ୍ବା ରେଳ ଲାଇନର ବିଦ୍ୟୁତିକରଣ ପ୍ରକଳ୍ପ ମଧ୍ୟ ଉଦଘାଟିତ ହୋଇଛି।ଏଥିପାଇଁ ୧୦୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଦ୍ୱାରା ଏହି ରେଲପଥରେ ଟ୍ରେନର ଯାତାୟାତ ସୁଗମ ହୋଇପାରିବ। ଏହା ବ୍ୟତିତ ବରପାଲି- ଡୁଙ୍ଗୁରୁପାଲି ଓ ବଲାଙ୍ଗିର-ଦେଓଗାଁ ମଧ୍ୟରେ ରେଳ ଲାଇନ ପ୍ରଶସ୍ତକରଣକ ମଧ୍ୟ ଜାତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହା ଦ୍ୱାରା ଏହି ଅଂଚଳର ଶିଳ୍ପ କ୍ଷମତା ବୃଦ୍ଧି ପାଇବା ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ,ସ୍ଥାନୀୟ ସାଂସଦ କଳିକେଶ ସିଂହଦେଓ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇନଥିଲେ।



















