ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁମ୍ଭମେଳାରେ ଆକର୍ଷଣ ସାଜିଛନ୍ତି ବାବା। କିଏ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଛନ୍ତି ତ ପୁଣି କିଏ ହଜାର ହଜାର ରୁଦ୍ରାକ୍ଷ ମାଳା ପିନ୍ଧିଛନ୍ତି।

ଉତ୍ତରପ୍ରଦେଶ ପ୍ରୟାଗରାଜର ସଙ୍ଗମସ୍ଥଳରେ ପବିତ୍ର କୁମ୍ଭମେଳା ଆରମ୍ଭ ହୋଇଛି। ମେଳାର ପ୍ରଥମ ଦିନରେ ଲକ୍ଷ ଲକ୍ଷ ସଂଖ୍ୟାରେ ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି।

କୋଟି କୋଟି ସାଧୁସନ୍ଥଙ୍କ ସହ ଭକ୍ତଙ୍କ ଭିଡ଼ ହୋଇଛି। ୫୦ ଦିନ ଧରି ଏହି ଆସ୍ଥାର ବୁଡ଼ ପାଇଁ ଭିଡ଼ ଲାଗି ରହିବ। ମେଳାରେ ବାବାଙ୍କ ଭିନ୍ନ ଭିନ୍ନ ରୂପ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବା

ବାଙ୍କ ଯୋଗ ଏବଂ ସଂକଳ୍ପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। କେଉଁ ବାବା ରାମ ମନ୍ଦିର ପାଇଁ ସଂକଳ୍ପ ନେଇଛନ୍ତି ତ ଆଉ କେଉଁ ବାବା ହଜାର ହଜାର ରୁଦ୍ରାକ୍ଷ ମାଳା ପିନ୍ଧି ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି ।

ଖଡ଼େଶ୍ୱରୀ ବାବାଙ୍କ ସଙ୍କଳ୍ପ

ରାମ ମନ୍ଦିର ପାଇଁ ସଙ୍କଳ୍ପ କରିଛନ୍ତି ଖଡ଼େଶ୍ୱରୀ ବାବା। ଯେ ପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନହୋଇଛି, ସେପର୍ଯ୍ୟନ୍ତ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ରହିବି ବୋଲି ବାବା ସଙ୍କଳ୍ପ ନେଇଛନ୍ତି।

ଗତ ୪ ବର୍ଷ ହେଲା ବାବା ଗୋଟିଏ ଥର ପାଇଁ ବି ତଳେ ବସିନାହାନ୍ତି। ଗାଜିଆବାଦରୁ ଆସିଥିବା ଖଡ଼େଶ୍ୱରୀ ବାବା। ଖାଲି ରାମ ମନ୍ଦିର ନୁହେଁ, ଗାଜିଆବାଦରେ ଶିବ ମନ୍ଦିର ନିର୍ମାଣ ନେଇ ମଧ୍ୟ ସଙ୍କଳ୍ପ କରିଛନ୍ତି।

ରୁଦ୍ରାକ୍ଷ ବାବା

କୁମ୍ଭମେଳାରେ ସବୁଠୁ ଚର୍ଚ୍ଚିତ ବାବା ହେଉଛନ୍ତି ରୁଦ୍ରାକ୍ଷ ବାବା।  ବେକରେ ୧୧ ହଜାର ରୁଦ୍ରାକ୍ଷ ମାଳା ଧାରଣ କରିଛନ୍ତି ବାବା। ଆଶ୍ଚର୍ଯ୍ୟର କଥା ହେଉଛି ଶିବଯୋଗୀ ମୌନି ମହାରାଜ ରୁଦ୍ରାକ୍ଷକୁ ନିଜେ କିଣି ନାହାନ୍ତି, ବରଂ ଦାନରେ ମିଳିଛି। ନେପାଳ ରାଜା ୧୬ ମୁଖୀ ରୁଦ୍ରାକ୍ଷ ଦାନ କରିଛନ୍ତି। ମୁଣ୍ଡରୁ ଅଣ୍ଟା ପର୍ଯ୍ୟନ୍ତ ପାଖାପାଖି ୫୦୦ ମାଳା ପିନ୍ଧିଛନ୍ତି। ୫୧ ହଜାର ରୁଦ୍ରାକ୍ଷ ପିନ୍ଧିବା ବାବାଙ୍କ ସଙ୍କଳ୍ପ ରହିଛି। ମୌନି ବାବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ବାଚନ କ୍ଷେତ୍ର ଆମେଠିର ପରମହଂସ ଆଶ୍ରମର ମହନ୍ତ ଅଟନ୍ତି।

ଗୋଲଡେନ ବାବା

ସୁନାରେ ଛାଉଣୀ ହୋଇଥିବା ଗୋଲଡେନ୍ ବାବା କୁମ୍ଭମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରତିବର୍ଷ ବାବାଙ୍କ ଗହଣା ସଂଖ୍ୟା ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶର ଜଣେ ପୋଲିସ କନଷ୍ଟେବଳଙ୍କୁ ଧମକାଇଥିବାର ମାମଲା ବାବାଙ୍କ ନାଁରେ ରହିଛି।

କୁମ୍ଭରେ ଇଏ ବି ଏକ ସଙ୍କଳ୍ପ

କୁମ୍ଭମେଳାରେ ଏମିତି ଏକ ବାବା ଅଛନ୍ତି ସେ ବି ସମସ୍ତଙ୍କ ଆକର୍ଷଣ ପାଲଟିଛନ୍ତି। ହାତକୁ ଉପରକୁ ଉଠାଇ ରଖିବା ତାଙ୍କର ସଙ୍କଳ୍ପ ରହିଛି। ଜୁନା ଆଖଡାର ହେଉଛନ୍ତି ରାଧେ ବାବା। ବାବା ଗତ ୯ ବର୍ଷ ଧରି ହାତକୁ ଉପରକୁ ଉଠାଇ ରଖିଛନ୍ତି। ବିଶ୍ୱଶାନ୍ତି ଓ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ରାଧେ ବାବାଙ୍କ ସଙ୍କଳ୍ପ ରହିଛି। ଯେପର୍ଯ୍ୟନ୍ତ ରାମ ମନ୍ଦିର ନହୋଇଛି ସେପର୍ଯ୍ୟନ୍ତ ଏହିଭଳି ହାତ ଉପରକୁ ରଖିଥିବି କହିଛନ୍ତି ରାଧେ ବାବା।

ବାବାଙ୍କୁ ଦରକାର ପେଟ୍ରୋଲ

କୁମ୍ଭମେଳାକୁ ଗୁଜରାଟରୁ ଆସିଥିବା ନାଗା ବାବା ହେଉଛନ୍ତି ସନ୍ନ୍ୟାସୀ ସାବନ ଗିରି। ଏସୟୁଭି କାରରେ ବସି ଭକ୍ତଙ୍କଠାରୁ ଦକ୍ଷିଣା ସ୍ୱରୂପ ପେଟ୍ରୋଲ ମାଗୁଛନ୍ତି ନାଗା ବାବା।

ବାବାଙ୍କ ଅଦ୍ଭୁତ ରୂପ

କୁମ୍ଭ ମେଳାରେ ଆଉ ଜଣେ ବାବାଙ୍କ ରୂପକୁ ଦେଖି ସମେସ୍ତ ଆଶ୍ଚର୍ଯ୍ୟ ହେଉଛନ୍ତି। ମୁଣ୍ଡରେ ଟୋପି ସାଙ୍ଗକୁ ଆଖିରେ ଚଷମା ଲଗାଇ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି। ଲୋକେ ବାବାଙ୍କ ସହିତ ସେଲଫି ନେବାରେ ବ୍ୟସ୍ତ ରହୁଛନ୍ତି।

Comment