ଦାଶ ବେନହୁରGaneswar Mishra - Prof of english, Author and Translator

ଲେଖକ ଏବଂ ଇଂରାଜୀ ଭାଷାର ପ୍ରଫେସର ସ୍ୱର୍ଗତଃ ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ ସମାଜର ବିଭିନ୍ନ ବର୍ଗର ପରିଚିତ ବ୍ୟକ୍ତିଙ୍କ ସ୍ମୁତିଚାରଣ। ବର୍ତ୍ତମାନ ଓ ପରବର୍ତ୍ତୀ  ପିଢିସହ ଗଣେଶ୍ୱରଙ୍କୁ ଯୋଡ଼ିବା ଲାଗି ଓଡ଼ିଶାଲାଇଭର ଏହି କ୍ଷୁଦ୍ର ପ୍ରୟାସ

ଇଂରାଜୀ ସାହିତ୍ୟର ଶିକ୍ଷକ କିନ୍ତୁ ଅଜସ୍ର ସମର୍ପଣଭାବ ଥିଲା ଓଡ଼ିଆ ସାହିତ୍ୟ ପ୍ରତି। ପାଠ ପଡ଼ିବା ବେଳେ ଉପନ୍ୟାସ ଲେଖିବା ଆରମ୍ଭ କରିବା ଘରଠାରୁ ତାଙ୍କ ଭିତରେ ଯେମିତି ରସାଳ ଭାବନାର ଫୁଲ ଫୁଟିଥିଲା ସବୁବେଳେ। ତାହା ଥିଲା ତାଙ୍କ ସାହିତ୍ୟିକ ଜୀବନ ଲାଗି ସ୍ୱାଭାବିକ ପ୍ରେରଣା। ସଂସାର ଛାଡ଼ିଲା ବେଳକୁ ଥାକରେ ନିଜ ଲେଖା ଗପ, ଉପନ୍ୟାସ, କବିତା, ଭ୍ରମଣ କାହାଣୀ, ଅନୁବାଦ, ଲଳିତ ନିବନ୍ଧ, ଜୀବନୀ ଓ ଆତ୍ମଜୀବନୀ ହେଇ ସାହିତ୍ୟର ପ୍ରାୟ ସବୁ ବର୍ଗର ପୁସ୍ତକ ସ୍ଥାନ ପାଇଥିଲେ।

ଛପାଛପି ନାଁ ଡକ୍ଟର ଗଣେଶ୍ୱର ମିଶ୍ର, କିନ୍ତୁ ମୋ ପାଇଁ ସେ ଥିଲେ ଗଣି ଭାଇନା। ଜନ୍ମ ୧୯୪୨ ମସିହା। ଅଧ୍ୟାପନା ବୃତ୍ତିରୁ ଜୀବନ ସଜାଡ଼ି ପ୍ରଫେସର ଭାବରେ ଅବସର ନେଲେ ଶେଷକୁ। ପରେ କିନ୍ତୁ ଓଡ଼ିଆ ସାହିତ୍ୟରେ ପୂରାପୂରି ନିମଗ୍ନ ହୋଇ ଯାଇଥିଲେ। ନିଜ ପୁରୁଣା ଲେଖାର ସଂପାଦନା କାମରୁ ଆରମ୍ଭ କରି ଅନେକ ଦୁଷ୍ପ୍ରାପ୍ୟ ରଚନାର ସଂଗ୍ରହ ଓ ସମ୍ପାଦନା ପାଇଁ ମନ ବଳାଇଥିଲେ ସେ। ସେ ସବୁ ଅପୂରା ରହିଗଲା। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୋଇଥିଲେ, ସମାଜ ଓ ପ୍ରମେୟ ଭଳି ଖବର କାଗଜର ସମ୍ପାଦକ ଥିଲେ କିଛି କାଳ। କିନ୍ତୁ ଅହରହ ତାଙ୍କର ଚେଷ୍ଟାଥିଲା ଉତ୍କଳ ଭାରତୀଙ୍କର ମହନୀୟ ମୂର୍ତ୍ତିଟିକୁ ସାଉଁଟି, ସଜାଡ଼ି ତା’ର ମାଜଣା କରିବା। ସେଇଥିପାଇଁ ତ “ସତୀର୍ଥ” ଅନୁଷ୍ଠାନଟି ଗଢ଼ିଥିଲେ ସେ!

ଆଜିକାଲିକା ହିସାବରେ ୭୨ ବର୍ଷ ୭୩ ବର୍ଷ ମୋଟେ ମରିବାର ବୟସ ନୁହେଁ। କିନ୍ତୁ ଏଇଭଳି ଗୋଟେ ଗଅଁଠ ବୟସରେ ହିଁ ଆମକୁ ଛାଡ଼ି ଚାଲିଗଲେ ସେ। ବଡ଼ ମଝିଆଁ ପୁଅ ପାପୁ, ତା’ ପରେ ସମୁଦି ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ସାହିତ୍ୟିକ ଚାଲିଗଲେ। ଏବେ ନିଜେ ଆପଣା ପଥରେ। ମନେହୁଏ ସବୁଠାରୁ ଅଧିକ ଆଘାତ ପାଇଥିବ ତାଙ୍କ ନିଜର ପରିବାରଟି। ଖାଁ ଖାଁ ଖଟ, ଚଉକି। ଘର ଚାରିପଟର ଗଛମାନେ ବି ମନ କଷ୍ଟ କରିଥିବେ।

ବେଳେବେଳେ ଲାଗେ ଭଲ ସାହିତ୍ୟିକଟିଏ ହେବାଠାରୁ ଭଲ ମଣିଷ  ହେବା ବୋଧହୁଏ ସମାଜ ପାଇଁ ଏକ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା। ଆମ ଚାରିପଟେ ତ ଅନେକ ଭଲ ସାହିତ୍ୟିକ ଅଛନ୍ତି, ହେଲେ ଗଣେଶ୍ୱର ମିଶ୍ରଙ୍କ ପରି ଏତେ ଭଲ ମଣିଷ କାହାନ୍ତି?

ତାଙ୍କ ସହିତ କଥା ହେଲେ ମନରେ ଗୋଟେ ସତେଜ ଅନୁଭବ ଆସେ। ଅଳ୍ପରେ କହିବା ଓ କଥା ଭିତରେ ସବୁ ମିଠା ବ୍ୟଞ୍ଜନାଟିଏ ଛାଡ଼ିଦେବା ଥିଲା ତାଙ୍କ ଚମତ୍କାର କଥାବାର୍ତ୍ତା ଧାରାର ଗୋଟିଏ ଅତ୍ୟନ୍ତ ସ୍ପୃହଣୀୟ ଦିଗ। ସେଇଥିପାଇଁ ତାଙ୍କ ସହ କଥା ହୋଇ ଫେରିଲା ବେଳକୁ ମନଟା କେମିତି ସତେଜତାରେ ଭରିଯାଏ।

ବଡ଼ ସାନ ସମସ୍ତଙ୍କ ସହ ସ୍ୱାଭାବିକ ଭାବେ ମିଶିବାର ଉନ୍ମୁଖତା ଥିଲା ତାଙ୍କ ପାଖରେ। ମୋ ବିଚାରରେ ତାଙ୍କ ସହିତ ସମ୍ପର୍କିତ ସମସ୍ତେ ଆଜି କିଛି କିଛି ଦରିଦ୍ର ହୋଇଗଲେ। କାରଣ ନିଜକୁ ଭଲ ପାଉଥିବା ମଣିଷଟିଏ ଯେତେବେଳେ ସଂସାର କ୍ଷେତ୍ରରୁ ଅପସରିଯାଏ, ସେତେବେଳେ ତା ପରିସରରେ ଥିବା ମଣିଷମାନେ ଆପେ କିଛି ମୂଲ୍ୟବାନ କଥା ହରାଇବସନ୍ତି। ତାହା ହିଁ କିଛି ମାତ୍ରାରେ ଦରିଦ୍ର କରିଦିଏ ସେମାନଙ୍କୁ।

(ସୌଜନ୍ୟ: ‘ଗଣେଶ୍ୱର ଗରିମା’)

Comment