ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତ୍ନୀ ଗାଧୋଉ ନଥିବାରୁ ତଲାକ ମାଗିଛନ୍ତି ସ୍ୱାମୀ। ଏଭଳି ଅଭିଯୋଗ କରି ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି ପତି। ବିହାରର ପାଟନା ମସୌଢ଼ି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଦ୍ଭୁତ ଘଟଣା।

ବର୍ଷକ ପୂର୍ବରୁ ନବଦମ୍ପତିଙ୍କ ବାହାଘର ହୋଇଥିଲା। ବର୍ଷ ପୂରିବାର ଦିନ କେଇଟା ଭିତରେ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ପତ୍ନୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ମହିଳା କମିଶନ ସ୍ୱାମୀ ନିକଟକୁ ନୋଟିସ ପଠାଇଲେ। ନୋଟିସ ପାଇ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ପତି। କମିଶନଙ୍କ  ନିକଟରେ ସ୍ୱାମୀ ଯେଉଁସବୁ ଅଭିଯୋଗ ରଖିଲେ ତାହା ଆଚମ୍ବିତ କରିଥିଲା। ଅଭିଯୋଗ ଶୁଣି ଖୋଦ୍ ମହିଳା କମିଶନ ଆଶ୍ଚର୍ଯ୍ୟ ହୋଇଥିଲେ।

ସ୍ୱାମୀଙ୍କ ଅଭିଯୋଗ ହେଉଛି ତାଙ୍କ ପତ୍ନୀ ଆଦୌ ଗାଧୋଉ ନାହାନ୍ତି। ଏମିତିକି ମୁଣ୍ଡ ବି ଧୋଉ ନାହାନ୍ତି। ତାଙ୍କ ଦେହରୁ ଦୁର୍ଗନ୍ଧ ଆସୁଛି। ତେଣୁ ମୁଁ ତାଙ୍କ ଠାରୁ ଛାଡ଼ପତ୍ର ଚାହୁଁଛି। ସେ ଆହୁରି କହିଥିଲେ ଯେ ମୁଣ୍ଡ ସଫା ନକରିବା ଯୋଗୁଁ ବାଳରେ ଉକୁଣି ହୋଇଗଲେଣି। ତାଙ୍କୁ ମୁଣ୍ଡ ସଫା କରିବାକୁ ସାମ୍ପୁ ଆଣି ଦେଇଥିଲି। ହେଲେ ସେଥିରେ ସେ ଲୁଗା ସଫା କରି ଦେଲେ।

ଖାଲି ସେତିକି ନୁହେଁ, ସେ ଘର କାମ ବି କିଛି କରୁ ନାହିଁ। ସବୁ କଥା ଶୁଣିବା ପରେ ମହିଳା କମିଶନ ଉଭୟ ପତିପତ୍ନୀଙ୍କୁ ବୁଝାଇଛନ୍ତି। ମହିଳାଙ୍କୁ ସୁଧୁରିବା ପାଇଁ ମାସେ ସମୟ ଦେଇଛନ୍ତି। ଯଦି ଏହି ସମୟ ଭିତରେ ମହିଳା ଜଣକ ନିଜ ସ୍ୱଭାବରେ ପରିବର୍ତ୍ତନ ନଆଣନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମହିଳା କମିଶନ ଚେତାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here