ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ କାଳରେ ନିଜ ଜୀବନକୁ ବାଜି ଲଗାଇ ରକ୍ତ ଦାନ କରି ବଞ୍ଚାଉଛନ୍ତି ଅନେକ ଜୀବନ। ଏଥିସହ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତ ଦାନ କରିବାକୁ ପ୍ରେରିତ କରୁଛନ୍ତି। ଏଭଳି ଜଣେ ଯୁବକ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରର ମନୋହର ତ୍ରିପାଠୀ। ମନୋହରଙ୍କ ଏଭଳି ସେବା ମନୋବୃତ୍ତି ପାଇଁ ଅନେକ ବ୍ୟକ୍ତି ନୂଆ ଜୀବନ ପାଇଛନ୍ତି।

ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ଲୋକଙ୍କ ଜୀବନ ଅତିଷ୍ଠ ହୋଇପଡ଼ିଲାଣି। ସଂକ୍ରମଣ ଡର ହେଉ କି ସଂକ୍ରମଣ ପରର ଭୟାବହତାକୁ ଦୃଷ୍ଟିରେ ରଖି ଲୋକମାନେ ରକ୍ତ ଦାନ କରିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ଏଭଳି ସ୍ଥଳେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରିବା ହେଉ କି ସେମାନଙ୍କ ପାଇଁ ରକ୍ତ ସଂଗ୍ରହ କରିବା ପାଇଁ ଆଗେଇ ଆସିଛନ୍ତି ମନୋହର ତ୍ରିପାଠୀ। ନିଜେ କରୋନାରେ ପୀଡ଼ିତ ହୋଇ ମଧ୍ୟ ରକ୍ତ ସଂଗ୍ରହ କରିବା ଦିଗରେ କେବେ ପଛ ଘୁଞ୍ଚା ଦେଇନାହାଁନ୍ତି। ଏମିତି କି କୋରାପୁଟ ଜିଲ୍ଲାର କେଉଁ ବି ସ୍ଥାନରେ ରକ୍ତର ଆବଶ୍ୟକ ପଡ଼ିଲେ ଲୋକମାନେ ପ୍ରଥମେ ତାଙ୍କ ସହ ଯୋଗାଯୋଗ କରିଥାନ୍ତି।ମନୋହର ତ୍ରିପାଠୀଙ୍କ ସେବା ମନୋବୃତ୍ତି ପାଇଁ ସେ ଅଞ୍ଚଳରେ ବେଶ୍ ପରିଚିତ। ସେ କୋଭିଡରେ ଆକ୍ରାନ୍ତ ଥିବା ସମୟରେ ତାଙ୍କ ପାଖକୁ ଖବର ଆସିଥିଲା ଯେ ଜଣେ ଦୁଇ ବର୍ଷର ଶିଶୁ ପାଇଁ ‘ଏ ନେଗେଟିଭ୍’ ରକ୍ତ ଦରକାର। ଯାହାକି ବିରଳ। ସେ ଖବର ପାଇବା ମାତ୍ରେ ନିଜକୁ ଅଟକାଇ ପାରିନଥିଲେ। ସଂକ୍ରମଣ କାରଣରୁ ବାହାରକୁ ଯାଇପାରିନଥିଲେ ସତ, କିନ୍ତୁ ଘରେ ରହି ବିଭିନ୍ନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ସଂଗ୍ରହ କରିଥିଲେ। ଫଳରେ ଶିଶୁଟିର ଜୀବନ ବଞ୍ଚିଯାଇଥିଲା। ଏଥିସହ ସେହି ସମୟରେ ଆଉ ତିନି ଜଣ ଗୁରୁତର ଶିଶୁଙ୍କ ପାଇଁ ମଧ୍ୟ ରକ୍ତ ସଂଗ୍ରହ କରି ତାଙ୍କ ଜୀବନ ରକ୍ଷା କରିଥିଲେ।ମନୋହର ଦୀର୍ଘ ୩ବର୍ଷ ହେବ ଲୋକଙ୍କୁ ଏଭଳି ସେବା ଯୋଗାଇ ଆସୁଛନ୍ତି। ସୋସିଆଲ ମିଡିଆ ହ୍ୱାଟସଆପରେ ଜୟପୁର ବ୍ଲଡ ଗ୍ରୁପ ନାମକ ଏକ ଗ୍ରୁପ କରି ସେଥିରେ ସେ ଜିଲ୍ଲାର ବିଭିନ୍ନ ବ୍ୟକ୍ତିଙ୍କୁ ଯୋଡ଼ିଛନ୍ତି। ଗୁରୁତର ଆକ୍ରାନ୍ତଙ୍କୁ ରକ୍ତ ଆବଶ୍ୟକ ହେଲେ ଏହି ଗ୍ରୁପରେ ଯୋଗାଯୋଗ କରିବା ମାତ୍ରେ ମନୋହର ରକ୍ତ ସଂଗ୍ରହରେ ଲାଗିପଡ଼ନ୍ତି।ମନୋହରଙ୍କ ଏଭଳି ମହାନତା ସେବା ମନୋଭାବ ଯୋଗୁଁ ସାରା ଜିଲ୍ଲାକୁ ସେ ଗୌରାନ୍ୱିତ କରିଛନ୍ତି। ଏଥିସହ ସେ ଅନ୍ୟମାନଙ୍କୁ ରକ୍ତ ଦେବା ପାଇଁ ଉତ୍ସାହିତ କରିବା ସହ ରକ୍ତ ଦାନ ସମ୍ପର୍କରେ ସଚେତନ କରାଉଛନ୍ତି। ମହାମାରୀ କାଳରେ ତାଙ୍କର ଏଭଳି ମହତ ପ୍ରଚେଷ୍ଟା ଯୋଗୁଁ କରୋନାର ପ୍ରଥମ ଲହରଠାରୁ ଆରମ୍ଭ କରି ଆଜି ସୁଦ୍ଧା ଅନେକ ଜୀବନ ବଞ୍ଚିଯାଇଛି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Comment