ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ଚାଲିଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୪ ତାରିଖକୁ ଘୁଞ୍ଚିଛି। ଏହି ମାମଲାର ଶୁଣାଣି ହାଇକୋର୍ଟର ଫୁଲ୍ ବେଞ୍ଚରେ ହୋଇଥିଲା। ନୋଟିସ୍ ଜାରି ହୋଇଥିବା ୬୮ଟି ବାର୍ ମଧ୍ୟରୁ ପ୍ରାୟ ଅଧିକାଂଶ ବାର୍ ଆଜି କୋର୍ଟରେ ନିଜ ନିଜ ଉପସ୍ଥିତି ଦର୍ଶାଇଥିଲେ। ପୂର୍ଣ୍ଣାଙ୍ଗ ପୀଠ ମାମଲାର ଶୁଣାଣି କରି ସମସ୍ତ ପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣି ନଭେମ୍ବର ୪ ସୁଦ୍ଧା କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିବାକୁ ଆଦେଶ ଦେଇଛନ୍ତି।

ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ଓ କୋର୍ଟ ବର୍ଜନ ଭଳି ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ପକ୍ଷରୁ ବିଭିନ୍ନ ବାର୍‌ ସଭାପତି ଓ ସମ୍ପାଦକଙ୍କୁ ପକ୍ଷ କରି ଏହି ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି ଗତ ୧୫ ତାରିଖରେ ହାଇକୋର୍ଟର ଫୁଲ୍ ବେଞ୍ଚରେ ହୋଇଥିଲା। ହାଇକୋର୍ଟ ମାମଲାର ଶୁଣାଣି କରି ହାଇକୋର୍ଟ ବାର୍, ଭାରତୀୟ ବାର୍ କାଉନସିଲ୍ ଓ ରାଜ୍ୟ ବାର କାଉନସିଲ୍ ସମେତ ୬୮ଟି ବାର୍ ଆସୋସିଏସନକୁ ନୋଟିସ୍ ଜାରି କରିବା ସହ ଅକ୍ଟୋବର ୨୧ରେ ମାମଲାର ଶୁଣାଣି ଧାର୍ଯ୍ୟ କରିଥିଲେ।

ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କ ଅଧ୍ୟକ୍ଷତାରେ ଗଠିତ ଫୁଲ୍ ବେଞ୍ଚରେ କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଜଷ୍ଟିସ୍ ଏସ୍.କେ. ମିଶ୍ର, ଜଷ୍ଟିସ୍ ସି.ଆର. ଦାଶ, ଡକ୍ଟର ଜଷ୍ଟିସ୍ ଏ.କେ. ରଥ, ଜଷ୍ଟିସ୍ ବିଶ୍ୱଜିତ୍ ମହାନ୍ତି, ଡକ୍ଟର ଜଷ୍ଟିସ୍ ବି.ଆର୍. ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାସ, ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍ ବିଶ୍ୱନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଜଷ୍ଟିସ୍ କେ.ଆର୍. ମହାପାତ୍ର ଏବଂ ଜଷ୍ଟିସ୍ ଏ.କେ. ମିଶ୍ର ମାମଲାର ଶୁଣାଣି କରି ଆସନ୍ତା ନଭେମ୍ବର ୪ ତାରିଖରେ ପରବର୍ତ୍ତୀ ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଦିନ ସମସ୍ତ ପକ୍ଷ ଅଦାଲତଙ୍କ ନୋଟିସର ଜବାବ ରଖିବେ। ଅପରପକ୍ଷରେ, ଏହି ମାମଲାରେ ପକ୍ଷଭୁକ୍ତ ହେବାଲାଗି ୧୦୦ରୁ ଅଧିକ ଆଇନଜୀବୀ ଇତିମଧ୍ୟରେ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡିଛି। ତେବେ ଏହା ଉପରେ କୌଣସି ଶୁଣାଣି ହୋଇନାହିଁ।

ହାଇକୋର୍ଟରେ ମାମଲାର ଶୁଣାଣି ପରେ ହାଇକୋର୍ଟ ବାର୍ ପକ୍ଷରୁ ସାଧାରଣ ପରିଷଦ ବୈଠକ ଡକାଯାଇଥିଲା। ବୈଠକରେ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିଦିନ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଯାହା ନିଷ୍ପତ୍ତି ଗ୍ରହଣ କରାଯିବ।

ଏହି ବୈଠକରେ ନିମ୍ନ ଅଦାଲତର ସଭାପତି, ସମ୍ପାପକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହାଇକୋର୍ଟ ବାର ଆକ୍ସନ କମିଟି ସହ ଏନେଇ ଆଲୋଚନା ହେବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ଦାଶ ସୂଚନା ଦେଇଛନ୍ତି।

ହାଇକୋର୍ଟ କଲେଜିୟମ୍ ଦ୍ୱାରା ହାଇକୋର୍ଟ ବାର୍ ବାହାରୁ ଜଣେ ଆଇନଜୀବୀଙ୍କୁ ଜଜ୍ ଭାବେ ଚୟନ କରିବାକୁ ବିରୋଧ କରି ଦୀର୍ଘ ଦିନ ଧରି ହାଇକୋର୍ଟ ବାର୍ ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ସୁପ୍ରିମକୋର୍ଟ କଲେଜିୟମ୍ ଏହି ଜଜ୍ ଚୟନରେ ମୋହର ମାରିବା ପରେ ହାଇକୋର୍ଟ ବାର ଆନ୍ଦୋଳନ ତୀବ୍ରତର ହୋଇଥିଲା। ଏହି ଆନ୍ଦୋଳନକୁ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

Comment