ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ଆସନ୍ତା ୨୪ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବ କ୍ରିୟାନୁଷ୍ଠାନ କମିଟି। ଅବିଭକ୍ତ କୋରାପୁଟ ଜିଲାର ୧୨ଟି ବାର ଅସୋସିଏସନ୍‌ର ସଭାପତି ଓ ସମ୍ପାଦକ କଟକ ଯାଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟିବେ। ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ନିଜର ଦାବି ରଖିବ କ୍ରିୟାନୁଷ୍ଠାନ କମିଟି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସମସ୍ତ ଭିତ୍ତି ଭୂମିଥିବା ଦର୍ଶାଇବ ଏହି କ୍ରିୟାନୁଷ୍ଠାନ କମିଟି। ଏନେଇ ଆସନ୍ତା ୨୪ ତାରିଖରେ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବା ପାଇଁ ହାଇକୋର୍ଟ ତରଫରୁ ଅନୁମତି ମିଳିଛି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜିକୁ ୮ ମାସରେ ପହଞ୍ଚିଛି। ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲାର ମୋଟ ୨୧ଟି କୋର୍ଟରେ ତାଲା ଝୁଲୁଛି। ଏଣେ ତହସିଲ ଅଫିସରୁ ରେସିଡେନ୍ସ ସାଟିଫିକେଟ, ଇନକମ ସାଟିଫିକେଟ ଛାତ୍ର ଛାତ୍ରୀ ପାଇପାରୁ ନଥିବା ବେଳେ ଜିଲ୍ଲା କୋର୍ଟ ଉପରେ ୧୪ଟି ବ୍ଲକ ନିର୍ଭର କରୁଛି। କୋର୍ଟ ବନ୍ଦ ଥିବାରୁ ସାଧାରଣ ଜନତା ବହୁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।

Comment