ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ରେ ଗୁଗଲରେ ସବୁଠୁ ଅଧିକ ଖୋଜା ଯାଇଥିବା ପ୍ରଶ୍ନ ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦ରେ ଏହି ରିପୋର୍ଟରେ।

କୌଣସି ବିଷୟରେ ସବିଶେଷ ତଥ୍ୟ ହାସଲ କରିବା ପାଇଁ ଆମେ ସାଧାରଣତଃ ଗୁଗଲରେ ସର୍ଚ୍ଚ କରିଥାଉ। ଯାହା ବିଷୟରେ ଜାଣିବା ପାଇଁ ଅଧିକରୁ ଅଧିକ ଲୋକ ସର୍ଚ୍ଚ କରିଥାନ୍ତି ତାହା ଗୁଗଲର ସର୍ଚ୍ଚ ତାଲିକାରେ ଟ୍ରେଣ୍ଡ କରିଥାଏ। ଚଳିତବର୍ଷ ମଧ୍ୟ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅନେକ ଲୋକ ସର୍ଚ୍ଚ କରିଥିଲେ। ଏହାକୁ ନେଇ ଗୁଗଲ ‘ଇୟର ଇନ୍ ସର୍ଚ୍ଚ’ ତାଲିକା ପ୍ରକାଶ କରିଛି। ଏଥିରେ ୨୦୨୦ରେ ସବୁଠୁ ଅଧିକ ଖୋଜାଯାଇଥିବା ୧୦ଟି ପ୍ରଶ୍ନ ବିଷୟରେ କୁହାଯାଇଛି।କରୋନା ଭୂତାଣୁ କଣ?

୨୦୨୦ରେ ସବୁଠୁ ଅଧିକ ଲୋକ କରୋନା ଭାଇରସ୍ କଣ ବୋଲି ଜାଣିବାକୁ ଗୁଗଲରେ ସର୍ଚ୍ଚ କରିଥିଲେ। ତେଣୁ ଚଳିତବର୍ଷ ଗୁଗଲରେ ସବୁଠୁ ଅଧିକ ଥର ପଚରାଯାଇଥିବା ପ୍ରଶ୍ନ ମଧ୍ୟରୁ ଏହା ଶୀର୍ଷରେ ରହିଛି।

ଗତ ୨୦୧୯ରେ ଚାଇନାର ଉହାନ ସହରରେ ପ୍ରଥମେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ତେବେ ୨୦୨୦ରେ କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିଲା। ଦୁନିଆ ପାଇଁ ଏହି ମହାମାରୀ ସମ୍ପୂର୍ଣ୍ଣ ଭାବେ ନୂଆ ଥିଲା। ପ୍ରଥମେ ଏହା ବାଦୁଡ଼ିଙ୍କଠାରୁ ବ୍ୟାପୁଛି ବୋଲି କୁହାଗଲା। କିନ୍ତୁ ଏଥିରେ କୌଣସି ଠୋସ୍ ପ୍ରମାଣ ମିଳିନଥିଲା। ଧିରେ ଧିରେ ବିଶ୍ୱର ବିଭିନ୍ନ ସ୍ଥାନରେ ଲକଡାଉନ୍ ଓ ସଟଡାଉନ୍ ଜାରି ହେଲା। ଏବେ କେତେକ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଥିବା ବେଳେ ଅନ୍ୟ ଦେଶଗୁଡ଼ିକ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।ବିନୋଦ କିଏ?

ଚଳିତବର୍ଷ ଅଗଷ୍ଟ ମାସରେ ‘ବିନୋଦ’ ଇଣ୍ଟରନେଟରେ ଟ୍ରେଣ୍ଡ କରିଥିଲା। ସୋସିଆଲ ମିଡିଆରେ ବିନୋଦ ନାଁରେ ଅନେକ ମଜାଳିଆ ମିମ୍ସ ସେୟାର ହୋଇଥିଲା। ତେଣୁ ବିନୋଦ କିଏ ବୋଲି ଜାଣିବାକୁ ଅଧିକାଂଶ ଲୋକ ଗୁଗଲରେ ସର୍ଚ୍ଚ କରିଥିଲେ।

ପ୍ରକୃତରେ ଏହି ଟ୍ରେଣ୍ଡ ସେତେବେଳେ ଆରମ୍ଭ ହୋଇଥିଲା ଯେବେ ସ୍ଲେ ପଏଣ୍ଟ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ଏକ ଭିଡିଓ ସେୟାର କଲା। ଏହି ଭିଡିଓର କମେଣ୍ଟ ସେକ୍ସନରେ ବିନୋଦ ଥାରୁ ନାମକ ଜଣେ ବ୍ୟକ୍ତି ନିଜ ନାମ ବିନୋଦ ଲେଖି କମେଣ୍ଟ କରିଥିଲେ। ଏହି କମେଣ୍ଟ ଦେଖିବା ପରେ ଭିଡିଓ ନିର୍ମାତା ଆଉ ଏକ ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, “କାହିଁକି ଭାରତୀୟ ୟୁଟ୍ୟୁବ କମେଣ୍ଟ ସେକ୍ସନରେ ବିନୋଦ ପରି ଏତେ ଖରାପ କମେଣ୍ଟ ଦେଉଛନ୍ତି?” ଏହି ଭିଡିଓଟି ଗତ ଜୁଲାଇ ୧୫ରେ ସେୟାର କରାଯାଇଥିଲା। ଏହି ଭିଡିଓ ଦେଖିବା ପରେ ଲୋକମାନେ କମେଣ୍ଟ ବକ୍ସରେ ବିନୋଦ ଲେଖି କମେଣ୍ଟ କରିବା ଆରମ୍ଭ କରିଦେଲେ। କିଛି ମିନିଟ୍ ଭିତରେ ଭିଡିଓଟି ଏତେ ଭାଇରାଲ ହୋଇଥିଲା ଯେ, ଏହା ୟୁଟ୍ୟୁବରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଯେଉଁମାନେ ଏହି ଘଟଣା ବାବଦରେ ଜାଣିନଥିଲେ ସେମାନେ ବିନୋଦ କିଏ ବୋଲି ଗୁଗଲରେ ଖୋଜିବା ଆରମ୍ଭ କରିଦେଲେ।ପ୍ଲାଜମା ଥେରାପି କ’ଣ?

ଗୁରୁତର କରୋନା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କଠାରୁ ଏହି ପ୍ଲାଜମା ସଂଗ୍ରହ କରି ରୋଗୀଙ୍କ ଶରୀରରେ ତାହାକୁ ପ୍ରୟୋଗ କରାଗଲା। ତେବେ ଏ ବିଷୟରେ ଜାଣିବା ପାଇଁ ଅନେକ ଲୋକ ପ୍ଲାଜମା ଥେରାପି କଣ ବୋଲି ଲେଖି ଗୁଗଲରେ ସର୍ଚ୍ଚ କରିଥିଲେ।

କୋଭିଡ୍ ୧୯ କ’ଣ?

ଗୁଗଲରେ ସବୁଠୁ ଅଧିକ ପଚରାଯାଇଥିବା ପ୍ରଶ୍ନ ତାଲିକାରେ ଏହା ଚତୁର୍ଥ ସ୍ଥାନରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ସଂକ୍ରମଣକୁ କୋଭିଡ୍ ୧୯ ନାମରେ ନାମିତ କରାଯାଇଥିଲା।ସିଏଏ କ’ଣ?

ମୋଦୀ ସରକାର ଦ୍ୱାରା ୨୦୧୯ରେ ନିଆଯାଇଥିବା ସବୁଠୁ ବିବାଦୀୟ ଆଇନ ମଧ୍ୟରୁ ସିଏଏ ବା ନାଗରିକତା ସଂଶୋଧନ ଆଇନ ଅନ୍ୟତମ। ଏହି ଆକ୍ଟ ଲାଗୁ ହେବା ପରେ ଲୋକମାନେ ଏହା ବିଷୟରେ ଜାଣିବା ପାଇଁ ଗୁଗଲରେ ସର୍ଚ୍ଚ କରିଥିଲେ।

ନାଗରିକତା ସଂଶୋଧନ ବିଲ୍ ବା ସିଏବି ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା। ଏହାପରେ ଏହି ବିଲ୍ ନାଗରିକତା ସଂଶୋଧନ ଆଇନରେ ପରିଣତ ହୋଇଥିଲା। ମୁସଲିମବହୁଳ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତ ଆସିଥିବା ହିନ୍ଦୁ, ଶିଖ୍, ଈସାଇ, ଜୈନ, ବୌଦ୍ଧ ଓ ପାର୍ସି ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ। ଏହି ଆଇନ ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେବ ନାହିଁ। ତେବେ ଏଥିରେ ମୁସଲିମଙ୍କୁ ସାମିଲ କରାଯାଇନାହିଁ। ଏହି ଆଇନ ଲାଗୁ ହେବା ପରେ ସାରା ଦେଶରେ ହିଂସା ଦେଖିବାକୁ ମିଳିଥିଲା।କୋଲନ୍ ସଂକ୍ରମଣ କ’ଣ?

ବଲିଉଡ ଅଭିନେତା ଇରଫାନ୍ ଖାନ୍ ଚଳିତବର୍ଷ କୋଲନ୍ ସଂକ୍ରମଣ କାରଣରୁ ପ୍ରାଣ ହରାଇଥିଲେ। ତେବେ କୋଲନ୍ ସଂକ୍ରମଣ ବିଷୟରେ ଜାଣିବା ପାଇଁ ଅଧିକାଂଶ ଲୋକ ଗୁଗଲରେ ସର୍ଚ୍ଚ କରିଥିଲେ। ପେଟର ବୃହଦନ୍ତ୍ରରେ ସଂକ୍ରମଣକୁ କୋଲନ୍ ସଂକ୍ରମଣ କୁହାଯାଏ। ଏହି ସଂକ୍ରମଣ ଦ୍ୱାରା ଜ୍ୱର, ଡାଇରିଆ, ଓଜନ ହ୍ରାସ ଆଦି ସମସ୍ୟା ଦେଖାଦିଏ।

ସୂର୍ଯ୍ୟପରାଗ କ’ଣ?

ଆସନ୍ତା ଡିସେମ୍ବର ୧୪ ତାରିଖରେ ଚଳିତବର୍ଷର ଶେଷ ସୂର୍ଯ୍ୟ ପରାଗ ହେବ। ଗତ ଜୁନ ମାସ ୨୧ ତାରିଖରେ ଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା। ତେବେ ୨୦୨୦ରେ ସୂର୍ଯ୍ୟ ପରାଗ କଣ ବୋଲି ଲୋକମାନେ ଗୁଗଲରେ ବେଶୀ ସର୍ଚ୍ଚ କରିଛନ୍ତି।ଏନଆରସି କ’ଣ?

୨୦୧୯ ମସିହାରେ ଆସାମରେ ଏନଆରସି ଲାଗୁ ହୋଇଥିଲା। ଏ ବିଷୟରେ ଜାଣିବା ପାଇଁ ଅନେକ ଲୋକ ଗୁଗୁଲରେ ସର୍ଚ୍ଚ କରିଥିଲେ। ଆସାମରେ ଥିବା ଅବୈଧ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ଏନଆରସି ଲାଗୁ ହୋଇଛି।

ହନ୍ତା ଭୂତାଣୁ କ’ଣ?

ଚଳିତବର୍ଷ ହନ୍ତା ଭୂତାଣୁ ବିଷୟରେ ଜାଣିବା ପାଇଁ ମଧ୍ୟ ଅନେକ ଲୋକ ଗୁଗଲରେ ସର୍ଚ୍ଚ କରିଥିଲେ। କରୋନା ସଂକ୍ରମଣ ସାରା ବିଶ୍ୱରେ ବ୍ୟାପିଥିବା ବେଳେ ଗତ ମାର୍ଚ୍ଚ ମାସରେ ଚୀନରେ ହନ୍ତା ଭୂତାଣୁରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମୂଷା ଓ ଗୁଣ୍ଡୁଚିମୂଷା ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ହନ୍ତା ଭୂତାଣୁ ସଂକ୍ରମଣ ହେଉଥିବା ବିଶେଷଜ୍ଞମାନେ କହିଥିଲେ।ପରିବାରବାଦ କ’ଣ?

ଚଳିତବର୍ଷ ଜୁନ ମାସରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପରିବାରବାଦ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଏ ବିଷୟରେ ଜାଣିବାକୁ ବହୁତ ଲୋକ ଗୁଗଲରେ ସର୍ଚ୍ଚ କରିଥିଲେ।

Comment