ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ ରହୁଥିବା ହିନ୍ଦୁଙ୍କ ସ୍ଥିତି ବହୁତ ଖରାପ ବୋଲି ବିଶ୍ୱବ୍ୟାପି ସମସ୍ତେ ଜାଣିଛନ୍ତି। ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ସହ ଜବରଦସ୍ତ ଧର୍ମ ପରିବର୍ତ୍ତନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଏ ଇସଲାମବାଦ। କିନ୍ତୁ ପାକିସ୍ତାନରେ ଏଭଳି ଏକ ସହର ଅଛି ଯେଉଁଠି କେବେବି ଏଭଳି ଘଟଣା ଘଟିନାହିଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସହରରେ ମୁସଲମାନଙ୍କଠାରୁ ଅଧିକ ହିନ୍ଦୁ ବାସକରନ୍ତି।

ଏହି ସହରର ନାଁ ହେଉଛି ମିଠି। ପାକିସ୍ତାନର ଲାହୋରଠାରୁ ପାଖାପାଖି ୮୭୫ କିଲୋମିଟର ଦୂରରେ ଅବସ୍ଥିତ। ଯାହା ଭାରତର ଗୁଜରାଟ ଠାରୁ ୩୪୦ କିଲୋମିଟର ଦୂର ହେବ। ଏହି ସହରରେ ହିନ୍ଦୁ- ମୁସଲିମଙ୍କ ଏକତାର ଅସାଧାରଣ ଉଦାହରଣ ଦେଖିବାକୁ ମିଳିଥାଏ।

ସହରର ମୋଟ ଜନସଂଖ୍ୟା ପାଖାପାଖି ୮୭ ହଜାର ହେବ। ଯେଉଁଠି ୮୦ ପ୍ରତିଶତ ଲୋକ ହିନ୍ଦୁ ଥିଲାବେଳେ ପୂରା ପାକିସ୍ତାନରେ ୯୫ ପ୍ରତିଶତ ମୁସଲମାନ୍ ରୁହନ୍ତି। କୁହାଯାଉଛି ଏହି ସହରରେ ଯେବେ ବି କୌଣସି ଧାର୍ମିକ ଉତ୍ସବ ପାଳନ ହୋଇଥାଏ ଏକାଠି ହିନ୍ଦୁ-ମୁସ୍‌ଲିମ ଭାଗ ନେଇଥାନ୍ତି।

ଦୀପାବଳି ଏବଂ ଇଦ ପର୍ବ ଏକାଠି ପାଳିଥାନ୍ତି। ମିଠିରେ ବସବାସ କରୁଥିବା ହିନ୍ଦୁ ଲୋକ ମହରମ ପର୍ବରେ ହେଉଥିବା ଜଲସା(ପ୍ରବଚନ) କାର୍ଯ୍ୟକ୍ରମରେ ଭାଗ ନେବା ସହ ରୋଜା ବି ରଖିଥାନ୍ତି। ଏଠାରେ କୌଣସି ଲୋକ ଗୋମାଂସ ଖାଇନଥାନ୍ତି। ସହରରେ କ୍ରାଇମ ରିପୋର୍ଟ ଅନ୍ୟ ସହର ତୁଳନାରେ ବହୁତ କମ୍। ଅପରାଧ ହାର ୨ ପ୍ରତିଶତ ଥିଲାବେଳେ କେବେ ବି କୌଣସି ସ୍ଥାନରେ ହିଂସାକାଣ୍ଡ ଘଟିନାହିଁ।

ସହରରେ ବହୁ ମନ୍ଦିର ମଧ୍ୟ ରହିଛି। ଯେଉଁଥିରେ ସବୁଠୁ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ରହିଛି। ଯେତେବେଳେ ହିନ୍ଦୁ ମନ୍ଦିରରେ ପୂଜାପାଠ କରାଯାଏ ଆଜାନ ସମୟରେ ସାଉଣ୍ଡ ବାଜି ନଥାଏ ଏବଂ ନମାଜ ସମୟରେ ମନ୍ଦିରରେ ଘଣ୍ଟି  ବି ବାଜିନଥାଏ।

୧୯୭୧ ମସିହାରେ ଯେତେବେଳେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା ସେତେବେଳେ ଭାରତୀୟ ସେନା ମିଠି ସହର ପର୍ଯ୍ୟନ୍ତ ମାଡି ଆସିଥିଲେ। ରାତାରାତି ଏଠାରୁ ଲୋକେ ପଳାଇଥିଲେ। ପରେ ରହିଯାଇଥିବା ହିନ୍ଦୁମାନେ ଏଠାରେ ପୁଣି ରହିବାକୁ ଇଚ୍ଛା କରିଥିଲେ ବୋଲି କହାଯାଉଛି।

Comment