ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜିଟାଲ ମିଡିଆଗୁଡ଼ିକ ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ନିୟମକୁ ଝଟକା ଲାଗିଛି। ମାଡ୍ରାସ ହାଇକୋର୍ଟ ଏହାର କିଛି ଉପ ନିୟମ ଉପରେ ରୋକ ଲଗାଇଛନ୍ତି। ଏହି ଆଇନ ମିଡିଆର ସ୍ୱାଧୀନତାକୁ ଚୋରି କରିନେବ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ହାଇକୋର୍ଟ। ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ମୋଦୀ ସରକାରଙ୍କ ନୂଆ ଆଇଟି ନିୟମର ଦୁଇଟି ଉପ ନିୟମ ଉପରେ ରୋକ ଲଗାଇଥିଲେ।

ମାଡ୍ରାସ ହାଇକୋର୍ଟ ବିଚାରପତିଙ୍କ ମତରେ ସରକାର ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରକାରର ତଦାରଖ ମେକାନିଜିମର ବ୍ୟବସ୍ଥା କରିଛନ୍ତି, ଯାହାକି ମିଡିଆର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିପାରେ। ନୂଆ ନିୟମ ପରେ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ନିଜର ପରିଚୟ ମଧ୍ୟ ହରାଇପାରେ ବୋଲି କୋର୍ଟ ଆଶଙ୍କା ପ୍ରକଟ କରିଛନ୍ତି। ଆଇଟି ଆଇନରେ ଥିବା ନିୟମ ୯ର ଉପ ନିୟମ ୧ ଓ ୩ ଉପରେ କୋର୍ଟ ସ୍ଥଗିତ ଆଦେଶ ଦେଇଛନ୍ତି। ମୂଳ ଆଇଟି ନିୟମରେ ଏହି ଉପନିୟମଗୁଡ଼ିକ ଫେବୃଆରୀ ମାସରେ ଯୋଡ଼ା ଯାଇଥିଲା।

ଉଲ୍ଲେଖ କରାଯାଇପାରେ ଯେ, ବମ୍ବେ ହାଇକୋର୍ଟ ମଧ୍ୟ ଏହି ଉପ ନିୟମ ଉପରେ ଗତମାସରେ ରୋକ ଲଗାଇଥିଲେ। ସ୍ଥଗିତ ଉପନିୟମରେ ବ୍ୟବସ୍ଥା ରହିଛି ଯେ ଡିଜିଟାଲ ମିଡିଆ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଓ କେବୁଲ ଟିଭ କୋଡ୍‌ର ନିୟମକୁ ଅନୁପାଳନ କରିବା ପାଇଁ ବାଧ୍ୟ। ନୂଆ ଆଇଟି ନିୟମ ବିରୁଦ୍ଧରେ ଏକାଧିକ ପିଟିସନ ବିଭିନ୍ନ କୋର୍ଟରେ ଦାଖଲ କରାଯାଇଛି। ଏହି ସବୁର ବିଚାର ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ହେବାର ସମ୍ଭାବନା ରହିଛି। ଏଥିପାଇଁ ମାଡ୍ରାସ ହାଇକୋର୍ଟ ଅକ୍ଟୋବର ଶେଷ ସପ୍ତାହରେ ପୁଣି ଏହାର ଶୁଣାଣି କରିବେ। ତେଣେ ସୁପ୍ରିମକୋର୍ଟ ମଧ୍ୟ ଆଇଟି ନିୟମ ବିରୋଧରେ ଏକାଧିକ ଆବେଦନର ଶୁଣାଣି ଏକାଠି କରି ଗୋଟିଏ ସ୍ଥାନରେ ଏହାର ବିଚାର କରୁଥିବା ଜଣାପଡିଛି। କେନ୍ଦ୍ର ସରକାର ମଧ୍ୟ ସବୁ ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ କରିବାକୁ ପିଟିସନ ଦାଖଲ କରିଛନ୍ତି।

ଏହି ସବୁ କାରଣରୁ ଆସନ୍ତା ମାସଟି ଦେଶର ଗଣମାଧ୍ୟମ ସଂସ୍ଥାଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ମାମଲାର ଆବେଦନକାରୀଙ୍କ ଯୁକ୍ତି ହେଉଛି ଏହି ଆଇଟି ନିୟମରେ ଯେଉଁ ଉପନିୟମ ଯୋଡ଼ାଯାଇଛି ତାହା ସମ୍ବିଧାନର ମୂଳ ଧାରାକୁ ଉଲ୍ଲଙ୍ଘନ କରିବା ସହ ମୁଦ୍ରିତ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ସ୍ୱାଧୀନତା ଉପରେ ହସ୍ତକ୍ଷେପ ଛଡ଼ା ଆଉ କିଛି ନୁହେଁ।

Comment