ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲକୁ ଫାଇନାଲ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ। ପାଟଣାଗଡ଼ ଏସଡିଜେଏମ୍‌ କୋର୍ଟରେ ଗୁରୁବାର ଏହି ଚାର୍ଜସିଟ୍ ଦାଖଲ କରାଯାଇଛି।

କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରି ୬୫ ପୃଷ୍ଠାର ଏକ ଚାର୍ଜସିଟ ପ୍ରସ୍ତୁତ କରିଛି। ଯେଉଁଥିରେ ୭୬ ଜଣ ସାକ୍ଷୀଙ୍କ ବୟାନ ରହିଛି।

ଗତ ଅଗଷ୍ଟ ମାସରେ ପାର୍ସଲବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଞ୍ଚ ମଧ୍ୟବର୍ତ୍ତିକାଳୀନ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଗିରଫ ହୋଇ ଏବେ ଜେଲ୍‌ରେ ଅଛି।

ଗତବର୍ଷ ଫେବ୍ରୁଆରି ୨୩ରେ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ନବବିହାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କର ଜେଜେମାଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ରୀମାରାଣି ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ କରି ଏପ୍ରିଲ ୨୫ରେ ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରାଯାଇଥିଲା।

Comment