ଓଡ଼ିଶାଲାଇଭ୍‌ ବ୍ୟୁରୋ

 

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ୧୫୫ଦିନ ପୂରିଛି। ରାଜ୍ୟ ଓ କେନ୍ଦ୍ରସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମେତ ବିଚାରବିଭାଗୀୟ କାର୍ଯ୍ୟାଳୟରେ ତାଲା ଝୁଲୁଛି। ଆନ୍ଦୋଳନ ଜୋର୍‌ଦାର ହେଉଥିବା ବେଳେ, ରାଜ୍ୟସରକାର ବଜେଟରେ ଉଭୟ ପଶ୍ଚିମଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ୫କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହାକୁ ନେଇ ଓକିଲମାନେ କିଛି ମାତ୍ରାରେ ସନ୍ତୁଷ୍ଟ ହୋଇଥିବା ବେଳେ ବିଜେପି କିନ୍ତୁ କହିଛି ଏହା ଧର୍ମକୁ ଆଖିଠାର ଭଳି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟସରକାର ହାଇକୋର୍ଟର ସ୍ଥାନ ନିରୂପଣ ନକରି, ବଜେଟରେ ବ୍ୟୟ ବରାଦ କରିବା, ବିବାହ ପୁର୍ବରୁ ପୁଅର ନାମକରଣ ଭଳି ବେଜେପି ତାତ୍ସଲ୍ୟ କରିଛି।

 

ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ, ଓକିଲଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହେଲେ ଗତ ୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ସମ୍ବଲପୁର ଆସିଥିବା ବେଳେ ଆନ୍ଦୋଳନକାରୀ ଓକିଲଙ୍କ ସହ ଆଲୋଚନା ଫଳପ୍ରଦ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଓକିଲମାନଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ କାମଚଳା ବଜେଟ୍‌ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ୫କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଆସନ୍ତାଦିନରେ ଅନ୍ୟସବୁ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ରାଜି ହୋଇଛନ୍ତି।

 

ରାଜ୍ୟସରକାରଙ୍କ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ନେଇ ସକାରାତ୍ମକ ଆଭିମୁଖ୍ୟକୁ ସ୍ୱାଗତ କରି ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମନସ୍ଥ କରିଛନ୍ତି। ଏ ନେଇ ଶନିବାର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ମଙ୍ଗଳବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବା ଆଶା କରାଯାଉଛି। ହେଲେ ବର୍ତ୍ତମାନ ମଧ୍ୟ କୋର୍ଟ କଚେରୀ ଖୋଲିବ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନି ବୋଲି କହିଛନ୍ତି ପଶ୍ଚିମଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସମ୍ପାଦକ ନିରଞ୍ଜନ ତ୍ରିପାଠୀ ଓ ଜିଲ୍ଲା ଓକିଲସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ।

କାମଚଳା ବଜେଟ୍‌ରେ ଉଭୟ ପଶ୍ଚିମଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ୫କୋଟି ଟଙ୍କା ବ୍ୟୟବରାଦ ହାସ୍ୟାସ୍ପଦ ବୋଲି କହିଛି ବିଜେପି। ରାଜ୍ୟ ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏପରି ଛଳନା କରିଛନ୍ତି। ପ୍ରଥମେ କେନ୍ଦ୍ର ସରକାରଙ୍କ ଆଇନମନ୍ତ୍ରଣାଳୟକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପଠାଇବା ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ନକରି, ସରକାର ବଜେଟରେ ୫କୋଟି ଟଙ୍କା ବ୍ୟୟବରାଦ ଆନ୍ଦୋଳନକାରୀ ଓକିଲଙ୍କୁ ଭୁଆଁ ବୁଲାଇବା ଭଳି ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମଓଡ଼ିଶାର ଦେଢ଼କୋଟି ଲୋକଙ୍କୁ ଲଲିପପ୍‌ ଦେବା ବନ୍ଦ କରି ସରକାର ଠୋସ୍‌ ପଦକ୍ଷେପ ନିଅନ୍ତୁ ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଦାବି କରିଛନ୍ତି।

 

ପ୍ରାୟ ୫ମାସର କାର୍ଯ୍ୟବନ୍ଦ ଆନ୍ଦୋଳନପରେ, ସମ୍ବଲପୁର ସମେତ ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ଖୋଲିବା ନେଇ ଆଶା ସଞ୍ଚାର ହୋଇଛି। ହେଲେ ଓକିଲମାନଙ୍କ ଦାବି କେତେଦୂର ପୂରଣ ହେଲା ଆଉ ରାଜ୍ୟ ସରକାର ପଶ୍ଚିମଓଡ଼ିଶାର ଦେଢ଼କୋଟି ଲୋକଙ୍କୁ କିପରି ନ୍ୟାୟ ଦେଲେ ତାହା ଆସନ୍ତା ଦିନରେ ସ୍ପଷ୍ଟ ହେବ।

Comment