ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷ ୨୦୨୦ ବିଦାୟ ନେବାକୁ ଯାଉଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରୋନା ମହାମାରୀ ବଳୟରେ ରହିଥିଲା ୨୦୨୦। ଏହି ଅବଧି ଭିତରେ ରାଜ୍ୟ ରାଜନୀତିରେ ଅନେକ ହଟଚମଟ, ବିବାଦ ଓ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଥିଲା। ବର୍ଷ ୨୦୨୦ରେ ଓଡ଼ିଶା ରାଜନୀତି କ୍ଷେତ୍ରରେ ଘଟିଯାଇଥିବା ଏଭଳି କିଛି ବିଷୟକୁ ନେଇ ପଢ଼ନ୍ତୁ ଆମର ଏହି ସ୍ଵତନ୍ତ୍ର ରିପୋର୍ଟ ‘ଫ୍ଲାସବ୍ୟାକ୍ ୨୦୨୦ – କରୋନା କାଳରେ ଓଡ଼ିଶା ରାଜନୀତି’।

ମହାମାରୀ ସମୟରେ ଉପନିର୍ବାଚନ ଥିଲା ସବୁଠୁ ଗୁରୁତ୍ଵପୂର୍ଣ୍ଣ ଘଟଣା। କିନ୍ତୁ ଉପନିର୍ବାଚନୀ ମଇଦାନରେ ସବୁ ରାଜନେତାଙ୍କୁ ପଛରେ ଛାଡ଼ି ଜଣେ ସାଧାରଣ ବ୍ୟକ୍ତି ବେଣୁ ମଉସା ଚର୍ଚ୍ଚାକୁ ଆସିଥିଲେ। ସେହିପରି ୩ଜଣ ବିଧାୟକଙ୍କ ପରଲୋକ ରାଜନୈତିକ ମହଲକୁ ମର୍ମାହତ କରିଥିଲା। କରୋନା କାଳରେ ରାଜ୍ୟ ବିଜେପି ଓ ପ୍ରଦେଶ କଂଗ୍ରେସକୁ ମିଳିଥିଲା ନୂଆ ପ୍ରଭାରୀ। କିଛି ନେତାଙ୍କ ପାଇଁ ୨୦୨୦ ଭଲ ଯାଇନଥିଲା। ଦଳ ବିରୋଧୀ ଏବଂ ଜନବିରୋଧୀ କାର୍ଯ୍ୟ ପାଇଁ କିଏ ଦଳରୁ ନିଲମ୍ଵିତ ହୋଇଥିଲା ତ କିଏ ବିଦା ହୋଇଥିଲା। କରୋନା ବେଳେ ଉପନିର୍ବାଚନ

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଏବଂ ବାଲେଶ୍ଵର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ନଭେମ୍ଵର ମାସରେ ଏହି ଦୁଇଟି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ହୋଇଥିଲା। ଶାସକ ଦଳ ବିଜେଡି ଏବଂ ବିରୋଧୀ ଦଳ ବିଜେପି, କଂଗ୍ରେସ ଉଭୟ କ୍ଷେତ୍ରରୁ ନିଜ ନିଜର ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ରଣଭୂମିକୁ ଓହ୍ଲାଇଥିଲେ। କିନ୍ତୁ ଉଭୟ ଆସନରେ ବାଜିମାତ୍ କରିଥିଲା ବିଜେଡି।

ତିର୍ତ୍ତୋଲ ଆସନରେ ଅନୁକମ୍ପା କାର୍ଡ ଖେଳିଥିଲା ବିଜେଡି। ଦିବଙ୍ଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରି ନିର୍ବାଚନୀ ବୈତରଣୀକୁ ଖୁବ ସହଜରେ ପାର କରିନେଇଥିଲା ଦଳ। କିନ୍ତୁ ବାଲେଶ୍ଵର ସଦରରେ ସମାନ ରାଜନୀତି କରିଥିଲା ବିଜେପି। ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ତେବେ ଅନୁକମ୍ପା କାର୍ଡ ଖେଳରେ ଭୋଟରଙ୍କ ଆସ୍ଥା ଭାଜନ କରିପାରିନଥିଲା ବିଜେପି। ବାଲେଶ୍ଵର ସଦର ଆସନରେ ଜିତାପଟ୍ ହାସଲ କରିଥିଲେ ବିଜେଡି ପ୍ରାର୍ଥୀ ସ୍ଵରୂପ କୁମାର ଦାସ। କରୋନା ମହାମାରୀର ପ୍ରକୋପ କାଳରେ ପ୍ରଥମଥର ପାଇଁ ଏପରି ଏକ ନିର୍ବାଚନ ଦେଖିଥିଲା ଓଡ଼ିଶା।ରାଜ୍ୟକୁ ଆସିଲେ ନୂଆ ପ୍ରଭାରୀ

୨୦୨୦ରେ ରାଜ୍ୟରେ ଉଭୟ ବିଜେପି ଏବଂ କଂଗ୍ରେସର ପ୍ରଭାରୀ ବଦଳିଛନ୍ତି। ସେପ୍ଟେମ୍ଵର ୧୧ ତାରିଖରେ ତାମିଲନାଡୁରୁ କଂଗ୍ରେସ ସାଂସଦ ଥିବା ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଚେଲ୍ଲାଙ୍କ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ ରାଜ୍ୟ କଂଗ୍ରେସର ପ୍ରଭାରୀ ରହିଥିଲେ।

ସେହିପରି ନଭେମ୍ଵର ୧୩ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି ପୂରନ୍ଦେଶ୍ଵରୀଙ୍କୁ ରାଜ୍ୟ ବିଜେପିର ପ୍ରଭାରୀ ଦାୟିତ୍ଵ ମିଳିଥିଲା। ୨୦୧୪ ମସିହାରୁ ଓଡ଼ିଶା ବିଜେପି ପ୍ରଭାରୀ ରହିଥିବା ଅରୁଣ ସିଂହଙ୍କ ସ୍ଥାନରେ ପୂରନ୍ଦେଶ୍ଵରୀଙ୍କୁ ଓଡ଼ିଶା ବିଜେପିର ପ୍ରଭାରୀ କରାଯାଇଥିଲେ। ପୂରନ୍ଦେଶ୍ଵରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଫିଲ୍ମ ତାରକା ଏନ୍ ଟି ରାମାରାଓଙ୍କ ପୁତ୍ରୀ।ଓଡ଼ିଶାରୁ ରାଜ୍ୟସଭାକୁ ଗଲେ ୪

ଓଡ଼ିଶାରରୁ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ଵାଇଁ, ରଞ୍ଜୀବ ବିଶ୍ଵାଲ, ସରୋଜିନୀ ହେମ୍ଵ୍ରମ୍, ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମାର୍ଚ୍ଚ ୧୮ ତାରିଖରେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏହି ୪ଜଣ ସାଂସଦ ଶାସକ ଦଳ ବିଜେଡିରୁ ଥିଲେ। ବିଜେପି କିମ୍ବା କଂଗ୍ରେସ କେହି ବି ଏଥିପାଇଁ ପ୍ରାର୍ଥୀ ଦେଇନଥିଲେ। ଯେଉଁ କାରଣରୁ ବିଜେଡିର ଚାରିଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିଥିଲେ।ଆରପାରିରେ ବିଧାୟକ

ଚଳିତ ବର୍ଷ ଓଡ଼ିଶା ରାଜନୀତିରୁ ୩ ଜଣ ବିଧାୟକଙ୍କ ପରଲୋକ ହୋଇଥିଲା। ରାଜ୍ୟରେ କରୋନାର ପ୍ରକୋପ ଝୋର ଧରିଲା ବେଳେ ଓଡ଼ିଶା ଏହି ନେତାମାନଙ୍କୁ ହରାଇଥିଲା। ଜୁନ ମାସ ୧୭ ତାରିଖରେ ବାଲେଶ୍ଵର ସଦରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକ ହୋଇଥିଲା। ମଦନଙ୍କ ପରେ ଜୁଲାଇ ୬ ତାରିଖରେ ତିର୍ତ୍ତୋଲର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ ହୋଇଥିଲା। ଦୁଇ ମାସରେ ଦୁଇଟି ବରିଷ୍ଠ ନେତାଙ୍କୁ ହରାଇବା ପରେ ଅକ୍ଟୋବର ୩ ତାରିଖରେ ପିପିଲିର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପରଲୋକ ହୋଇଥିଲା।ଦଳରୁ ବିଦା ହେଲେ ନେତା

୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯିବା ଘଟଣାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ହାତ ଛାଡ଼ିଥିଲା ଶାସକ ଦଳ ବିଜେଡି। ଫେବ୍ରୁଆରି ୧୩ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁପଙ୍କୁ ଦଳର ପ୍ରାଥମିକ ସଦସ୍ୟ ଏବଂ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କୃତ କରିଥିଲେ।

ବାଲେଶ୍ୱର ଉପ ନିର୍ବାଚନ ଭୋଟର ମାତ୍ର ଦିନକ ପରେ ବିଜେଡିରୁ ବିଦା ହୋଇଥିଲେ ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ଦଳ ବିରୋଧୀ କାମ କରୁଥିବା ହେତୁ ତାଙ୍କୁ ଦଳରୁ ବିଦା କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ତେବେ ଏତିକିରେ ଜୀବନଙ୍କ ରାଜନୀତି ସରିନଥିଲା। ନିଲମ୍ବିତ ହେବାର ମାତ୍ର ଗୋଟିଏ ଦିନ ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ଜୀବନ। ଦଳରେ ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ଦିଆଯିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଥିଲେ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତାମନଙ୍କୁ ଦଳରୁ ବାହାର କରିବାର ଅନେକ ଥର ଦେଖାଯାଇଥିଲା। ୨୦୨୦ରେ କିନ୍ତୁ ପ୍ରଥମଥର ପାଇଁ ଜନବିରୋଧୀ କାର୍ଯ୍ୟ ପାଇଁ କାହାକୁ ଦଳରୁ ବହିଷ୍କୃତ କରିବା ଥିଲା ରାଜ୍ୟ ପାଇଁ ନୂଆ। ଚଳିତ ବର୍ଷ ନଭେମ୍ଵର ୨୯ ତାରିଖରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବିଦା କରାଯାଇଥିଲା। ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହିତ ସମ୍ପର୍କକୁ ନେଇ ପ୍ରଦୀପ ବିବାଦୀୟ ହୋଇପଡ଼ିଥିଲେ। ଟାଟା କମ୍ପାନିରେ ଜାଲ୍ ନିଯୁକ୍ତି କରାଇଦେବା ନେଇ ପ୍ରଦୀପଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଏଥିସହ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବାହାଘର ସ୍ଥିର ହୋଇଥିଲା। ତେଣୁ ପାଠକ ବାପ-ପୁଅଙ୍କ କଳା କାରନାମା ବିଷୟରେ ଜଣାପଡ଼ିବା ପରେ ପ୍ରଦୀପ ପାଣିଗ୍ରାହୀ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ପ୍ରଦୀପଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ।ଚର୍ଚ୍ଚାକୁ ଆସିଥିଲେ ବେଣୁ ମଉସା

ଉପନିର୍ବାଚନ ବେଳେ ସାରା ରାଜ୍ୟରେ ଯେତେବେଳେ ରାଜନୀତିର ଏକ ବିଶେଷ ମାହୋଲ ରହିଥିଲା ସେତେବେଳେ ବାଲେଶ୍ଵରର ଜଣେ ବ୍ୟକ୍ତି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ସେ ଥିଲେ ବାଲେଶ୍ଵର ସଦର ଉପନିର୍ବାଚନର ସ୍ଵାଧୀନ ପ୍ରାର୍ଥୀ ୮୦ ବର୍ଷୀୟ ବେଣୁଧର ବାରିକ ଓରଫ୍ ବେଣୁ ମଉସା। ବୟସର ଅପରାହ୍ଣରେ ନିର୍ବାଚନ ଲଢ଼ି ସମସ୍ତଙ୍କ ପାଇଁ ଏକ ଉଦାହରଣ ସାଜିଥିଲେ ବେଣୁ ମଉସା।

ଗୋଟେ ପଟେ ଶାସକ ବିଜେଡି ଏବଂ ବିରୋଧୀ ବିଜେପି, କଂଗ୍ରେସର ପ୍ରାର୍ଥୀମାନେ ଜୋରଦାର ନିର୍ବାଚନୀ ପ୍ରଚାର କରୁଥିଲେ। କିନ୍ତୁ ସମସ୍ତଙ୍କୁ ଆକର୍ଷିତ କରିଥିଲା ବେଣୁ ମଉସାଙ୍କ ନିଆରା ପ୍ରଚାର। ବେଣୁ ମଉସାଙ୍କୁ ସମର୍ଥନ କରିବାକୁ ଓଡ଼ିଆ ଯାତ୍ରା ଜଗତର ଡ୍ୟାନ୍ସର କୁଇନ ରାଣୀ ପଣ୍ଡା ବାହାରିଥିଲେ। ତାଙ୍କ ପରେ ଅଭିନେତ୍ରୀ ରାନୀ ସାହୁ ଏବଂ କିନ୍ନର ସଂଘ ମଧ୍ୟ ମଉସାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ।

ପ୍ରଥମେ ଖାଲି ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସାଙ୍କୁ ପରେ ଦାମୀ ଗାଡ଼ିରେ ଦେଖିଥିଲେ ଲୋକେ। କହିବାକୁ ଗଲେ ସେତେବେଳେ ଗଣମାଧ୍ୟମ ପାଇଁ ଏକପ୍ରକାର ଖୋରାକ ପାଲଟିଥିଲେ ବେଣୁ ମଉସା। ସୋସିଆଲ ମିଡିଆରେ ଭୋଟ ଫର୍ ବେଣୁ ମଉସା… କ୍ୟମ୍ପେନ ଜୋର ଧରିଥିଲା। କିନ୍ତୁ ଏତେସବୁ ପରେ ନିର୍ବାଚନୀର ବୈତରଣୀକୁ ପାର୍ କରିପାରିନଥିଲେ ବେଣୁଧର ବାରିକ। ନିର୍ବାଚନ ସରିଗଲା, କିନ୍ତୁ ବେଣୁ ମଉସାଙ୍କୁ କେହି ସହଜରେ ଭୁଲିପାରିଲେ ନାହିଁ।

Comment