ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): “ମୁଁ କୌଣସି ଭୁଲ୍‌ କରିନାହିଁ। ସ୍ଥାନୀୟ ରାଜନେତା ଓ ସରକାରଙ୍କ ମିଳିତ ଷଡ଼ଯନ୍ତ୍ରର ଶିକାର ହୋଇଛି”, କହିଛନ୍ତି ପ୍ରଫେସର ଅଶ୍ୱିନୀ ପୂଜାହାରୀ।

ଭୀମ୍‌ସାରର ନିର୍ଦ୍ଦେଶକ ପଦରୁ ପ୍ରଫେସର ଅଶ୍ୱିନୀ ପୂଜାହାରୀ ଇସ୍ତାଫା ଦେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ଇ-ମେଲ୍‌ ଓ ଡାକଯୋଗେ ପଠାଇବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଫେସର ପୂଜାହାରୀ।

ଇସ୍ତଫା ଛଡ଼ା ବିକଳ୍ପ ନଥିଲା 

ବୁର୍ଲା ଭୀମ୍‌ସାରରେ ଗତ କିଛିମାସର ଛକାପଞ୍ଝାର ଅନ୍ତ ଘଟିଛି। ଆଉ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଫେସର ଅଶ୍ୱିନୀ ପୂଜାହାରୀ। ଗତ ନଭେମ୍ବର ମାସରେ ଜେଡିଏ ପ୍ରଫେସର ପୂଜାହାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପଦ୍ଧତିକୁ ନେଇ ଆପତ୍ତି ଉଠାଇବା ପରେ ବିବାଦୀୟ ହୋଇପଡ଼ିଥିଲେ ସେ। ଏ ସଂପର୍କରେ ରାଜ୍ୟ ସରକାର ଏକ ୭ଜଣିଆ କମିଟି ଗଠନ କରି ଅଭିଯୋଗର ଯାଞ୍ଚ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ସହ ଡିସେମ୍ବର ୭ତାରିଖରୁ ଛୁଟିରେ ଯିବାକୁ ପ୍ରଫେସର ପୂଜାହାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଦର୍ଶାଅ ନୋଟିସ୍‌ର ଜବାବ୍‌ ଦାଖଲ ସହ ଜେଡିଏ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ସେ।

ହେଲେ ଏହାରି ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ, ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକରି ମାମଲାକୁ ଝୁଲାଇ ରଖିଥିଲେ। ତେଣୁ ଆଉ ଅଧିକ ଦିନ ଛୁଟିରେ ନରହି ମାନସିକ ଚିନ୍ତାରୁ ନିଜକୁ ମୁକ୍ତ କରିବାକୁ ସେ ଇସ୍ତଫା ଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ପ୍ରଫେସର ପୂଜାହାରୀ। ହେଲେ ବର୍ତ୍ତମାନ ମଧ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ଦ୍ୱାରା ଗ୍ରହଣ ହୋଇନଥିବା ବେଳେ ଇସ୍ତଫା ପରେ ଶନିବାର ସେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିଦେଇଛନ୍ତି।

ରାଜନିତୀରେ ଯୋଗଦେବେ ପୂଜାହାରୀ

ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ଇସ୍ତଫା ପରେ ଆଉ ଏକ ରୋଚକ ଘଟଣା ସମ୍ମୁଖକୁ ଆସିଛି। ତାହା ହେଲା, ଖୁବ୍‌ଶୀଘ୍ର ପ୍ରଫେସର ପୂଜାହାରୀ ଏକ ଜାତୀୟ ରାଜନୈତିକ ଦଳରେ ଯୋଗଦେବା ସହ ଆସନ୍ତା ୨୦୧୯ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦିତା କରିବେ।

ଏ ସଂପର୍କରେ ସେ କହିଛନ୍ତି ଯେ, ବହୁ ରାଜନୈତିକଦଳର ନେତାମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ହେଲେ ଆଞ୍ଚଳିକ ରାଜନୈତିକ ଦଳ ଅପେକ୍ଷା ସେ ଜାତୀୟ ଦଳରେ ଯୋଗଦେବେ ବୋଲି ମନସ୍ଥ କରିଛନ୍ତି। ହେଲେ କେଉଁ ଦଳରେ ଓ କେବେ ଯୋଗଦେବେ ତାହା ଦିନେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ସେ ଖୁଲାସା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ୧୫ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ସେହିଦିନ ପ୍ରଫେସର ପୂଜାହାରୀ ବିଜେପିରେ ଯୋଗଦେବେ ବୋଲି, ତାଙ୍କ ନିକଟତମ ମହଲରୁ ସ୍ପଷ୍ଟ ସୂଚନା ମିଳିଛି। ହେଲେ ଏହି କଥା ନିଜେ ସେ ଦୁଇଦିନ ପରେ, କହିବେ ବୋଲି କହିଛନ୍ତି।

ଭୀମ୍‌ସାରରେ ସମସ୍ତ ପିଜି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଭୀମ୍‌ସାର ଆୟୋଜନ କରିବା ନେଇ, ପ୍ରଫେସର ପୂଜାହାରୀ ନିଷ୍ପତ୍ତି ନେଇଥିଲେ। ଏହାପରେ ଜେଡିଏ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ, ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପଦ୍ଧତିକୁ ଆଳକରି, ଆନ୍ଦୋଳନ କରିଆସୁଥିଲା। ଶେଷରେ ଏହି ଘଟଣାରେ ଏବେ ପୂର୍ଣ୍ଣଛେଦ ପଡିଥିଲେ ମଧ୍ୟ, ଆସନ୍ତାଦିନରେ ପ୍ରଫେସର ପୂଜାହାରୀଙ୍କ ରାଜନୈତିକ ଇନିଂସକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ଅଭିଯୋଗ ଯେ, ସେ ମିଲିଟାରୀ ମେଡିକାଲ୍‌ କଲେଜରୁ ଉଚ୍ଚବେତନ ଛାଡ଼ି ନିଜେ ପାଠ ପଢ଼ିଥିବା ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ ଭୀମ୍‌ସାରର କିଛି ଉନ୍ନତି କରିବେ ବୋଲି ଆଶା କରି ଆସିଥିଲେ। ହେଲେ ଏଠାରେ ସେ ଶାସକଦଳର ବିଧାୟିକା, ଜେଡିଏର କର୍ମକର୍ତ୍ତାଙ୍କ ସମେତ କିଛି ଅସାଧୁ ରକ୍ତ ବିକ୍ରି କରୁଥିବା ଦଲାଲ୍‌ଙ୍କ ଷଡଯନ୍ତ୍ରର ଶିକାର ହୋଇଗଲେ। ଦୀର୍ଘ ୩୦ବର୍ଷର ଚିକିତ୍ସା ସେବା ମାଧ୍ୟମରେ ପଶ୍ଚିମଓଡ଼ିଶାର ଗରିବ ରୋଗୀଙ୍କ ସେବା କରିବା ବଦଳରେ ରାଜନୈତିକ ଦଳର ହାତବାରିସୀ ସାଜିବାକୁ ସେ ଇଛା କରିନଥିଲେ। ତାର ଫଳ ତାଙ୍କୁ ଦେବାକୁ ହେଲା। ବୁର୍ଲା ଭୀମ୍‌ସାରରେ ଯେ ଭଲ କାମ କରିବ ସେ ନିଶ୍ଚିତ ଭାବରେ ଏହି ଅସାଧୁ ଗୋଷ୍ଠୀଙ୍କ ଶିକାର ହେବ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ପ୍ରଫେସର ପୂଜାହାରୀ।

ଏବେ ଅପେକ୍ଷା ରାଜ୍ୟପାଳ ପ୍ରଫେସର ପୂଜାହାରୀଙ୍କ ଇସ୍ତଫା ଗ୍ରହଣ କରୁଛନ୍ତି ନା ନାହିଁ। ଯଦି ଇସ୍ତଫା ଗୃହିତ ହୁଏ ତେବେ, ପ୍ରଫେସର ପୂଜାହାରୀଙ୍କ ଦ୍ୱିତୀୟ ଇନିଂସ କେଉଁ ରାଜନୈତିକ ଦଳରୁ ଆରମ୍ଭ ହେଉଛି।

Comment