ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ପରେ ରାଜୌରୀ ସେକ୍ଟରରେ ନିୟନ୍ତ୍ରଣରେଖା ନିକଟରେ ଆଇଡି ବିସ୍ଫୋରଣରେ ସହିଦ ହୋଇଥିବା ମେଜର ଚିତ୍ରେଶ ସିଂ ବିଷ୍ଟଙ୍କୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ବିଦାୟ ଦିଆଯାଇଛି। ତାଙ୍କ ଅନ୍ତିମ ସଂସ୍କାରରେ ବିଶାଳ ଜନ ସମାଗମ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଉପସ୍ଥିତ ରହିଥିଲେ।

ସହିଦ ଚିତ୍ରେଶଙ୍କର ମାର୍ଚ୍ଚ ୭ ତାରିଖରେ ବିବାହ ହେବାର ଥିଲା। ବିଦାୟୀ ସମୟରେ  ଚିତ୍ରେଶଙ୍କ ମା’ତାଙ୍କ ବାହାଘର କାର୍ଡ ଧରି କାନ୍ଦିଛନ୍ତି। ଏହି କରୁଣ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

କେମିତି ସହିଦ ହେଲେ ଚିତ୍ରେଶ

୩୧ ବର୍ଷୀୟ ମେଜର ଚିତ୍ରେଶ ସେନାର ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରୁଥିଲେ। ନିୟନ୍ତ୍ରଣ ରେଖା ନିକଟରେ ଏହି ଅଫିସର ଜଣକ ଏକ ବୋମାକୁ ଅକାମୀ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଜୋରଦାର ବିସ୍ଫୋରଣ ଘଟିଥିଲା। ରାଜୌରୀ ସେକ୍ଟରରେ ଥିବା ନୌସେରା ନିକଟରେ ଏହି ଘଟଣା ଘଟିଥିଲା

୨୮ ଫେବ୍ରୁଆରିରେ ଘରକୁ ଆସିଥାନ୍ତେ ଚିତ୍ରେଶ

ମେଜର ଚିତ୍ରେଶଙ୍କ ଘର ଉତ୍ତରାଖଣ୍ଡର ଡେରାଡୁନରେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଫେବ୍ରୁଆରି ୩ରେ ଡ୍ୟୁଟିରେ ଯୋଗ ଦେଇଥିଲେ। ଫେବ୍ରୁଆରି ୨୮ରେ ସେ ପୁଣି ଛୁଟିରେ ଆସିଥାନ୍ତେ। ଏଥିପାଇଁ ତାଙ୍କୁ ଛୁଟି ମଧ୍ୟ ମିଳିଥିଲା। ସେ ମାର୍ଚ୍ଚ ୭ ତାରିଖରେ ବିବାହ କରିଥାନ୍ତେ।

Comment