ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର)

ପଶ୍ଚିମଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପନେବାରେ ଲାଗିଛି। ଗତ ୫ମାସ ହେଲା, ଓକିଲମାନଙ୍କ ଦ୍ୱାରା କଳାପତକା ଶୋଭାଯାତ୍ରା, ରାଲି, ଅନଶନ ଜାରି ରହିଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପରକୁ ଚିଠି ଲେଖି ଚୁପ୍‌ ବସିଥିଲେ। ତେଣୁ ଆନ୍ଦୋଳନକୁ ଗାଁ ଗାଁରେ ପହଞ୍ଚାଇ ଲୋକମାନଙ୍କୁ ସରକାରଙ୍କ ଅବହେଳା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ‘ଜ୍ୟୋତି ରଥ’ ଅଭିଯାନ। ପଶ୍ଚିମଓଡ଼ିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏହି ‘ଜ୍ୟୋତି ରଥ’ ଅଭିଯାନ ଆରମ୍ଭ କରିଛି।

ଗତ ଜାନୁଆରି ୨୩ତାରିଖରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରୁ ଆରମ୍ଭ ହୋଇଥିଲା ଏହି ହାଇକୋର୍ଟ ଜ୍ୟୋତି ରଥ। ଏହା ଫେବ୍ରୁଆରି ୨୮ତାରିଖ ପର୍ଯ୍ୟନ୍ତ ବୁଲିବା ପରେ ସମ୍ବଲପୁରରେ ଉଦ୍‌ଯାପିତ ହେବ। ଏହି ହାଇକୋର୍ଟ ମଶାଲ ରଥ ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାର ପ୍ରତ୍ୟକ ଗାଁ ଓ ସହରାଞ୍ଚଳ ବୁଲି, ସଭା କରି, ସରକାରଙ୍କ ଅବହେଳା ସଂପର୍କରେ ଜନସଚେତନତା ସୃଷ୍ଟି କରି ଆନ୍ଦୋଳନକୁ ବୃଦ୍ଧି କରିବାକୁ ପ୍ରୟାସ କରିଛି।

ଏହି ଅଭିଯାନ ମଧ୍ୟରେ ଯଦି ସରକାର ପଶ୍ଚିମଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଠୋସ୍‌ ପଦକ୍ଷେପ ଗ୍ରହଣ ନକରିନ୍ତି, ‘ତେବେ ନୋ-କୋର୍ଟ,ନୋ-ଭୋଟ୍‌’ ନାରା ଦେଇ ସାରା ପଶ୍ଚିମଓଡ଼ିଶା ସରକାରଙ୍କୁ ଚେକ୍‌ ଦେବ ବୋଲି ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି।

କମିଟିର ପ୍ରବକ୍ତା ସୁରେଶ୍ୱର ମିଶ୍ରଙ୍କ କହିଛନ୍ତି, ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ କମ୍ପୋଜିଟ୍‌ ପ୍ରସ୍ତାବ ପଠାଇବା ସହ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମତାମତ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ନପଠାଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆବଶ୍ୟକ ପଡ଼ିଲେ ଆସନ୍ତା ନିର୍ବାଚନରେ ସରକାରଙ୍କୁ କଡ଼ା ଜବାବ ଦେବ ପଶ୍ଚିମଓଡିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

ସେହିପରି ଆଗକୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବା ସହ ସରକାରଙ୍କୁ ମୁହାଁମୁହିଁ  ଜବାବ ଦେବ ବୋଲି ଓକିଲ ସଂଘ ଯୋଜନା କରିଥିବା କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ।

ପୁର୍ବରୁ ଏହ କେବଳ ଓକିଲମାନଙ୍କ ଆନ୍ଦୋଳନ ହୋଇ ରହୁଥିବା ବେଳେ, ବର୍ତ୍ତମାନ ଏହା ସାଧାରଣ ଲୋକଙ୍କ ଆନ୍ଦୋଳନରେ ରୁପାନ୍ତରିତ ହୋଇଛି। ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାର ୨ଶହରୁ ଅଧିକ ସଙ୍ଗଠନ ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ଶନିବାର ସାଧାରଣତନ୍ତ୍ର ଜିଲ୍ଲା ପ୍ରଶାସନ ସାଧାରଣତନ୍ତ୍ର ଦିବସ  ପାଳନ କରୁଥିବା ସ୍ଥାନର ଠିକ୍‌ ଆଗରେ ଶହଶହ ଓକିଲ ବିପ୍ଲବୀ ସାଧାରଣତନ୍ତ୍ର ଦିବସ ପାଳନ କରିବେ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପଶ୍ଚିମଓଡ଼ିଶା ପ୍ରତି କିପରି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି ସେ ନେଇ ପ୍ରଚାର କରିବ ସମ୍ବଲପୁର ଜିଲ୍ଲା ଓକିଲସଂଘ।

LEAVE A REPLY

Please enter your comment!
Please enter your name here