ଓଡ଼ିଶାଲାଇଭ୍ ବ୍ୟୁରୋ

  • ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ 
  • ସେପ୍ଟେମ୍ବର ୨୦ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ପାଳନ ହେବ ନୂଆଁଖାଇ
  • ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଲୋକେ ନୂଆ ଅନ୍ନ ଖାଇବେ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ। ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ପାଇଁ ତିଥି ଧାର୍ଯ୍ୟ ହୋଇଛି। ଗୁରୁବାର ସମ୍ବଲପୁରର ବ୍ରହ୍ମପୁରା ମନ୍ଦିରରେ ଆୟୋଜିତ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି।

ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୪୨ ମିନିଟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ସାରା ପଶ୍ଚିମ ଓଡ଼ିଶାବାସୀ ନୂଆ ଅନ୍ନ ଖାଇବେ।

ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ ପାଇଁ ଗୁରୁବାର ଆୟୋଜିତ ପଣ୍ଡିତ ମହାସଭାରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା। ଏଠାରେ ମା’ ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ଏହାପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ପୂଜକମାନେ ମା’ ସମଲେଶ୍ଵରୀଙ୍କଠାରେ ଲଗ୍ନପତ୍ର ଅର୍ପଣ କରିଥିଲେ।

ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ ପାଇଁ ପଣ୍ଡିତ ମହାସଭାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସଭାପତି ସରୋଜ ଦଳପତି, ଅନ୍ୟ ସଦସ୍ୟ ଶୁଭେନ୍ଦୁ ମିଶ୍ର, ସଂଜୟ କୁମାର ମିଶ୍ର, ସୀତାକାନ୍ତ ପାଣିଗ୍ରାହୀ ଯୋଗଦେଇଥିଲେ। ସେହିପରି ପଣ୍ଡିତ ରବିନାରାୟଣ ପଣ୍ଡା, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ପ୍ରସାଦ ମିଶ୍ର ପ୍ରମୁଖ ଲଗ୍ନ ଧାର୍ଯ୍ୟ କରିଥିଲେ।

Tags: #Nuakhai #MaaSamaleswari #WesternOdisha #Festival #Sambalpur #Odisha

Comment