ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରୁ ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ। ଏହି ଘଟଣାରେ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କଠାରୁ ୧୧ଟି ଚୋରି ବାଇକ ସହ ଏକ ସାଇକେଲ ଜବତ ହୋଇଛି। ଏନେଇ ବୁଧବାର ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା।

ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୩ଜଣ ଜଣ ଯୁବକ ରହିଥିବା ବେଳେ ୨ଜଣ ନାବାଳକ ରହିଛନ୍ତି। ଦୀର୍ଘ ଦିନ ଧରି ଜୟପୁର ସହରରେ ଏହି ରାକେଟଟି ବେଶ୍ ସକ୍ରିୟ ଥିଲା। ତେଣୁ ଏହାକୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇ ଆସୁଥିଲା। ତେବେ ଶେଷରେ ପୋଲିସକୁ ସଫଳତା ମିଳିଛି।ପୋଲିସର ସୂଚନା ମୁତାବକ ଏହି ରାକେଟର ସଦସ୍ୟମାନେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିଲେ ଏବଂ ଏହିସବୁ ଚୋରି ବାଇକଗୁଡ଼ିକୁ ବାହାରେ ବିକ୍ରି କରି ମଲାମାଲ୍ ହେଉଥିଲେ। ମଙ୍ଗଳବାର ଏକ ଚୋରି ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ। କିନ୍ତୁ କୌଣସି ମତେ ପୋଲିସକୁ ଏମାନଙ୍କ ଯୋଜନା ବିଷୟରେ ଖବର ମିଳିଯାଇଥିଲା।

ଏହାପରେ ରାକେଟକୁ ଧରିବା ପାଇଁ କୋରାପୁଟ ଏସ୍‌ପି ବରୁଣ କୁମାର ଗୁଣ୍ଠପାଲି ୨ଟି ସ୍ଵତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲେ। ଏହି ଟିମ ଦ୍ଵୟ ମାଲକାନଗିରି, ନବରଙ୍ଗପୁର ଓ ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡା, ବୋରିଗୁମା ଆଦି ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ଦ୍ଵାରା ବାଇକ ଚୋରି ରାକେଟର ଅଭିଯୁକ୍ତ ଡମ୍ଵରୁ ହରିଜନ, ରାଜ କୁମାର ପାଣି ଓ ସଞ୍ଜୟ ସମେତ ୨ଜଣ ନାବାଳକଙ୍କୁ ପୋଲିସ ଗିରଫ କରିଛି।

Comment