ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମୁଖପାତ୍ର ସୁବ୍ରତ ବାଗଚିଙ୍କଠାରୁ ଆରମ୍ଭ କରି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ୨୦୨୦ର ନ୍ୟୁଜ୍ ମେକର ପାଲଟିଛନ୍ତି।

ରାତି ପାହିଲେ ସରିଯିବ ୨୦୨୦। ବର୍ଷ ସାରା କରୋନା ମହାମାରୀକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ କୋଭିଡ୍ ମୁକାବିଲା ସହ ଜଡ଼ିତ କିଛି ବ୍ୟକ୍ତିବିଶେଷ ଖବର ପାଇଁ ଖୋରାକ ଯୋଗାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ସୁବ୍ରତ ବାଗଚିଙ୍କଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଆରଏମ୍ଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ବିଏମସି କମିସନର ପ୍ରେମଚାନ୍ଦ ଚୌଧାରୀ ଓ ସିଏମସି କମିସନର ଅନନ୍ୟା ଦାସ। ଏମାନେ ବର୍ଷ ତମାମ୍ ଗଣମାଧ୍ୟମର ଶିରୋନାମା ପାଲଟିଥିବାରୁ ଏମାନଙ୍କୁ କୁହାଯାଉଛି ୨୦୨୦ର ନ୍ୟୁଜ ମେକର।

କରୋନା ମୁଖପାତ୍ର ସୁବ୍ରତ ବାଗଚି

ଚଳିତବର୍ଷ ବେଶ୍ ଚର୍ଚ୍ଚାରେ ରହିଥିଲେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚି। ଓଡ଼ିଶାରେ କରୋନା ମହାମାରୀ ମୁକାବିଲା ସମୟରେ ସୁବ୍ରତ ବାଗଚିଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଥିଲା। ରାଜ୍ୟରେ ଯେତେବେଳେ କରୋନା ତାର କାୟା ବିସ୍ତାର କରିଥିଲା ସେତେବେଳେ ରାଜ୍ୟ ସରକାରଙ୍କ କରୋନା ମୁଖପାତ୍ର ଶ୍ରୀ ବାଗଚିଙ୍କ ପ୍ରେସମିଟକୁ ଦେଖିବା ଲାଗି ରାଜ୍ୟବାସୀ ଚାହିଁ ବସୁଥିଲେ। ଏହି ପ୍ରେସମିଟରେ ରାଜ୍ୟର କରୋନା ସ୍ଥିତି ଏବଂ ସରକାରଙ୍କ ଯୋଜନା ବିଷୟରେ ବାଗଚି ସୂଚନା ଦେଉଥିଲେ। ବାଗଚିଙ୍କ ସୂଚନା ଦେବା ଶୈଳୀ ଓ ବର୍ଣ୍ଣନା ଲୋକଙ୍କୁ ବେଶ୍ ପସନ୍ଦ ଆସିଥିଲା। ପ୍ରତିଦିନ ଅପରାହ୍ଣ ୪ଟା ୩୦ ମିନିଟରେ ହେଉଥିବା ଏହି ପ୍ରେସମିଟରେ ସୁବ୍ରତ ରାଜ୍ୟର କରୋନା ସ୍ଥିତି ବାବଦରେ ତଥ୍ୟ ଉପସ୍ଥାପନ କରୁଥିଲେ। ଖାଲି ସେତିକି ନୁହେଁ ବାଘ ମାମୁଁ ଗପ, ଜଗନ୍ନାଥଙ୍କ ଅଣସର କଥା ମାଧ୍ୟମରେ ସେ କରୋନା ସଚେତନତା ବାର୍ତ୍ତା ମଧ୍ୟ ଦେଉଥିଲେ।ତେବେ ଏହାର ପ୍ରାୟ ଦୁଇ ମାସ ପରେ ପ୍ରେସମିଟରେ ଆଉ ସୁବ୍ରତ ବାଗଚିଙ୍କୁ ଦେଖିବାକୁ ମିଳିନଥିଲା। ସେତେବେଳେ ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବାଗଚିଙ୍କ ଲୋକପ୍ରିୟତାକୁ ଦେଖି ରାଜ୍ୟ ସରକାର ତାଙ୍କୁ ଅଣଦେଖା କରିଥିବା ଶୁଣିବାକୁ ମିଳିଥିଲା। ଏହାର କିଛି ଦିନ ପରେ ଶ୍ରୀ ବାଗଚିଙ୍କୁ ପୁଣି ପ୍ରେସମିଟରେ ଦେଖିବାକୁ ମିଳିଥିଲା। କରୋନା ସଙ୍କଟ ସମୟରେ ବାଗଚିଙ୍କର ବଦାନ୍ୟତା ମଧ୍ୟ ଚର୍ଚ୍ଚାରେ ରହିଥିଲା। କରୋନା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବା ଲାଗି ସୁବ୍ରତ ବାଗଚି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦାନ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

କରୋନା ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ତାଙ୍କ ଦ୍ୱାରା ପ୍ରସ୍ତୁତ ଗଞାମ ମଡେଲ ବଳରେ ଦିନେ କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲା। ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ କେହି କରୋନାରେ ଆକ୍ରାନ୍ତ ହୋଇନଥିଲେ। କିନ୍ତୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇଥିଲା। ଏହାକୁ ରୋକିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ମଡେଲ ପ୍ରସ୍ତୁତ କରାଗଲା।ଲୋକ ପ୍ରତିନିଧି, ସ୍ୱାସ୍ଥ୍ୟ କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମିଳିତ ସହଯୋଗରେ ଏହି ମଡେଲକୁ ସାରା ଜିଲ୍ଲାରେ କୋଭିଡ୍ ପରିଚାଳନା କରାଗଲା। ଏହି ମଡେଲକୁ କୁହାଗଲା ଗଞ୍ଜାମ ମଡେଲ। ଏହି ମଡେଲ ଯୋଗୁ ଗଞ୍ଜାମରେ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଯାଇପାରିଲା। କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଜିଲ୍ଲାରେ ଗଞ୍ଜାମ ମଡେଲ ପ୍ରୟୋଗ କରାଯାଇଥିଲା।ଆରଏମ୍ଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି

୨୦୨୦ ରେ ଆଉ ଜଣେ ନ୍ୟୁଜ ମେକର ପାଲଟିଥିଲେ ଆରଏମ୍ଆରସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି। କରୋନା ମୁକାବିଲା କ୍ଷେତ୍ରରେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେଇ ଡକ୍ଟର ପତି ଲୋକଙ୍କୁ ସଚେତନ କରାଉଥିଲେ। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନାର ତାଜା ସ୍ଥିତି ବାବଦରେ ତଥ୍ୟ ଉପସ୍ଥାପନ କରୁଥିଲେ। ରାଜ୍ୟରେ ଆଣ୍ଟିବଡି ଟେଷ୍ଟ, ସୁସ୍ଥ ହାର ଆଦି ବିଷୟରେ ସୂଚନା ଦେବା ସହ କରୋନାକୁ କିପରି ପ୍ରତିହତ କରାଯାଇପାରିବ ସେନେଇ ସେ ଲଗାତାର ଭାବେ ରାଜ୍ୟବାସୀଙ୍କୁ ସଚେତନ କରାଉଥିଲେ।ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଜାରି ହୋଇଥିଲା। ଏହି ସମୟରେ ଘରୁ ନ ବାହାରିବା ପାଇଁ ମଧ୍ୟ ସରକାର ପରାମର୍ଶ ଦେଇଥିଲେ। ଏଥିସହ କୋଭିଡ୍ ନିୟମାବଳୀ ମଧ୍ୟ ଜାରି କରାଯାଇଥିଲା। ସେତେବେଳେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର ଓ କଟକରେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା। ଏହାଛଡ଼ା ଶ୍ରୀ ଷଡ଼ଙ୍ଗୀ ଲଗାତାର ଭାବେ ଟୁଇଟ୍ କରି ଲୋକଙ୍କୁ ସଚେତନ ହେବା ସହ ସତର୍କ ରହିବା ପାଇଁ ପରାମର୍ଶ ଦେଉଥିଲେ।ବିଏମସି କମିସନର ପ୍ରେମଚାନ୍ଦ ଚୌଧାରୀ

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ଲୋକମାନଙ୍କୁ ସୂଚନା ଦେଉଥିଲେ ବିଏମସି କମିସନର ପ୍ରେମଚାନ୍ଦ ଚୌଧାରୀ। ଏଥିସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନାକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମଧ୍ୟ ସଚେତନ କରୁଥିଲେ।ସିଏମସି କମିସନର ଅନନ୍ୟା ଦାସ

କଟକରେ କରୋନା ରିପୋର୍ଟ ନେଇ ଲୋକଙ୍କୁ ନିୟମିତ ସୂଚନା ଦେଉଥିଲେ ସିଏମସି କମିସନର ଅନନ୍ୟା ଦାସ। ଏଥିସହ କେତେ ଟେଷ୍ଟିଂ ହେଉଛି, କଟକର କେଉଁ ଅଞ୍ଚଳରେ କେତେ ଆକ୍ରାନ୍ତ ଅଛନ୍ତି, ସୁସ୍ଥ ହାର କେତେ ରହିଛି ସେ ବିଷୟରେ ମଧ୍ୟ ସେ ରୀତିମତ ସୂଚନା ଦେଉଥିଲେ।

Comment