ଓଡ଼ିଶାଲାଇଭ୍‌ ବ୍ୟୁରୋ

ସନ୍ୟାସିନୀ ହେବା ପୂର୍ବରୁ ପ୍ରତ୍ୟଙ୍ଗିରା ନାମୀ ସଫ୍ଟୱେୟାର କମ୍ପାନିରେ କାମ କରୁଥିଲେ।

କୁମ୍ଭମେଳାରେ ବିଭିନ୍ନ ପ୍ରକାର ସାଧୁ ଏବଂ ସନ୍ୟାସିନୀଙ୍କ ଭିଡ଼ ଲାଗିଛି। ଏଥିରେ ବହୁ ଶିକ୍ଷିତ ସାଧୁସନ୍ଥ ରହିଛନ୍ତି। ପ୍ରୟାଗରାଜ କୁମ୍ଭରେ ପ୍ରତ୍ୟଙ୍ଗିରା ନାଥ ନାମକ ମହିଳା ଅଘୋରୀ ସାମିଲ ଅଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି, ଏହି ମହିଳା ଜଣଙ୍କ ଶିକ୍ଷିତ ସହିତ ବିବାହିତା।

ପ୍ରତ୍ୟଙ୍ଗିରା ହାଇଦ୍ରାବାଦର ଅଧିବାସୀ। ସେ କମ୍ପ୍ୟୁଟର ଆପ୍ଲିକେସନରେ ଗ୍ରାଜୁଏସନ କରିବା ସହ ଏମବିଏରେ ଏଚଆର କରିଛନ୍ତି। ସନ୍ୟାସିନୀ ହେବା ପୂର୍ବରୁ ପ୍ରତ୍ୟଙ୍ଗିରା ନାମୀ ସଫ୍ଟୱେୟାର କମ୍ପାନିରେ କାମ କରୁଥିଲେ। ୨୦୦୭ ସେ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି। କିନ୍ତୁ ୮ ବର୍ଷ ପୂର୍ବରୁ ସବୁକିଛି ତ୍ୟାଗ କରି ସନ୍ନାସିନୀ ରାସ୍ତାକୁ ଆପଣାଇ ନେଇଥିଲେ।

ସାଧାରଣତଃ ମହିଳାଙ୍କୁ ଶ୍ମଶାନ ଏବଂ କବରସ୍ଥାନ ଯିବା ବାରଣ ଥିବାବେଳେ ଏହି ମହିଳା କିନ୍ତୁ ଶ୍ମଶାନରେ ଶିବ ସାଧନା କରୁଛନ୍ତି।  ମହିଳା ସନ୍ନ୍ୟାସିନୀ ଗଳାରେ ରୁଦ୍ରାକ୍ଷ ଏବଂ ସ୍ଫଷ୍ଟିକ ମାଳା ପିନ୍ଧିଛନ୍ତି। କଳା ରଙ୍ଗର କପଡ଼ା ସହ ମୁଣ୍ଡରେ କଳା ପଗଡ଼ି ପିନ୍ଧିଛନ୍ତି।  ପ୍ରତ୍ୟଙ୍ଗିରା କେବଳ ରାତିରେ ହିଁ ଭଗବାନ ଶିବ ଏବଂ ମା’ କାଳୀଙ୍କ ସାଧନା କରନ୍ତି। ଲୋକଙ୍କ କଲ୍ୟାଣ ପାଇଁ କେବଳ ସେ ସନ୍ନ୍ୟାସିନୀ ବନିଥିବା କହିଛନ୍ତି ପ୍ରତ୍ୟଙ୍ଗିରା।

ପ୍ରୟାଗରାଜ କୁମ୍ଭରେ ଏକ ଅଘୋରୀ ଆଖଡ଼ା ରହିଛି। ଯେଉଁଠି ଏକ ବଡ଼ କୁଣ୍ଡ ରହିଛି ଏବଂ ଦିନରାତି ଅଗ୍ନି ଲାଗି ରହିଛି। କୁଣ୍ଡ ବାହାରେ ତ୍ରିଶୁଳ ପୋତାଯାଇଛି। ତ୍ରିଶୁଳରେ ଡମ୍ବରୁ ଏବଂ ରୁଦ୍ରାକ୍ଷ ମାଳା ଥିବାବେଳେ ଏକ ଲେମ୍ବୁ ଲଗାଯାଇଛି। ରାତି ୧୧ଟାରୁ ସାଧନା ଆରମ୍ଭ ହୋଇ ରାତି ୩ଟାରୁ ୪ଟା ପର୍ଯ୍ୟନ୍ତ ଚାଲିଥାଏ କହିଛନ୍ତି ମହିଳା ସନ୍ନ୍ୟାସିନୀ ପ୍ରତ୍ୟଙ୍ଗିରା।

Comment