ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଜଜ୍‌ ଭାବେ ସୁମନ୍ କୁମାରୀ ନିଯୁକ୍ତି ପାଇଛନ୍ତି। ପାକିସ୍ତାନର କମ୍ବର ଶାହଦାଦ୍‌କୋଟ ଅଞ୍ଚଳର ସୁମନଙ୍କ ଘର। ତାଙ୍କୁ ନିଜ ଘରୋଇ ଜିଲ୍ଲାରେ ହିଁ ସେବା କରିବାର ସୁଯୋଗ ମିଳିଛି। ସୁମନ୍ ସିଭିଲ୍ ଜଜ ମାଜିଷ୍ଟ୍ରେଟ୍ ମେଧା ତାଲିକାରେ ୫୪ ତମ ସ୍ଥାନ ହାସଲ କରି ଏହି ସଫଳତା ଲାଭ କରିଛନ୍ତି। ସୁମନ୍‌ଙ୍କ ଏହି ସଫଳତାରେ ତାଙ୍କ ପରିବାର ଲୋକ ବହୁତ ଖୁସି ଅଛନ୍ତି।

ପାକିସ୍ତାନର ହାଇଦ୍ରାବଦରୁ ଏଲଏଲବି ପରୀକ୍ଷା ପାସ୍ କରି ସୁମନ୍ କରାଚୀର ଜବିସ୍ତ ୟୁନିଭରସିଟିରୁ ସ୍ନାତ୍ତକତ୍ତୋର ଶିକ୍ଷା ଗ୍ରହଣ କରିଥିଲେ। ସୁମନ୍‌ଙ୍କ ପିତା ଜଣେ ଚକ୍ଷୁରୋଗ ବିଶେଷଜ୍ଞ। ସୁମନ୍‌ଙ୍କ ୨ ଭଉଣୀଙ୍କ ମଧ୍ୟରୁ ଜଣେ ସଫ୍ଟଓୟାର ଇଞ୍ଜିନିୟର ଥିବା ବେଳେ ଅନ୍ୟଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଅଛନ୍ତି।

ପାକିସ୍ତାନ ଏକ ମୁସଲମାନ ରାଷ୍ଟ୍ର ହୋଇଥିବାବେଳେ ଏଠାରେ ବହୁତ କମ୍‌ ହିନ୍ଦୁ ବାସକରନ୍ତି। ପାକିସ୍ତାନରେ ମୋଟ ଜନସଂଖ୍ୟାର ମାତ୍ର ଦୁଇ ପ୍ରତିଶତ ଲୋକ ହେଉଛନ୍ତି ହିନ୍ଦୁ। ଏହା ପୂର୍ବରୁ ଜଷ୍ଟିସ୍‌ ରାଣା ଭଗବାନ ଦାସ ପାକିସ୍ତାନର ପ୍ରଥମ ହିନ୍ଦୁ ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସୁମନ୍‌ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଜଜ୍‌ ଭାବେ ନିଯୁକ୍ତି ପାଇଛନ୍ତି।

Comment