Tech Review by Biswajit Sahoo

ଏଥର ଦୀପାବଳିରେ ବଜାରକୁ ଆସିଛି ଜିଓର ନୂଆ ସ୍ମାର୍ଟଫୋନ୍ ‘ଜିଓଫୋନ୍ ନେକ୍ସଟ୍’। ଭାରତୀୟ ସ୍ମାର୍ଟଫୋନ୍ ବଜାରର ବଢୁଥିବା ଚାହିଦାକୁ ଲକ୍ଷ୍ୟ କରି ରିଲାଏନ୍ସ ଜିଓ ଏହି ସ୍ମାର୍ଟଫୋନ୍‌ ବିକଶିତ କରିଛି। ଏହା ପଛରେ ରହିଛି ଗୁଗୁଲ୍ ଟେକ୍ନୋଲୋଜି। ଗ୍ରାହକଙ୍କ ସୁବିଧା ପାଇଁ ଏହି ଆଣ୍ଡ୍ରଏଡ୍ ଫୋନ୍‌ରେ ଗୁଗୁଲ୍‌ର ବିଭିନ୍ନ ଆପ୍ ଓ ଫିଚର୍ ପ୍ରି-ଲୋଡେଡ୍ ରହିଛି।

ଏହି ଫୋନ୍‌ର ବଜାର ମୂଲ୍ୟ ରହିଛି ୬ ହଜାର ୪୯୯ ଟଙ୍କା। ହେଲେ ଫାଇନାନ୍ସ ମାଧ୍ୟମରେ ପ୍ରଥମେ କେବଳ ୧୯୯୯ ଟଙ୍କା ଦେଇ ଆପଣ ଏହାକୁ କିଣିପାରିବେ। ମୁଖ୍ୟତଃ ନିମ୍ନ ଆୟ ବର୍ଗର ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ସହଜ ଫାଇନାନ୍ସ ସ୍କିମ୍‌ର ବ୍ୟବସ୍ଥା ହୋଇଛି।

ଫାଇନାନ୍ସ ସ୍କିମ୍ ଜାଣିବା ପୂର୍ବରୁ ଆସନ୍ତୁ ନଜର ପକାଇବା ଜିଓଫୋନ୍ ନେକ୍ସଟ୍‌ର କିଛି ଆକର୍ଷଣୀୟ ଫିଚର୍ ଉପରେ:ଡୁଆଲ୍ ସିମ୍, ଓଟିଜି ସପୋର୍ଟ

ଜିଓଫୋନ୍ ନେକ୍ସଟ୍‌ରେ ଡୁଆଲ ସିମ୍ ସ୍ଲଟ୍ ରହିଛି, ଯେଉଁଥିରୁ ପ୍ରଥମ ସ୍ଲଟ୍‌ରେ ଆପଣଙ୍କୁ ଜିଓ ସିମ୍ ପକାଇବାକୁ ହେବ। କେବଳ ଏହି ଜିଓ ସିମ୍‌ରୁ ହିଁ ଆପଣ ଡାଟା ବ୍ୟବହାର କରିପାରିବେ। ତେବେ ଦ୍ଵିତୀୟ ସ୍ଲଟ୍‌ରେ ଆପଣ ଯେକୌଣସି ସିମ୍ ପକାଇ ପାରିବେ। ଏଥିସହ ଫୋନ୍‌ରେ ୨ ଜିବି ରାମ୍, ୩୨ ଜିବି ରୋମ୍ ରହିଛି। ଯଦି ଆପଣଙ୍କର ଅଧିକ ଷ୍ଟୋରେଜ୍ ଆବଶ୍ୟକ, ଏଥିରେ ଇଣ୍ଡିପେଣ୍ଡେଣ୍ଟ୍ ମେମୋରି ସ୍ଲଟ୍ ମଧ୍ୟ ରହିଛି, ଯାହା ୫୧୨ ଜିବି ପର୍ଯ୍ୟନ୍ତ ଷ୍ଚୋରେଜ୍ ସପୋର୍ଟ କରିବ। ଏଥିସହ ଜିଓଫୋନ୍ ନେକ୍ସଟ୍‌ରେ ଓଟିଜି ସପୋର୍ଟ ରହିଛି।

ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଞ୍ଚର ଏଚ୍‌ଡି ଟଚ୍‌ସ୍କ୍ରିନ୍ ଡିସ୍‌ପ୍ଲେ ସହ କର୍ଣ୍ଣର ଗରିଲା ଗ୍ଲାସ୍-୩ ରହିଛି। ସେହିପରି ଏହାର ରିଅର କ୍ୟାମେରା ୧୩ ମେଗାପିକ୍ସେଲ୍ ଏବଂ ଫ୍ରଣ୍ଟ୍ ସେଲ୍‌ଫି କ୍ୟାମେରା ୮ ମେଗାପିକ୍ସେଲ୍ ହୋଇଥିବା ବେଳେ ଏଥିରେ ୩୫୦୦ ଏମ୍‌ଏଚ୍‌ର ବ୍ୟାଟେରି ରହିଛି, ଯାହା ଗୋଟିଏଥର ଚାର୍ଜ ହେଲେ ୩୬ ଘଣ୍ଟା ଚାଲିପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ଜିଓ ଏବଂ ଗୁଗୁଲର ସମସ୍ତ ଆପ୍‌ ଅପଟିମାଇଜ୍ ହୋଇ ପ୍ରି-ଲୋଡେଡ୍ ରହିଛି। ତେଣୁ ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍, ଜିଓ ସାବନ୍ ଭଳି ଆପ୍‌ଗୁଡ଼ିକୁ ଆପଣଙ୍କୁ ଆଉ ଲୋଡ୍ କରିବାକୁ ପଡ଼ିବ ନାହିଁ।

ଫୋନ୍‌ରେ ଗୁଗୁଲ୍ ଫିଚର୍

ଗୁଗୁଲ୍ ହେଉଛି ରିଲାଏନ୍ସ ଜିଓ କମ୍ପାନିର ଏକ ପ୍ରମୁଖ ଷ୍ଟ୍ରାଟେଜିକ୍ ନିବେଶକ। ତେଣୁ ପାର୍ଟନର ଗୁଗୁଲ୍‌ର ବିଶେଷ ସ୍ପର୍ଶ ରହିଛି ଜିଓର ଏହି ନୂଆ ସ୍ମାର୍ଟଫୋନ୍‌ରେ। ଫୋନ୍‌ରେ ଅଟୋମେଟିକ୍ ସଫ୍ଟଓ୍ୱେୟାର୍ ଅପଗ୍ରେଡ୍ ସୁବିଧା ସହିତ ଗୁଗୁଲ୍‌ର ରିଡ୍ ଆଲାଉଡ୍, ଟ୍ରାନ୍ସଲେସନ୍, ଭଏସ୍ ଆସିଣ୍ଟାଣ୍ଟ୍ ଭଳି ଅତ୍ୟାଧୁନିକ ସୁବିଧା ଏହି ସ୍ମାର୍ଟଫୋନ୍‌ରେ ରହିଛି।

ଏଥିରେ ଗୁଗୁଲ୍‌ ଭଏସ୍ ଆସିଣ୍ଟାଣ୍ଟ୍, ଗୁଗୁଲ୍ ଲେନ୍ସ ଭଳି ଆପ୍‌ଗୁଡ଼ିକୁ ଜିଓଫୋନ୍ ନେକ୍ସଟ୍‌ର ଭଏସ୍ କଲ୍ ଏବଂ କ୍ୟାମେରା ସହ ଯୋଡ଼ିଦିଆଯାଇଛି। ଏଥିସହ ଏହି ଫୋନ୍‌ରେ ୨୨ଟି ଭାରତୀୟ ଭାଷାର ଟ୍ରାନ୍ସଲେସନ୍ ଏବଂ ୧୦ଟି ଭାଷାର ରିଡ୍ ଆଲାଉଡ୍ ସୁବିଧା ରହିଛି।

ଉଦାହରଣ ସ୍ଵରୂପ ଆପଣ ଜିଓଫୋନ୍ ନେକ୍ସଟ୍‌ରେ, ଛପା ବା ଲେଖା ହୋଇଥିବା କୌଣସି ଜିନିଷର ଫଟୋ ଉଠାଇବା ପରେ ତାହାକୁ ଆପଣ ଚାହୁଁଥିବା ଭାଷାରେ (ଯେଉଁସବୁ ଭାଷାରେ ଅନୁବାଦ ବ୍ୟବସ୍ଥା ରହିଛି) ଅନୁବାଦ କରି ପଢ଼ିପାରିବେ। ଆପଣ ଚାହିଁଲେ ଗୁଗୁଲ୍ ଆସିଷ୍ଟାଣ୍ଟ୍‌ରେ ଥିବା ରିଡ୍ ଆଲାଉଡ୍ ଫିଚର୍‌ ବ୍ୟବହାର କରି ସେହି ଲେଖାକୁ ଶୁଣିପାରିବେ। ଅର୍ଥାତ୍, ଆପଣଙ୍କ ଫୋନ୍ ଆପଣଙ୍କ ପାଇଁ ଆପଣ ଚାହୁଁଥିବା ଭାଷାରେ ଅନୁବାଦ କରିଦେବ ଏବଂ ପଢ଼ିକି ଶୁଣାଇଦେବ।

ଜିଓଫୋନ୍‌ ନେକ୍ସଟ୍‌ର ଅପରେଟିଂ ସିଷ୍ଟମର ନାଁ ଦିଆଯାଇଛି ପ୍ରଗତି, ଯାହା କି ଆଣ୍ଡ୍ରଏଡ୍ ପ୍ଲାଟ୍‌ଫର୍ମ ଉପରେ ଆଧାରିତ। ମୂଳ ଆଣ୍ଡ୍ରଏଡ୍ ପ୍ଲାଟ୍‌ଫର୍ମକୁ ଭାରତୀୟ ଗ୍ରାହକମାନଙ୍କ ପାଇଁ ସହଜ ଓ ସରଳ କରିବାକୁ ଯାଇ ଏଥିରେ ଜିଓ ପକ୍ଷରୁ କେତେକ ଫିଚର୍ ବିକଶିତ କରାଯାଇଛି। ଏହି ଫୋନ୍‌ର ପ୍ରୋସେସର୍ ହେଉଛି କ୍ଵାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ ୨୧୫।ଫାଇନାନ୍ସ ସ୍କିମ୍

ଯେଉଁମାନେ ଏକକାଳୀନ ୬,୪୯୯ ଟଙ୍କା ଦେଇ ଜିଓ ଫୋନ୍ ନେକ୍ସଟ୍ କିଣିପାରିବେ ନାହିଁ, ସେମାନଙ୍କ ପାଇଁ କମ୍ପାନି ପକ୍ଷରୁ ସହଜ ଇଏମଆଇର ସୁବିଧା କରାଯାଇଛି। ଏହାଦ୍ୱାରା ପ୍ରଥମେ କେବଳ ୧,୯୯୯ ଟଙ୍କା ଦେଇ ଗ୍ରାହକ ଜିଓ ଫୋନ୍ ନେକ୍ସଟ୍ ପାଇପାରିବେ। ଏହାପରେ ବାକି ଇଏମଆଇ ଭରିବାକୁ ୧୮ ମାସ ଏବଂ ୨୪ ମାସ ଅବଧିର ୪ଟି ପ୍ଲାନ୍ ରହିଛି।

  • ଅଲଓ୍ୱେଜ୍-ଅନ୍ ପ୍ଲାନ୍

ଗ୍ରାହକ ଯଦି ୨୪ ମାସରେ ଇଏମଆଇ ଭରିବାକୁ ଚାହୁଁଥିବେ ତେବେ ଏଥିପାଇଁ ତାଙ୍କୁ ମାସିକ ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ସେହିପରି ୧୮ ମାସରେ ଇଏମଆଇ ଭରିବାକୁ ଚାହୁଁଥିଲେ ମାସିକ ୩୫୦ ଟଙ୍କା ଦେବାକୁ ପଡ଼ିବ। ଏହି ପ୍ଲାନ୍‌ରେ ଇଏମଆଇ ଶେଷ ହେବା ଯାଏଁ ଗ୍ରାହକମାନେ ମାସିକ ୫ ଜିବି ଡାଟା ଏବଂ ୧୦୦ ମିନିଟ୍ ଭଏସ୍ କଲ୍ ସୁବିଧା ପାଇପାରିବେ।

  • ଲାର୍ଜ ପ୍ଲାନ୍

ଏହି ପ୍ଲାନ୍ ଅନୁସାରେ ୨୪ ମାସରେ ଇଏମଆଇ ଭରିବାକୁ ହେଲେ ମାସିକ ୪୫୦ ଟଙ୍କା ଏବଂ ୧୮ ମାସ ପାଇଁ ମାସିକ ୫୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଏଥିରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବି ଡାଟା ଏବଂ ଅନଲିମିଟେଡ୍ ଭଏସ୍ କଲ୍‌ର ସୁବିଧା ମିଳିବ।

  • ଏକ୍ସଏଲ୍ ପ୍ଲାନ୍

ଏକ୍ସଏଲ୍ ପ୍ଲାନ୍ ଅନୁସାରେ ୨୪ ମାସରେ ଇଏମଆଇ ଭରିବାକୁ ହେଲେ ମାସିକ ୫୦୦ ଟଙ୍କା ଏବଂ ୧୮ ମାସ ପାଇଁ ମାସିକ ୫୫୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଏଥିରେ କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ଏବଂ ଅନଲିମିଟେଡ୍ ଭଏସ୍ କଲ୍‌ର ସୁବିଧା ମିଳିବ।

  • ଡବଲ୍ ଏକ୍ସଏଲ୍ ପ୍ଲାନ୍

ଏହି ପ୍ଲାନ୍ ଅନୁସାରେ ଗ୍ରାହକ ଯଦି ୨୪ ମାସରେ ଇଏମଆଇ ଭରିବାକୁ ଚାହୁଁଥିବେ ତେବେ ଏଥିପାଇଁ ତାଙ୍କୁ ମାସିକ ୫୫୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ସେହିପରି ୧୮ ମାସରେ ଇଏମଆଇ ଭରିବାକୁ ଚାହୁଁଥିଲେ ମାସିକ ୬୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଏହି ପ୍ଲାନ୍‌ରେ ଇଏମଆଇ ଶେଷ ହେବା ପର୍ଯ୍ୟନ୍ତ ଗ୍ରାହକମାନେ ଦୈନିକ ୨.୫ ଜିବି ଡାଟା ଏବଂ ଅନଲିମିଟେଡ୍ ଭଏସ୍ କଲ୍‌ର ସୁବିଧା ପାଇପାରିବେ।ଗ୍ରାହକମାନେ ଯେପରି ସୁବିଧାରେ ଇଏମଆଇ ଭରିପାରିବେ ତାହାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ସହଜ ଫାଇନାନ୍ସ ସ୍କିମ୍‌ର ବ୍ୟବସ୍ଥା ହୋଇଛି। ତେବେ ଆପଣ ଯଦି ଇଏମଆଇ ଦେବା ବନ୍ଦ କରିଦେବେ, ଆପଣଙ୍କ ଜିଓଫୋନ୍‌ ନେକ୍ସଟ୍‌କୁ କମ୍ପାନି ଲକ୍ କରିଦେବ। ଏଥିସହ ଫୋନ୍‌ରେ ପଡ଼ିଥିବା ଜିଓ ନମ୍ୱର ମଧ୍ୟ ବ୍ଲକ୍ ହୋଇଯିବ।

ଯେଉଁମାନେ ରେଗୁଲାର୍ ସ୍ମାର୍ଟଫୋନ୍ ବ୍ୟବହାରକାରୀ ସେମାନଙ୍କୁ ଜିଓ ଫୋନ୍ ନେକ୍ସଟ୍ ଏକ ବେସିକ୍ ସ୍ମାର୍ଟଫୋନ୍ ପରି ଲାଗିପାରେ। କାରଣ ଏହାର ହାର୍ଟଓ୍ୱେୟାର୍ ଡିଜାଇନ୍ ବଜାରରେ ଉପଲବ୍ଧ ଅନ୍ୟ ପ୍ରତିଯୋଗୀ ବ୍ରାଣ୍ଡର ସ୍ମାର୍ଟଫୋନ୍ ତୁଳନାରେ ବିଶେଷ ଆକର୍ଷଣୀୟ ନୁହେଁ। ସେହିପରି ଏହି ଫୋନ୍‌ରେ କିଛିଟା ଲ୍ୟାଗିଙ୍ଗ୍ ସମସ୍ୟା ରହିଛି। ଅର୍ଥାତ୍ ଆପଣ ଟଚ୍‌ସ୍କ୍ରିନ୍ ବ୍ୟବହାର କରିବା ବେଳେ ଏହା ଅନେକ ସମୟରେ କିଛିଟା ବିଳମ୍ଵରେ ରେସପନ୍ସ ଦେଇପାରେ।

Comment