ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ରେଙ୍ଗାଲି ସମବାୟ ସମିତିରେ ଚାଷୀଙ୍କୁ ଋଣ ନଦେଇ ବଳପୂର୍ବକ ଋଣ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି କେତେକ ଚାଷୀଙ୍କ ନାମରେ ମିଥ୍ୟା ଋଣ କରି ଜାଲ୍‌ ଦସ୍ତଖତ ମାଧ୍ୟମରେ ଋଣ ଟଙ୍କା ଉଠାଯାଇଛି। ଏବେ ଗରିବ ଚାଷୀ ନନେଇଥିବା ଋଣ କିପରି ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ଗତ ଦୁଇବର୍ଷ ହେଲା ଏହି ସମବାୟ ସମିତିର ଅଡିଟ୍‌ କାର୍ଯ୍ୟ ସରିଛି। ଅଡିଟ୍‌ ରିପୋର୍ଟରେ ପ୍ରାୟ ୩୦କୋଟିରୁ ଅଧିକ ଟଙ୍କା ସମବାୟ ସମିତିର ସମ୍ପାଦକ, ସହ-ସମ୍ପାଦକ ଓ ସଭାପତି ମିଳିତ ଭାବରେ ହଡପ୍‌ କରିଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ହାଲ୍‌କା ମନ୍ତବ୍ୟ ଦେବା ମାମଲାକୁ ଅଧିକ ସନ୍ଦେହ ଜନକ କରିଦେଇଛି।

ସମ୍ବଲପୁର ରେଙ୍ଗାଲି ସମବାୟ ସମିତିରେ ହୋଇଥିବା ମହାଦୁର୍ନିତୀର ମହାଖଳନାୟକ ସମିତିର ସହ ସମ୍ପାଦକ, ସମ୍ପାଦକ ଓ ସଭାପତି ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସଭାପତି, ସହ- ସମ୍ପାଦକ ଓ ସମ୍ପାଦକଙ୍କୁ ଗିରଫ ନକରିବା ପଛରେ ଜିଲ୍ଲାପ୍ରଶାସନର କ’ଣ କାରଣ ରହିଛି ତାହା ଜଣାପଡୁନି।

ଚାଷୀମାନେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କଠାରୁ ସମବାୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଛନ୍ତି। ଯେଉଁଥିରେ ସମବାୟ ସମିତିରେ ୨ହଜାରରୁ ଅଧିକ ଚାଷୀଙ୍କ ପାସ୍‌ବୁକ୍‌ରେ ଜାଲ୍‌ ଦସ୍ତଖତ କରି ୫୦କୋଟିରୁ ଅଧିକ ଟଙ୍କା ହଡପ୍‌ କରିଥିବା କଥା ସତ ବୋଲି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱୀକାର କରିଛନ୍ତି।

ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ, ଅତିରିକ୍ତ ଜିଲ୍ଲାପାଳ ଓ ସମବାୟ ସମିତି ସମୂହର ସହକାରୀ ନିର୍ଦ୍ଦେଶକ ମିଳିତ ଭାବରେ ରେଙ୍ଗାଲି ସମବାୟ ସମିତିରେ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ତଦନ୍ତ ରିପୋର୍ଟ ପାଇବାର ୬ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୋଷୀ ସହ-ସମ୍ପାଦକ ରମେଶଚନ୍ଦ୍ର ରାହାଣା ଓ ସମ୍ପାଦକ ଶୁକଦେବ ବିଶ୍ୱାଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେପଟେ ବର୍ତ୍ତମାନ ସଭାପତି ଥିବା ବ୍ୟକ୍ତିଙ୍କ ବିରୋଧରେ ଋଣ ଡିଫଲଟର୍‌ ଥିଲେ ମଧ୍ୟ କେଉଁ ଆଧାରରେ ତାଙ୍କୁ ସମବାୟ ସମିତିର ସଭାପତି କରାଯାଇଛି ତାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।

ଦୋଷୀ ସହ-ସମ୍ପାଦକ, ସମ୍ପାଦକ, ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବାରୁ ଲୁଟ୍‌ ଓ ଜାଲିଆତିର ଶିକାର ହୋଇଥିବା ଚାଷୀମାନଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜାଲ୍‌ ଋଣର ଶିକାର ହୋଇଥିବା ଚାଷୀ ବୈଷ୍ଣବ ପାହୁଲି, ଚାଷୀ ଦୁଷ୍ମତ ଦାସ୍ ଓ ହୀରା ପାହୁଲି, ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଏକବର୍ଷ ହେଲା ଜିଲ୍ଲାପାଳଙ୍କୁ ବାରମ୍ବାର ସାକ୍ଷାତ କରି ଅଭିଯୋଗ କରାଯାଉଥିଲେ ମଧ୍ୟ ଶତାଧିକ ଚାଷୀ ଏ ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି।

୨ହଜାରରୁ ଅଧିକ ନିରୀହ ଚାଷୀମାନଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌ ନିଜ ପାଖରେ ରଖି ନିଜ ଇଛାମୁତାବକ ଟଙ୍କା ଋଣ ଆକାରରେ ଉଠାଇଚାଲିଥିଲେ ଏହି କରିତ୍‌କର୍ମା ସହ-ସମ୍ପାଦକ ଓ ସମ୍ପାଦକ। ଏବେ ମାମଲା ପଦାକୁ ଆସିବା ପରେ, କ୍ଷତିଗ୍ରସ୍ତ ଚାଷୀଙ୍କ ଘରକୁ ଘର ଯାଇ, ଧମକଚମକ ଦେବା ସହ ସେମାନଙ୍କୁ ଜୀବନରେ ମାରିଦେବାର ଧମକ ଦେଉଛନ୍ତି ସହ-ସଂପାଦକ ଓ ସମ୍ପାଦକ। ବର୍ଷବର୍ଷ ଧରି ଏପରି ମହାଦୁର୍ନିତୀ ଚାଲିଥିଲେ ମଧ୍ୟ, କେବେହେଲେ କୌଣସି ସରକାରୀ ଅଧିକାରୀ ଏହି ସେବା ସମବାୟ ସମିତିକୁ ଯାଇ ତଦନ୍ତ କରିନଥିଲେ କି, ଏହି ମହାଦୁର୍ନିତୀର ଗନ୍ଧ ବାରିପାରିନଥିଲେ। ସହ-ସମ୍ପାଦକ, ସମବାୟ ବ୍ୟାଙ୍କ ଓ ସମବାୟ ସହକାରୀ ରେଜିଷ୍ଟ୍ରାରଙ୍କ ମିଲିଭଗତରେ ଏହି ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି।

ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ରେଙ୍ଗାଲି ସମବାୟ ସମିତିର ସ୍ପେଷାଲ୍‌ ଅଡିଟ୍‌ କରିବାକୁ ସମବାୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଏହାସହ ସମ୍ବଲପୁର ଭିଜିଲାନ୍‌ସ ଏସ୍‌ପିଙ୍କୁ ମଧ୍ୟ ଏହି ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ଅନୁରୋଧ କରାଯାଇଛି।

ଏବେ ଠକାମୀର ଶିକାର ହୋଇଥିବା ଚାଷୀମାନେ ନା ସରକାରଙ୍କ କୃଷି ଋଣ ପାଇପାରୁଛନ୍ତି ନା, କାଳିଆ ଯୋଜନାରେ ସାମିଲ୍‌ ହୋଇପାରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି।

ରେଙ୍ଗାଲି ସମବାୟ ସମିତି ଅଧିନରେ ୩ଟି ପଞ୍ଚାୟତ ରହିଥିବା ବେଳେ ୮୦ରୁ ଅଧିକ ଗାଁ ରହିଛି। ଯଦି ତିନୋଟି ଗାଁର ୨୧୯ଜଣ ଚାଷୀଙ୍କ ନାମରେ ଜାଲ୍‌ ଦସ୍ତଖତ କରି, ଏକକୋଟି ୮୮ଲକ୍ଷ ଟଙ୍କା ହଡପ୍‌ କରାଯାଇଛି। ବଳକା ଗାଁର ଚାଷୀଙ୍କ ଋଣ ନେବା ଓ ପରିଶୋଧ ତାଲିକାକୁ ତଦନ୍ତ ପରିସର ଭୁକ୍ତ କଲେ  ଏହି ଦୁର୍ନିତୀ ୫୦କୋଟି ଟପିବା ଆଶଙ୍କା କରାଯାଉଛି।

Comment