ଓଡ଼ିଶାଲାଇଭ୍‌ ବ୍ୟୁରୋ

 

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଆନ୍ତଃରାଜ୍ୟ ଗାଡ଼ିଚୋର ରାକେଟ୍‌ର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ। ସମ୍ବଲପୁରର ବିଭିନ୍ନ ଥାନା ଅଞ୍ଚଳରୁ କାର୍‌, ପିକ୍‌ଅପ୍‌ ଭ୍ୟାନ୍‌ ଚୋରି କରି ବିହାରର ଗୟା ଜିଲ୍ଲାରେ ବିକ୍ରି କରୁଥିଲେ ଏହି ଗ୍ୟାଙ୍ଗ୍‌। ପୋଲିସ୍‌ ଦୁଇଜଣ କୁଖ୍ୟାତ ଗାଡ଼ିଚୋର ମହମ୍ମକ ହାଇଦର ଓ ରାଜେଶ ପ୍ରସାଦ ସିଂଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଓ ଗୋଟିଏ ଟାଟାଇଣ୍ଡିକା କାର୍‌ ଜବତ କରିଛି। ସେହିପରି ବିହାର ଓ ଗୟାର ଦୁଇଜଣ ଚୋରାଗାଡ଼ି ବିକ୍ରି ଦଲାଲ୍‌ଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି।

କୁଖ୍ୟାତ ଗାଡ଼ିଚୋର କଙ୍ଗ୍‌ ଗ୍ୟାଙ୍ଗର ସଦସ୍ୟ ବୋଲି ସଦର ଏସ୍‌ଡିପିଓ କହିଛନ୍ତି। ଶନିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ୪ଜଣଙ୍କୁ ପୁଣିଥରେ ରିମାଣ୍ଡ ଅଣାଯାଇ ଅଧିକ ପଚରା ଉଚରା କରାଯିବ ବୋଲି ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ସୂଚନା ଦେଇଛନ୍ତି।

ଯେଉଁ ଲୋକମାନଙ୍କର ଗ୍ୟାରେଜ୍‌ ନଥିବାରୁ ରାସ୍ତାକଡ଼ରେ ଗାଡ଼ି ପାର୍କିଂ କରିଥାନ୍ତି। ସେହି ଗାଡ଼ିଗୁଡିକୁ ଟାର୍ଗେଟ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ୍‌। ପ୍ରଥମେ ଗାଡ଼ିଗୁଡଡ଼ିକୁ ଚୋରି କରି ତାକୁ ନେଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ। ଏହି ଚୋରା ଗାଡ଼ିଗୁଡ଼ିକ ବାହାର ରାଜ୍ୟରେ ବିକ୍ରି କରିବାକୁ ଏହି ଗ୍ୟାଙ୍ଗର କିଛି ଦଲାଲ୍‌ ପୁର୍ବରୁ ନିୟୋଜିତ ଥିଲେ। ପ୍ରତି ଗାଡ଼ି ବିକ୍ରି କରିବାକୁ ଏମାନେ ୨୦ରୁ ୪୦ପ୍ରତିଶତ କମିଶନ ନେଇ କାର୍ଯ୍ୟ କରୁଥିଲେ ବୋଲି ପୋଲିସ୍‌ କହିଛି।

ସମ୍ବଲପୁରଜିଲ୍ଲାର ୬ଟି ଥାନା ଅଞ୍ଚଳ ସମେତ ପଡୋଶୀ ଜିଲ୍ଲା ବରଗଡ଼,ବଲାଙ୍ଗିର,ଝାରସୁଗୁଡ଼ା ଜିଲ୍ଲାରେ ଏହି ଗାଡ଼ି ଚୋରି ରାକେଟ୍‌ ସକ୍ରିୟ ଥିଲା। ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସମୟରେ ଏମାନଙ୍କ ସୁରାକ ପାଇଥିଲା। ଏବେ ସମ୍ବଲପୁର ପୋଲିସ୍‌ ଜାଣିବାକୁ ପାଇଛି ଯେ, ଏହି ଗ୍ୟାଙ୍ଗରେ ମୋଟ ୩୦ରୁ ଅଧିକ ଚୋର ସକ୍ରିୟ ରହିଛନ୍ତି। ଏମାନେ ସମ୍ବଲପୁର ସମେତ ପଡୋଶୀ ଜିଲ୍ଲାଗୁଡ଼ିକରୁ ପ୍ରାୟ ୪୦ରୁ ଅଧିକ କାର୍‌, ପିକ୍‌ଅପ୍‌ ଭ୍ୟାନ୍‌, ଟ୍ରାକ୍ଟର,ଟ୍ରକ୍‌ ଓ ଟିପ୍ପର ଚୋରି କରି ବାହାର ରାଜ୍ୟରେ ବିକ୍ରି କରିଛନ୍ତି। ରିମାଣ୍ଡରେ ଆଣିବା ପରେ ଅଧିକ ପଚରା ଉଚରା କଲେ ଆହୁରି ଅନେକ ଚୋରାଗାଡ଼ି ଉଦ୍ଧାର ହେବା ସହ ବହୁ ଗାଡ଼ି ଲୁଟେରା ପୋଲିସ୍‌ କବ୍‌ଜାକୁ ଆସିବେ ବୋଲି ସମ୍ବଲପୁର ଏସ୍‌ପି ସଞ୍ଜିବ୍‌ ଆରୋରା ସୂଚନା ଦେଇଛନ୍ତି।

Comment