ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ଟିକେଟକୁ ନେଇ ଚାଲିଛି ମାନସମନ୍ଥନ।

ଫେବ୍ରୁଆରି ଶେଷ ସୁଦ୍ଧା ଚୂଡ଼ାନ୍ତ ହେବ କଂଗ୍ରେସର ପ୍ରାର୍ଥୀ ତାଲିକା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଏହି ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି ରାଜ୍ୟ କଂଗ୍ରେସ। କଂଗ୍ରେସ ଭବନରେ ଆଜି ଦିନ ତମାମ୍ ଟିକେଟ କସରତ ଚାଲିଥିଲା।

ଦିଲ୍ଲୀରୁ ଆସିଥିବା ସ୍କ୍ରିନିଂ କମିଟି ସଦସ୍ୟ ଏନେଇ କଂଗ୍ରେସ ଭବନରେ ମାରାଥନ ଆଲୋଚନା କରିଥିଲେ। ରାଜ୍ୟ ନେତାମାନଙ୍କ ସହ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସତିଶାନ ଆଲୋଚନା ଚଳାଇଥିବା ବେଳେ ବାହାରେ ଆଶାୟୀ ପ୍ରାର୍ଥୀମାନେ ହାତରେ ବାୟୋଡାଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।

ଆଶାୟୀମାନେ ଜଣ ଜଣ କରି ଭିତରକୁ ଯାଇ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ସହ କଥା ହୋଇଥିଲେ। ସ୍କ୍ରିନିଂ କମିଟି ସଦସ୍ୟ ଆଶାୟୀମାନଙ୍କ ବାୟୋଡାଟା ଦେଖିବା ସହ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ।

ଆଜି କଂଗ୍ରେସ ଭବନରେ କଟକ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ବିଧାନସଭା କ୍ଷେତ୍ରକୁ ନେଇ ଚାଲିଥିଲା ମନ୍ଥନ। ଏହି ଦୁଇଟି ଲୋକସଭା ନିର୍ବାଚନମଣ୍ଡଳୀରୁ ବହୁ ଆଶାୟୀ ବାୟୋଡାଟା ଧରି ଆସିଥିଲେ। କେଉଁମାନଙ୍କୁ କଂଗ୍ରେସ ଟିକେଟ ଦେଲେ ୨୦୧୯ ନିର୍ବାଚନରେ ବିଜୟୀ ହେବ ସେନେଇ ଅଙ୍କ କଷିଥିଲେ।

ବୁଧବାର ପୁରୀ, ଜଗତସିଂହପୁର ଏବଂ ଗୁରୁବାର ଦିନ କେନ୍ଦ୍ରାପଡ଼ା, ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀଙ୍କୁ ଭେଟିବେ ସ୍କ୍ରିନିଂ କମିଟି।

“ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଏହାସହ ମହିଳା ଏବଂ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯିବ”, କହିଛନ୍ତି ଭିଡି ସାଥିଶାନ।

ଏପଟେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରାର୍ଥୀ ଖୋଜା ଚାଲିଛି। ସ୍କ୍ରିନିଂ କମିଟିର ସଦସ୍ୟ ବ୍ରହ୍ମପୁର ଯାଇ ଟିକେଟ ପାଇଁ ମାନସମନ୍ଥନ ଚଳାଇଛନ୍ତି।

ତିନି ଦିନ ଧରି ଚାଲିବ ଏହି ପ୍ରକ୍ରିୟା। ସ୍କ୍ରିନିଂ କମିଟି ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ କରାଯାଇ ଏଆଇସିସିକୁ ଦିଆଯିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିବା ପରେ ଟିକେଟ ବଣ୍ଟନ କରାଯିବ।

Comment