ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇର ନୂତନ ନିର୍ଦ୍ଦେଶକଙ୍କ ଚୟନ ପାଇଁ ଉଚ୍ଚ ଅଧିକାରୀଙ୍କୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଦୀର୍ଘ ୧ଘଣ୍ଟା ଧରି ଚାଲିଥିଲା। ଏହି କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଲୋକସଭା ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡଗେ ସାମିଲ ଥିଲେ।

ବୈଠକରେ କଂଗ୍ରେସ ନେତାଙ୍କ ଆପତ୍ତିକୁ ଏଡ଼ାଇ କମିଟି ସିବିଆଇର ନୂତନ ନିର୍ଦ୍ଦେଶକ ପାଇଁ ୩ଟି ନାମ ସୁପାରିଶ କରିଛନ୍ତି। ତେବେ ସେ ତିନି ଜଣ କିଏ ସେ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଶନିବାର ସିବିଆଇର ନୂତନ ନିର୍ଦ୍ଦେଶକଙ୍କ ନାମ ଘୋଷଣା ହୋଇପାରେ।

ସିବିଆଇ ନୂତନ ନିର୍ଦ୍ଦେଶକ ପଦ ପାଇଁ ବରିଷ୍ଠ ଆଇପିଏସ୍ ଅଫିସର ଜାଭେଦ ଅହମ୍ମଦ, ରଜନୀକାନ୍ତ ମିଶ୍ରା, ଏସଏସ୍ ଦେଶୱାଲ ଓ ଶିବାନନ୍ଦ ଝାଙ୍କ ନାମ ସବୁଠାରୁ ଆଗରେ ଅଛି।

ଗତ ଜାନୁଆରି ୧୦ରେ ସବିଆଇର ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ହଟିଥଲେ। ଏହା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା। ନୂଆ ନିର୍ଦ୍ଦେଶକଙ୍କ ନାଁ ଚୂଡ଼ାନ୍ତ ପାଇଁ ଗତ ଜାନୁଆରି ୨୪ରେ ଏଥିପାଇଁ ବୈଠକ ବସିଥିଲା। କିନ୍ତୁ ସେଥିରେ କିଛି ଫଳାଫଳ ବାହାରି ନଥିବାରୁ ଶୁକ୍ରବାର ଆଉଥରେ ଏହି ବୈଠକ ଡକାଯାଇଥିଲା।

Comment