ଓଡ଼ିଶାଲାଇଭ୍ ବ୍ୟୁରୋ

୫୦୦ ବୁଲା କୁକୁରଙ୍କୁ ବାହାଘର ଭୋଜି ଦେଇ ଚର୍ଚ୍ଚାକୁ ଆସିଥିଲେ ଭୁବନେଶ୍ୱରର ନବ ଦମ୍ପତି ୟୁରେକା ଆପଟା ଓ ତାଙ୍କ ପତ୍ନୀ ଜୋଆନା ଓ୍ୱାଙ୍ଗ। ଏ ବିଷୟରେ ଅଧିକ ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସବ୍ୟାକ୍ ୨୦୨୦ର ଏହି ରିପୋର୍ଟରେ।

ସାଧାରଣତଃ ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଲୋକମାନେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି। ବଡ଼ ବଡ଼ ହୋଟେଲରେ ଭୋଜି କରି ଅତିଥିମାନଙ୍କୁ ଆପ୍ୟାୟିତ କରିଥାନ୍ତି। କିନ୍ତୁ ନିଜ ବିବାହ ଉତ୍ସବରେ ଏହି ଧାରାରୁ ଅଲଗା ହୋଇ ଭୁବନେଶ୍ୱରର ଜଣେ ନବ ଦମ୍ପତି ୫୦୦ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଥିଲେ। ଗତ ସେପ୍ଟେମ୍ବର ମାସରେ ରାଜଧାନୀରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

କୁକୁରଙ୍କୁ ବାହାଘର ଭୋଜି ଦେଇଥିବା ଏହି ନବ ଦମ୍ପତି ହେଲେ ୟୁରେକା ଆପଟା ଓ ତାଙ୍କ ପତ୍ନୀ ଜୋଆନା ଓ୍ୱାଙ୍ଗ। ୟୁରେକା ଜଣେ ଫିଲ୍ମ ନିର୍ମାତା ହୋଇଥିବା ବେଳେ ଜୋଆନା ହେଉଛନ୍ତି ଜଣେ ଦନ୍ତ ଚିକିତ୍ସକ। ସେମାନେ ଗତ ସେପ୍ଟେମ୍ବର ୨୫ ତାରିଖରେ ଭୁବନେଶ୍ୱରରେ ପ୍ରେମ ବିବାହ କରିଥିଲେ। କିନ୍ତୁ କରୋନା କଟକଣା ଯୋଗୁ ବେଶ୍ ନିରାଡ଼ମ୍ବର ଭାବେ ହୋଇଥିଲା ସେମାନଙ୍କ ବିବାହ। ନା ଥିଲା ବାଜା, ନା ଥିଲା ବାଣ। ବରଯାତ୍ରୀ ମଧ୍ୟ ନଥିଲେ। କିନ୍ତୁ ଏହି ବାହାଘର ଥିଲା ସବୁଠୁ ନିଆରା। କାରଣ ଏହି ଦମ୍ପତି ନିଜ ବାହାଘରରେ ଅଯଥା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ନ କରି ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ଚିନ୍ତା କରିଥିଲେ।ଗୋଟିଏ କି ଦୁଇଟି ନୁହେଁ ଏକାଥରେ ପାଞ୍ଚ ଶହ କୁକୁରଙ୍କୁ ଖାଇବାକୁ ଦେଇଥିଲେ ଭୁବନେଶ୍ୱରର ଏହି ଦମ୍ପତି। ଏଥିପାଇଁ ସେମାନେ ‘ଲୋକାଲ ଆନିମଲ ରେସ୍କ୍ୟୁ ଅର୍ଗାନାଇଜେସନ’ର ସାହାଯ୍ୟ ନେଇଥିଲେ। ଆନିମଲ ଓ୍ୱେଲଫେୟାର ଟ୍ରଷ୍ଟ ଏକାମ୍ର (AWTE) ଏହି ଦମ୍ପତିଙ୍କ ତରଫରୁ କୁକୁରମାନଙ୍କୁ ଖାଇବାକୁ ଦେଇଥିଲେ। କରୋନା ମହାମାରୀ ସମୟରେ ଏଭଳି ମହତ କାମ କରିଥିବାରୁ ଏହି ଦମ୍ପତି ବେଶ୍ ଚର୍ଚ୍ଚିତ ହୋଇଥିଲେ। ଏଥିସହ ସେମାନଙ୍କ ପାଖକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଥିଲା।ଏଭଳି ଅଭିନବ ପଦକ୍ଷେପ ବାବଦରେ ଏହି ନବ ଦମ୍ପତି କହିଥିଲେ, ‘‘ଏମିତି କରି ଆମେ ଲୋକଙ୍କୁ ସଚେତନ କରାଇବାକୁ ଚାହୁଁଛୁ। ପଶୁମାନଙ୍କ ପ୍ରତି ଲୋକ ସମ୍ବେଦନଶୀଳ ହୁଅନ୍ତୁ, ମେସାନଙ୍କ ପ୍ରତି ଭଲ ପାଇବା ଦେଖାନ୍ତୁ। ଯଦି ଏହି କାମ ଦେଖି କେହି ପ୍ରେରିତ ହୋଇଥିବେ ତେବେ ତାହା ହିଁ ଆମ ପାଇଁ ଆଶୀର୍ବାଦ।”

ନିଜ ମା’ ଓ ଜେଜେ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ୟୁରେକା ଓ ଜୋଆନା ଏଭଳି ନିଆରା ଢଙ୍ଗରେ ନିଜ ବାହାଘର ଉତ୍ସବ ମନେଇଥିଲେ ଆଉ ବନି ଯାଇଥିଲେ ସମସ୍ତଙ୍କ ପାଇଁ ଉଦାହରଣ।

Comment