ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି କେଉଁ ଦଳ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିବେ, ତାହାର ତଥ୍ୟ ଦେବ ଗୁଗଲ।

୨୦୧୯ ଏପ୍ରିଲ କିମ୍ବା ମେ’ ମାସରେ ହୋଇପାରେ ଲୋକସଭା ନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜ ସରକାରର ସଫଳତା ପହଞ୍ଚାଇବା ପାଇଁ ରାଜନୈତିକ ଦଳ ବିଭିନ୍ନ ବିଜ୍ଞାପନର ସାହାରା ନେଉଛନ୍ତି।

ଏଣିକି କେଉଁ ଦଳ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିବେ, ତାହାର ତଥ୍ୟ ଗୁଗଲ ଦେବ। ନିର୍ବାଚନ ସମୟରେ ରାଜନୈତିକ ଦଳକୁ ଦିଆଯାଉଥିବା ବିଜ୍ଞାପନରେ ପାରଦର୍ଶିତା ଆଣିବା ପାଇଁ ଗୁଗଲ ଏକ ଟ୍ରାନ୍ସପରେନ୍ସି ରିପୋର୍ଟ ଆଣିବାକୁ ଯାଉଛି। ଏଥିରେ ନିର୍ବାଚନ ବିଜ୍ଞାପନ କିଏ କିଣିଲା ଏବଂ କେତେ ଟଙ୍କା ଖର୍ଚ୍ଚ ହେଲା ତାର ସମସ୍ତ ତଥ୍ୟ ଉପଲବ୍ଧ ହେବ।

ଆସନ୍ତା ମାର୍ଚ୍ଚ ମାସରେ ଗୁଗଲ ଏହି ଆଡ୍ ଲାଇବ୍ରେରୀ ଆରମ୍ଭ କରିବ। ଏହା ସାଧାରଣ ଲୋକ ସର୍ଚ୍ଚ କରି ସହଜରେ ଜାଣିପାରିବେ।

ଫେବ୍ରୁଆରି ୧୪ରୁ ଆରମ୍ଭ ହେବ ଯାଞ୍ଚ

ଗୁଗଲ ୱେବପେଜ୍, ଭିଡିଓ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ୟୁଟ୍ୟୁବ୍, ସର୍ଚ୍ଚ ପେଜ୍ ଜରିଆରେ ସମସ୍ତ ବିଜ୍ଞାପନ ଚାଲିଥାଏ।  ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ଗୁଗଲ ନିର୍ବାଚନୀ ବିଜ୍ଞାପନକୁ ଅପଡେଟ୍ କରିଛି। ନୂଆ ନିୟମ ଅନୁସାରେ ଗୁଗଲ ପ୍ଲାଟଫର୍ମରେ ନିର୍ବାଚନୀ ବିଜ୍ଞାପନ ଚାଲୁ ରଖିବା ପାଇଁ ବିଜ୍ଞାପନଦାତାଙ୍କୁ ନିର୍ବାଚନ କମିଶନଙ୍କ ନିକଟରୁ ପ୍ରି-ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ ରଖାଯାଇଛି। ଆସନ୍ତା ଫେବ୍ରୁଆରି ୧୪ ରୁ ବିଜ୍ଞାପନଦାତାଙ୍କ ପାଇଁ ଭେରିଫିକେସନ ପ୍ରକ୍ରିୟା ଆରମ୍ଭ ହେବ।

ଆସନ୍ତା ୨୦୧୯ ନିର୍ବାଚନରେ ୮୫ କୋଟିରୁ ଅଧିକ ଭୋଟର ଭୋଟ ଦେଉଥିବାରୁ ନିର୍ବାଚନୀ ବିଜ୍ଞାପନରେ ପାରଦର୍ଶିତା ଆଣିବା ମୁଖ୍ୟ ଲକ୍ଷ୍ୟ କହିଛି ଗୁଗଲ ଇଣ୍ଡିଆ।

ଡିଜିଟାଲ ବିଜ୍ଞାପନରେ ପାଖାପାଖି ୧୦ ହଜାର ୮୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ, ଯାହା ବିଜ୍ଞାପନ ଇଣ୍ଡଷ୍ଟ୍ରୀର ମୋଟ୍ ୧୭%। ନିର୍ବାଚନ କାରଣରୁ ଏହି ଖର୍ଚ୍ଚ ୨୦୧୯ରେ ବଢ଼ି ୧୪ ହଜାର ୨୮୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ବିଜ୍ଞାପନ ଇଣ୍ଡଷ୍ଟୀର ମୋଟ ଖର୍ଚ୍ଚର ଏହା ୩୧.୯%।

ଫେସବୁକରେ ବଦଳିଛି ବିଜ୍ଞାପନ ନୀତି

ଗୁଗଲ ପୂର୍ବରୁ ଫେସବୁକ ବି ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଧ୍ୟାନରେ ରଖି ନିଜର ବିଜ୍ଞାପନ ନୀତିରେ ପରିବର୍ତ୍ତନ କରିଛି। ଆସନ୍ତା ଫେବ୍ରୁଆରିରେ ଫେସବୁକ୍ ତାର ଅନଲାଇନ ଲାଇବ୍ରେରୀ କରିବ, ଯେଉଁଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିବ। ଫେସବୁକରେ ନିର୍ବାଚନୀ ବିଜ୍ଞାପନ ପାଇଁ ସରକାରଙ୍କ ତରଫରୁ ଜାରି ଆଇକୋର୍ଡ କପି ଦେବାକୁ ହେବ। ଏହାଛଡ଼ା  ଲୋକେଶନ (ସ୍ଥାନ ନିରୂପଣ) ଦେବାକୁ ପଡ଼ିବ।

Comment