ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୦ର ଅପରାଧ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା ପାଟଣାଗଡ଼ର ଗଣହତ୍ୟା ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରରୁ ଗଡ଼ିଯାଇଥିଲା ୬ ମୁଣ୍ଡ। ଅତିନିର୍ମମ ଭାବେ ସମସ୍ତଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚହଳ ପଡ଼ିଥିଲା। ତେବେ ପୂରା ଘଟଣାଟି କ’ଣ ଥିଲା ଆସନ୍ତୁ ଜାଣିବା ଓଡ଼ିଶାଲାଇଭ୍‌ ଫ୍ଲାସବ୍ୟାକ୍ ୨୦୨୦ର ଏହି ରିପୋର୍ଟରେ।

କ’ଣ ଥିଲା ପୂରା ଘଟଣା?

ସେଦିନ ଥାଏ ନଭେମ୍ଵର ମାସ ୧୧ ତାରିଖ। ବଲାଙ୍ଗିର ପାଟଣାଗଡ଼ର ସଅଁରପଡ଼ା ଗ୍ରାମ। ଦିନ ୧୦ଟା ପର୍ଯ୍ୟନ୍ତ ବୁଲୁ ଜାନିଙ୍କ ଘର କବାଟ ବନ୍ଦ ଥିବା ଦେଖି ତାଙ୍କର କିଛି ଅସୁବିଧା ହୋଇଛି ଭାବି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ବୁଲୁଙ୍କ ଘର କବାଟ ଭାଙ୍ଗି ଭିତରକୁ ପଶିଲା। ଏହାପରେ ଘର ଭିତରେ ବୁଲୁ ଜାନିଙ୍କ ସମେତ, ତାଙ୍କ ସ୍ତ୍ରୀ ଜ୍ୟେତି ଜାନି, ଦୁଇ ଝିଅ ସରିତା ଓ ଶ୍ରେୟା, ଦୁଇ ପୁଅ ଭିଷ୍ମା ଓ ସଞ୍ଜିବ ମୋଟ୍ ୬ ଜଣଙ୍କ ମୃତଦେହ କମ୍ଵଳରେ ଘୋଡ଼ାହୋଇ ପଡ଼ିରହିଥିବା ଦେଖିବାକୁ ପାଇଥିଲା ପୋଲିସ।ଘଟଣା ସ୍ଥଳରୁ ପୋଲିସକୁ ଏକ ଟାଙ୍ଗିଆ ମିଳିଥିଲା। ଏଥିସହ ସମସ୍ତ ମୃତବ୍ୟକ୍ତିଙ୍କ ମୁଣ୍ଡରେ କ୍ଷତ ଚିହ୍ନ ରହିଥିଲା। ଘର ବାହରେ ଏକ ହଳଦୀ ଲଗା କଳସୀ, ଲେମ୍ଵୁ ଆଦି ମଧ୍ୟ ରହିଥିଲା। ଗୁଣି ଗାରେଡ଼ି ପାଇଁ ବୋଧହୁଏ ସେମାନଙ୍କୁ କିଏ ହତ୍ୟା କରିଛି, ନହେଲେ ମୃତକଙ୍କ ଭିତରୁ ଜଣେ କିଏ ସମସ୍ତଙ୍କୁ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବେ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା। ତେବେ ଏହା ଏକ ଗଣହତ୍ୟା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଥିଲା।ହତ୍ୟା ପଛରେ ରହିଥିଲା ପୂର୍ବ ଶତ୍ରୁତା

ଗଣହତ୍ୟାର ତଦନ୍ତରୁ ଜଣାପଡ଼ିଥିଲା ଯେ, ବୁଲୁ ଜାନି ପ୍ରାୟ ୧୦ରୁ ୧୫ ବର୍ଷ ହେବ ସଅଁରପଡ଼ାରେ ରହିଆସୁଛନ୍ତି। କେବଳ ଯେ ବୁଲୁ ଜାନି ନୁହଁନ୍ତି, ସେହି ଅଞ୍ଚଳର ସମସ୍ତ ପରିବାର ବିହାରରୁ ଓଡ଼ିଶା ଆସିଥିଲେ। ଏଠାରେ ମହୁ ବେପାର କରି କ୍ରମେ ସମସ୍ତେ ସଅଁରପଡ଼ାର ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ।

ସେହି ଅଞ୍ଚଳର ବାବୁଲାଲ ଜାନି, ଗାଙ୍ଗୁଆ ମାଝି ଏବଂ ଛାୟା ଗଣ୍ଡଙ୍କ ପରିବାର ସହ ବୁଲୁ ଜାନିଙ୍କର ଶତ୍ରୁତା ରହିଥିଲା। ପ୍ରାୟ ସବୁବେଳେ କିଛି କାରଣକୁ ନେଇ ସେମାନଙ୍କ ଭିତରେ ଝଗଡ଼ା ଲାଗିରହିଥାଏ। ଏପରିକି ସେହି ତିନୋଟି ପରିବାର ବୁଲୁ ଜାନିଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଗାଁ ଛାଡ଼ି ଅନ୍ୟତ୍ର ରହୁଥିଲେ। କିନ୍ତୁ ପ୍ରତିଶୋଧ ନେବାପାଇଁ ତିନୋଟି ପରିବାର ସବୁବେଳେ ବୁଲୁଙ୍କ ଉପରେ ନଜର ରଖୁଥିଲେ।କେମିତି ହୋଇଥିଲା ହତ୍ୟା?

ବୁଲୁ ଜାନିଙ୍କଠାରୁ ପ୍ରତିଶୋଧ ନେବାପାଇଁ ବାବୁଲାଲ, ଛାୟା ଏବଂ ଗାଙ୍ଗୁଆ ସୁଯୋଗ ଖୋଜୁଥିଲେ। ଏଥିପାଇଁ ଗତ ଅକ୍ଟୋବର ମାସରେ ବାବୁଲାଲ ନବରଙ୍ଗପୁର ଯାଇ ଗାଙ୍ଗୁଆ ମାଝିକୁ ଭେଟିଥିଲେ। ଉଭୟ ମିଶି ବୁଲୁ ଜାନିକୁ ମାରିବାର ଯୋଜନା କରିଥିଲେ। ଛାୟା ଗଣ୍ଡକୁ ବି ଏହି ଯୋଜନାରେ ମିଶାଯାଇଥିଲା।

ଏହାପରେ ସୁଯୋଗ ଦେଖି ସେମାନେ ଅନ୍ୟ କିଛି ଲୋକଙ୍କୁ ନେଇ ନଭେମ୍ଵର ୧୦ ତାରିଖରେ ସଅଁରପଡ଼ା ଯାଇଥିଲେ। ବିଳମ୍ବିତ ରାତିରେ ବୁଲୁ ଯେତେବେଳେ ବାହାରକୁ ଉଠିଥିଲେ ସେତେବେଳେ ଦୁର୍ବୁତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ତାଙ୍କ ଦେହରେ ଗୁଳି ବାଜି ନଥିଲା।ବୁଲୁ ଘର ଭିତରକୁ ଦୌଡ଼ି ପଳାଇଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ସମସ୍ତଙ୍କୁ ହତ୍ୟା କରିଥିଲେ।

ଯୋଜନା ଥିଲା କେବଳ ବୁଲୁ ଆଉ ତା ସ୍ତ୍ରୀକୁ ମାରିବାର, କିନ୍ତୁ ଯଦି ତାର ପିଲାମାନଙ୍କୁ ଛାଡ଼ିଦିଆଯାଏ ତେବେ ସେମାନେ ବଡ଼ ହୋଇ ପ୍ରତିଶୋଧ ନେବେ। ତେଣୁ ଦୁର୍ବୃତ୍ତମାନେ ବୁଲୁଙ୍କ ପରିବାରର ସମସ୍ତଙ୍କୁ ଗୋଟି ଗୋଟି କରି ମାରିଦେଇଥିଲେ। ମାରିବା ପରେ ସେମାନଙ୍କ ମୃତଦେହକୁ କମ୍ଵଳରେ ଘୋଡ଼ାଇ ଯେଉଁ ବାଟେ ଆସିଥିଲେ, ସେହିବାଟେ ଚାଲିଯାଇଥିଲେ। ଗଲାବେଳେ ରାସ୍ତାରେ ସମସ୍ତ ଅସ୍ତ୍ରଗୁଡ଼ିକୁ ଲୁଚାଇ ଦେଇଥିଲେ।୭ ଜଣଙ୍କୁ ଗିରଫ କରିଥିଲା ପୋଲିସ

ବଲାଙ୍ଗିର ଗଣହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ବାବୁଲାଲ ଜାନି, ଛାୟା ଗଣ୍ଡ ଏବଂ ଗାଙ୍ଗୁଆ ମାଝି। ଏମାନଙ୍କ ସହ ହତ୍ୟା ଘଟଣାରେ ଯେଉଁମାନେ ଜଡ଼ିତ ଥିଲେ ସମସ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେଟ୍ ପୋଲିସ ମୋଟ୍ ୭ଜଣ ଅପରାଧୀଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅପରାଧୀମାନେ ଥିଲେ ବାବୁଲାଲ ଜାନି, ଛାୟା ଗଣ୍ଡ, ବଳଦେବ ଗଣ୍ଡ, ଭୋଳା ଜାନି, ମନିଶ ଗଣ୍ଡ, ଶିବା ଜାନି ଏବଂ ବିକଳ କଏରୀ।

ସେମାନଙ୍କଠାରୁ ୩ଟି ଗାଡ଼ି ଆଉ କିଛି ମାରଣାସ୍ତ୍ର ଜବତ ହୋଇଥିଲା। ପୂର୍ବ ଶତ୍ରୁତା ପାଇଁ ଏମାନେ ବୁଲୁ ଜାନି ଏବଂ ତାଙ୍କ ପରିବାରଲୋକଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଥିଲେ। କିପରି ହତ୍ୟା ଯୋଜନା ହୋଇଥିଲା, କେମିତି ସେମାନେ ରାତିରେ ଆସି ହତ୍ୟା କରି ଚାଲିଯାଇଥିଲେ, ଏସବୁ ବାଦବରେ ପୋଲିସକୁ କହିଥିଲେ। ଏହାପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରଯାଇଥିଲା।

Comment