ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବେଦିରୁ ଶିଶୁପାଳ ହୋଇ ଫେରିଲା ମାତାଲା ବର।

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଜିଲ୍ଲା ଯୁଯୁମରା ବ୍ଲକର ଗୋବର୍ଦ୍ଧନ ବଡମାଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବର ମଦ ପିଇ ବେଦୀକୁ ଆସିଥିବାରୁ ମଙ୍ଗୁଳା କନ୍ୟା ବାହା ହେବାକୁ ମନା କରି ଦେଇଛି। ଜୀବନ ସାରା ବାହା ନହୋଇ ଘରେ ରହିବି ପଛେ ମଦୁଆ ବରକୁ ବାହା ହେବିନି ବୋଲି କନ୍ୟା ସିଧା ସିଧା କହିଛି। ଫଳରେ ବର ବେଦିରୁ ଶିଶୁପାଳ ହୋଇ ଫେରି ଆସିଛି।

ପରିବାର ଲୋକ, ଗାଁ ମୁରବୀ, ବର ପିତା ବାହା ହେବାକୁ କନ୍ୟାକୁ ବୁଝାଇଥିଲେ ମଧ୍ୟ ସେ ମଦୁଆ ବରକୁ ବାହା ହେବା ପାଇଁ ମନା କରି ଦେଇଛି।

ଗୋବର୍ଦ୍ଧନ ବଡମାଳ ଗାଁର ଭିକ ଭୁଏଙ୍କ ଝିଅ ମମତା ଭୁଏଙ୍କ ବାହାଘର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଥିଲା। ବରଯାତ୍ରୀ ପହଞ୍ଚିବା ପୂର୍ବରୁ ଦିନରେ ବନ୍ଧୁବାନ୍ଧବ ଏବଂ ଗାଁ ଲୋକେ ଭୋଜି ଖାଇ ସାରିଥିଲେ।

ସନ୍ଧ୍ୟାରେ ବରଯାତ୍ରୀ ଧରି ବର କନ୍ୟା ଘରେ ପହଞ୍ଚିଲେ। ବେଦିରେ ବାହାଘର କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କଲେ। ହେଲେ ବର ବେଦିରେ ବସିବ କ’ଣ ବାରମ୍ବାର ତଳେ ଟଳି ପଡୁଥିଲେ। ସେହି ସମୟରେ ବର ପ୍ରଚୁର ମଦ ପିଇଥିବା ପ୍ରଚାର ହୋଇଥିଲା। ଏକଥା କନ୍ୟା ପିତା ଯେତେବେଳେ ବରକୁ ଏକଥା ପଚାରିଲେ ସେତେବେଳେ ମାତାଲ ବର ରାଗି ପାଚି ଲାଲ ହୋଇଯାଇଥିଲେ। କନ୍ୟା ବାପାକୁ ହାତ ଉଠାଇବାକୁ ପଛାଇ ନଥିଲେ।

ଏହାଦେଖି ମଙ୍ଗୁଳା କନ୍ୟା ହଠାତ୍ ବେଦିରୁ ଉଠିପଡି, ମଦୁଆ ବରକୁ ବାହା ହେବିନି ବୋଲି ଜିଦ୍‌ ଧରିଥିଲେ। ଯିଏ ଯେତେ ଗୋଡହାତ ଧରି ଅନୁରୋଧ କଲେ ମଧ୍ୟ, କନ୍ୟା ବାହା ହେବାକୁ ରୋକଠୋକ୍ ମନା କରି ଦେଇଥିଲା।

କନ୍ୟା ବାହା ହେବାକୁ ମନା କରିଦେବା ପରେ ମାତାଲ ବର ସୁରେନ୍ଦ୍ରର ନିଶା ଖସି ଯାଇଥିଲା। ସେ  କନ୍ୟାର ଗୋଡତଳେ ପଡି ଆଉ କେବେ ବି ମଦ ପିଇବ ନାହିଁ ବୋଲି କହିଥିଲା। ହେଲେ କନ୍ୟା ତାଙ୍କ ଜିଦରୁ ଓହରି ନଥିଲେ। ଶେଷରେ ମଦୁଆ ବର ଶିଶୁପାଳ ହୋଇ ଫେରି ଆସିଥିଲା।

ମମତାଙ୍କର ଏହି ନିଷ୍ପତ୍ତିକୁ କିନ୍ତୁ ଗଣ୍ଡ୍‌ ସମାଜ ପ୍ରସଂଶା କରିଛି। କନ୍ୟାଙ୍କର ନିଷ୍ପତ୍ତିକୁ ଉଭୟ ବରଘର ପରିବାର, କନ୍ୟାଘର ପରିବାର, ଗଣ୍ଡ ସମାଜ ମିଳିତ ଭାବରେ ଲିଖିତ ଆକାରରେ ଚୁକ୍ତି କରି ଏହି ବିବାହ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଗଣ୍ଡ ସମାଜର ସଭାପତି ରସାନନ୍ଦ ନାୟକ କହିଛନ୍ତି, ‘‘ବାହା ବେଦିରୁ କନ୍ୟା ଉଠିଯାଇ ସାରା ଜୀବନ ମଙ୍ଗୁଳା ହୋଇ ରହିବା ନିଷ୍ପତ୍ତି ନିଶ୍ଚିତ ରୂପେ କଷ୍ଟଦାୟକ। ହେଲେ କନ୍ୟା ଯାହା ନିଷ୍ପତ୍ତି ନେଇଛନ୍ତି ତାହା ନିଶ୍ଚିତ ଗଣ୍ଡ ଜାତିକୁ ବଡ ଶିକ୍ଷାଟେ ଦେଇଛି।’’

Comment