ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ବିଭିନ୍ନ ଜାତୀୟସ୍ତରୀୟ ପରୀକ୍ଷାରେ ବହୁ ଓଡ଼ିଆ ବାଜିମାତ୍ କରିଛନ୍ତି।

କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେବେ ଏହାରି ଭିତରେ ଓଡ଼ିଶାକୁ ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି କିଛି ଓଡ଼ିଆ ଶିକ୍ଷାର୍ଥୀ। ୟୁପିଏସସି, ଜେଇଇ, ନିଟ୍ ପରି ବିଭିନ୍ନ ଜାତୀୟସ୍ତରୀୟ ପରୀକ୍ଷାରେ ଏମାନେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ନିଟ୍ ଟପ୍ପର ସୋଏବ ଅଫତାବ୍

ଚଳିତବର୍ଷ ନିଟ୍ ପରୀକ୍ଷାରେ ସାରା ଦେଶରେ ଟପ୍ପର ହୋଇଥିଲେ ଓଡ଼ିଶାର ସୋଏବ ଅଫତାବ୍। ଏହି ପରୀକ୍ଷାରେ ୭୨୦ରୁ ୭୨୦ ମାର୍କ ରଖି ସେ ଇତିହାସ ରଚିଥିଲେ। କାରଣ ସୋଏବଙ୍କ ପୂର୍ବରୁ କୌଣସି ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିନଥିଲେ। ଗତ ସେପ୍ଟେମ୍ବର ୧୩ ତାରିଖରେ ହୋଇଥିବା ନିଟ୍ ପରୀକ୍ଷାରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରଥମ ହୋଇ ସୋଏବ୍ ରାଜ୍ୟକୁ ଗର୍ବିତ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଆଇଇଏସ୍ ଟପ୍ପର ଅଂଶୁମାନ କାମିଲା

କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯-୨୦ ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍) ପରୀକ୍ଷାରେ ଟପ୍ପର ହୋଇଥିଲେ ଓଡ଼ିଆ ଯୁବକ ଅଂଶୁମାନ କାମିଲା। ଆଇଇଏସ୍ ପଦବୀ ପୂରଣ ଲାଗି ମନୋନୀତ ହୋଇଥିବା ୩୨ ଜଣଙ୍କ ମଧ୍ୟରୁ ଅଂଶୁମାନ ପ୍ରଥମ ହୋଇଥିଲେ।

ୟୁପିଏସସି ଅଷ୍ଟମ ରାଙ୍କରେ ଅଭିଷେକ ସରାଫ୍

ଚଳିତବର୍ଷ ୨୦୧୯ ବର୍ଷର ୟୁନିୟନ ପବ୍ଲିକ ସର୍ଭିସ୍ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ଓଡ଼ିଆ ପୁଅ ଅଭିଷେକ ସରାଫ୍ ଅଷ୍ଟମ ରାଙ୍କ୍ ହାସଲ କରିବା ସହ ଆଇଏଏସ୍ ହୋଇଥିଲେ।ଆଇଏଏସ୍ ହେଲେ ଓଡ଼ିଆ ବୋହୂ ସଞ୍ଜିତା

୨୦୧୯ର ୟୁପିଏସସି ପରୀକ୍ଷାରେ ଆଉ ଜଣେ ଓଡ଼ିଆ ଟପ୍ ୧୦ରେ ରହିଥିଲେ। ସେ ହେଲେ ଓଡ଼ିଆ ବୋହୂ ସଞ୍ଜିତା ମହାପାତ୍ର। ଏହାପୂର୍ବରୁ ସଞ୍ଜିତା ୨୦୧୭ରେ ଅନୁଷ୍ଠିତ ଓପିଏସସି ପରୀକ୍ଷାରେ ଦ୍ୱିତୀୟ ରାଙ୍କ୍ ହାସଲ କରିଥିଲେ।

ଜେଇଇ ଓଡ଼ିଶା ଟପ୍ପର ସୌରଭ ସୌମ୍ୟକାନ୍ତ ଦାଶ

ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିଲା ଜେଇଇ ମେନ୍ ରେଜଲ୍ଟ। ଏଥିରେ ଓଡ଼ିଶା ଟପ୍ପର ହୋଇଥିଲେ ସୌରଭ ସୌମ୍ୟକାନ୍ତ ଦାଶ। ସେ ୯୯.୯୯ ପ୍ରତିଶତ ନମ୍ବର ରଖିଥିଲେ। ସର୍ବଭାରତୀୟ ସ୍ତରରେ ସୌରଭ ୧୨୮ ରାଙ୍କ୍ ହାସଲ କରିଥିଲେ।

Comment