ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ସହର ନିକଟରେ ଅପରକୋଲାବ ପ୍ରକଳ୍ପର କେନାଲ ବନ୍ଧ ଭୁଶୁଡ଼ି ପଡ଼ିଛି।

ଅଧରାତିରେ ଭୁଶୁଡ଼ିପଡ଼ିଲା କେନାଲ ବନ୍ଧ। କିଛି ବୁଝିବା ଆଗରୁ ପ୍ରବଳ ବେଗରେ ମାଡ଼ିଆସିଲା ପାଣି। ଘର ଭିତରେ ପାଣି ପଶିବା ଭୟରେ ରାତିସାରା ଉଜାଗର ରହିଲେ ଗ୍ରାମବାସୀ। ଜୟପୁରରେ ଘଟିଛି ଏହି ଘଟଣା। ଶୁକ୍ରବାର ରାତିରେ ସହର ନିକଟ ଯାଇଥିବା ଅପରକୋଲାବ ଡ୍ୟାମର ମୁଖ୍ୟ ଶାଖା କେନାଲ ବନ୍ଧ ଭାଙ୍ଗିବାରୁ ଏକଟାଗୁଡ଼ା ଗାଁର ଶହ ଶହ ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି।କେନାଲ ବନ୍ଧ ଭାଙ୍ଗିବା ଦ୍ୱାରା ଚାଷୀମାନଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ପ୍ରାୟ ଜମିରେ ମାଟି ଚରି ଯାଇଛି। ଏପରି ପରିସ୍ଥିତିରେ ରବି ଫସଲ ପାଇଁ ପ୍ରସ୍ତୁତ ହେବେ ନା ଘରଦ୍ଵାର ସଜାଡ଼ିବେ, ତାକୁ ନେଇ ଚିନ୍ତା ପଡ଼ିଯାଇଛନ୍ତି ଚାଷୀକୁଳ। ତେବେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ନୀତି ଯୋଗୁଁ ୩୦ରୁ ୪୦ ବର୍ଷର ଏହି ଦୁର୍ବଳ କେନାଲଟି ଭାଙ୍ଗି ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି ଘଟଣା ବାରମ୍ବାର ଘଟୁଥିଲେ ବି ପ୍ରଶାସନ ନିରବ ରହିଥିବା ସେମାନେ କହିଛନ୍ତି। ଏହି ଘଟଣାକୁ ଗୁରୁତର ସହ ନେଇ କୋରାପୁଟ ଜିଲ୍ଲାପାଳ ମଧୁ ସୁଦନ ମିଶ୍ର, ଉପ ଜିଲ୍ଲାପାଳ ହେମକାନ୍ତ ସାୟ ଘଟଣାସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।କେନାଲ ଭୁଶୁଡ଼ିବା ଫଳରେ ଜୟପୁର ସହରର ଗାନ୍ଧୀ ଛକ ଠାରୁ ପାରାବେଢା ଓ ଏକଟାଗୁଡା ମଝିରେ ପ୍ରାୟ ୫୦ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଖବର ପାଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଘଟଣାସ୍ଥଳରେ ପହଞ୍ଚି କୋଲାବ କେନାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକଙ୍କୁ କ୍ଷତି ପୂରଣ ଦେବା ସହ ଯେଉଁମାନଙ୍କ ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। ଏହାପରେ ବିଭାଗୀୟ ଅଧିକାରୀ କେନାଲ ମରାମତି କାମରେ ଲାଗିଥିବା ବେଳେ ଆସନ୍ତା ୨ଦିନ ଭିତରେ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ଶେଷ କରିବାକୁ ସଫେଇ ଦେଇଛନ୍ତି।

Comment