ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୦ଦିନର ଆନ୍ଦୋଳନ ପରେ ଓକିଲମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଖୋଲିବ କୋର୍ଟ ହେଲେ ସିଜ୍‌ୱାର୍କ ଜାରି ରହିବ।

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ଚାଲିଥିବା ଓକିଲଙ୍କ ଧାରଣା ଗୁରୁବାରଠାରୁ ସ୍ଥଗିତ କରାଯିବ। ୧୯୦ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଆସନ୍ତା ୨୫ତାରିଖରୁ ସମସ୍ତ ବିଚାରବିଭାଗୀୟ ଅଦାଲତ ଖୋଲିବ। ହେଲେ ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକରେ ଓକିଲମାନେ କାର୍ଯ୍ୟ କରିବେ ହେଲେ ନିୟମିତ କୋର୍ଟ କାର୍ଯ୍ୟରେ ଯୋଗଦେବେ ନାହିଁ। ବର୍ତ୍ତମାନ ସାଧାରଣ ନିର୍ବାଚନ ବିଜ୍ଞପ୍ତି ଘୋଷଣା ହେବାପରେ ଓକିଲମାନଙ୍କ ଦାବି ପ୍ରତି ସରକାର ଦୃଷ୍ଟି ଦେଇପାରିବେ ନାହିଁ। ସେହିପରି ନିର୍ବାଚନରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବା ସହ ଶହଶହ ଜାମିନ୍‌ ମାମଲା ପଡ଼ିରହିଛି। ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ, ଜିଲ୍ଲା ଓକିଲସଂଘର ସାଧାରଣ ପରିଷଦ ବୈଠକରେ ଏପରି ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲା ଓକିଲସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି।

ଗତ ସେପ୍ଟେମ୍ବର ୫ତାରିଖରୁ ପଶ୍ଚିମ ଓଡ଼ିଶାର ୯ଟିଜିଲ୍ଲାରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତକୁ ବନ୍ଦ କରିଦେଇଥିଲେ। ଏହାରି ମଧ୍ୟରୁ ପଶ୍ଚିମଓଡ଼ିଶା ଓକିଲସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୁଇଥର ଆଲୋଚନା ହୋଇଥିଲା।

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ଦୁଇଥର ଚିଠି ଲେଖି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ତାହା ଓକିଲଙ୍କ ଆନ୍ଦୋଳନକୁ ସନ୍ତୁଷ୍ଟ କରିପାରିନଥିଲା।

ସିଏସି ଦାବି କରିଥିଲା ଯେ ରାଜ୍ୟ ସରକାର କେନ୍ଦ୍ର ଆଇନମନ୍ତ୍ରଣାଳୟକୁ ପୂର୍ଣ୍ଣାଙ୍ଗ ଚିଠି ଲେଖିବା ସହ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିଶ ଓ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରୁ। ବଜେଟରେ ହାଇକୋର୍ଟ ବେଞ୍ଚ ପାଇଁ ରାଜ୍ୟ ସରକାର ବ୍ୟୟ ବରାଦ କରନ୍ତୁ। ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଦାବିକୁ ପୂରଣ କରାଯିବ ବୋଲି କହିବା ପରେ ପ୍ରଥମେ ଗତ କାମଚଳା ବଜେଟରେ ପଶ୍ଚିଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ୫କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ କିଛିଦିନ ତଳେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି। ସେହି ଦୃଷ୍ଟିରୁ ଆନ୍ଦୋଳନକୁ କୋହଳ କରାଯିବା ସହ ଓକିଲମାନେ ସରକାରଙ୍କ ସମର୍ଥନ କରିଥିବା କୁହାଯାଇଛି। ହେଲେ ଏବେ ମଧ୍ୟ ଓକିଲମାନଙ୍କ ଦୁଇଟି ଦାବି ପୂରଣ ହୋଇନଥିବାରୁ ସିଜ୍‌ ୱାର୍କ ଜାରି ରଖିବା ସହ ନିର୍ବାଚନପରେ ପୁଣି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସିଏସ୍‌ ସମ୍ପାଦକ ନିରଞ୍ଜନ ତ୍ରିପାଠୀ କହିଛନ୍ତି।

Comment