ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସହରରେ ହେବ ସର୍ବଦଳୀୟ ଶାନ୍ତି ଶୋଭାଯାତ୍ରା
  • ସାମିଲ ହେବେ ପ୍ରଶାସନିକ ଅଧିକାରୀ, ରାଜନେତା
  • ହାଇସ୍କୁଲ ପଡ଼ିଆରେ ହେବ ସୀମା ନିର୍ଦ୍ଧାରଣ

କେନ୍ଦ୍ରାପଡ଼ାରେ ଫେରିବ ଶାନ୍ତି। ସକାଳ ୮ଟା ପରେ କର୍ଫ୍ୟୁ ଉଠାଇବ ପ୍ରଶାସନ। ଶାନ୍ତି କମିଟି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଗତ ଦୁଇ ଦିନ ଧରି କେନ୍ଦ୍ରାପଡା ସହରରେ ନେତାଜୀ ଜୟନ୍ତୀ ପାଳନକୁ କେନ୍ଦ୍ରକରି ଦେଖାଦେଇଥିବା ଅଶାନ୍ତିର ବାତାବରଣ ଆଜି ପ୍ରଶମିତ ହୋଇଛି। ପ୍ରଶାସନ ସହରରେ ଜାରି କରିଥିବା କର୍ଫ୍ୟୁ ଆସନ୍ତାକାଲି ଦିନ ୮ ଟା ପରେ ଉଠାଇ ଦେବାକୁ ପ୍ରଶାସନ ସ୍ଥିର କରିଛି । କର୍ଫ୍ୟୁ ଉଠିବା ପରେ ସହରରେ ସର୍ବ ଦଳୀୟ ଶାନ୍ତି ଶୋଭାଯାତ୍ରା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କରାଯିବାକୁ ନିଷ୍ପତ୍ତି ହୋଇଛି।

କେନ୍ଦ୍ରାପଡ଼ା ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଏସ୍‌ପିଙ୍କ କାର୍ଯାଳୟ ପରିସରରେ ଗୁରୁବାର ସନ୍ଧ୍ୟା ବେଳେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି ବିଷ୍ଣୁପଦ ସେଠୀ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ଶକ୍ତି ଶଚିବ ହେମନ୍ତ ଶର୍ମା, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅଲେଖ ଜେନା, କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡ଼ା, ଜିଲ୍ଲାପାଳ ଦାଶରଥୀ ଶତପଥୀ, ଏସ୍‌ପି ନିତିଶେଖର ପ୍ରମୁଖ ଉପସ୍ଥିତ ରହିଥିଲେ। ଉଭୟ ସମ୍ପ୍ରଦାୟର ମୁରବିମାନେ ଉପସ୍ଥିତ ରହି ଜିଲ୍ଲାରେ ବଢ଼ି ଚାଲିଥିବା ଅଶାନ୍ତିରେ ପୂର୍ଣ୍ଣଛେଦ ଟାଣିବାକୁ ନିଷ୍ପତ୍ତି ନେଇଥିଲେ।

ଶୁକ୍ରବାର ସକାଳ ୮ ଟାରେ କର୍ଫ୍ୟୁ ଉଠିବା ପରେ ଉଭୟ ସମ୍ପ୍ରଦାୟର ପ୍ରତିନିଧି, ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ଜିଲ୍ଲାପାଳ, ଏସ୍ ପି ହୋଇ ଏକ ଶାନ୍ତି ଶୋଭାଯାତ୍ରାରେ ସାମିଲ ହେବେ। ଏହି ଶୋଭାଯାତ୍ରା ସହରର ପୁରୁଣା ମଟର ଷ୍ଟାଣ୍ଡରୁ ବାହାରି ନୂଆ ବସ ଷ୍ଟାଣ୍ଡ ଯାଏଁ ଯିବ।

କେନ୍ଦ୍ରପଡ଼ା ହାଇସ୍କୁଲ ପଡ଼ିଆକୁ ବିବାଦ ମୁକ୍ତ କରିବାକୁ ପଡ଼ିଆର ସୀମା ନିର୍ଦ୍ଧାରଣ କରାଯାଇ ଚାରିପାଖରେ ପାଚେରୀ ନିର୍ମାଣ କରିବାକୁ ଶାନ୍ତି କମିଟିରେ ନିଷ୍ପତ୍ତି ନିଆଯାଇଛି ।

ଏହାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶାନ୍ତି କମିଟି ନିଷ୍ପତ୍ତି ନେଇଛି।

Comment