ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଙ୍ଗାଳୁରୁ ଏୟାର୍ ସୋର ମୁଖ୍ୟ ଆକର୍ଷଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଲଢ଼ୁଆ ବିମାନ ତେଜସ୍‌। ଉଡାଣ ଭରିଲେ ସ୍ଥଳସେନାର ମୁଖ୍ୟ ଜେନେରାଲ ବିପିନ ରାୱତ।

ବେଙ୍ଗାଳୁରୁ ଏରୋ ଇଣ୍ଡିଆ ସୋ’ରେ ମୁଖ୍ୟ ଆକର୍ଷଣ ପାଲଟିଛି ତେଜସ୍। ତେଜସ୍‌ ହେଇଛି ଭାରତର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଲଢ଼ୁଆ ବିମାନ। ଗୁରୁବାର ଏସିଆ ମହାଦେଶର ସବୁଠୁ ବଡ଼ ଏୟାର୍ ସୋ’ କୁହାଯାଉଥିବା ବେଙ୍ଗାଳୁରୁ ଏରୋ ସୋ’ରେ କମାଲ ଦେଖାଇଛି ଏହି ଲଢ଼ୁଆ ତେଜସ୍ ବିମାନ। ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ବିପିନ ରାୱତ ତେଜସ୍ ବିମାନରେ ବସି ଆକାଶରେ ଉଡାଣ ଭରିଛନ୍ତି।

ଗୁରୁବାର ବେଙ୍ଗାଳୁରୁରେ ଆୟୋଜିତ ହୋଇଥିଲା ଏସିଆ ମହାଦେଶର ସବୁଠୁ ବଡ଼ ଏୟାର୍ ସୋ’। ଏହି ଏରୋ ଇଣ୍ଡିଆ ଏୟାର ସୋ’ରେ ସମଗ୍ର ବିଶ୍ୱର ୧୦୦ରୁ ଅଧିକ ଦେଶ ଭାଗ ନେଇଥିଲେ। ଏୟାର ସୋ’ରେ ଭାରତ ପକ୍ଷରୁ ତେଜସ୍‌ ଫାଇଟର ଜେଟ୍‌ ଉଡ଼ାଣର ମଜା ନେଇଥିଲେ ଜେନେରାଲ ବିପିନ ରାୱତ।

ଏହି ଫାଇଟର ଜେଟ୍‌ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ଡିଆର୍‌ଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହାକୁ ଦିନେ ପୂର୍ବରୁ ଏୟାର ସୋ’ରେ ଅନ୍ତିମ ସଂଚାଳନ ପାଇଁ ଅନୁମତି ମିଳିଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ୍‌ ବିମାନକୁ  ସ୍ୱତନ୍ତ୍ର ଯୁଦ୍ଧ ମିଶନ ପାଇଁ ପ୍ରସ୍ତୁତ କରାଯାଇଛି।

ତେଜସ୍‌ ବିମାନ ହେଉଛି ସିଙ୍ଗିଲ୍ ସିଟ୍ ଓ ସିଙ୍ଗିଲ୍ ଜେଟ୍ ଇଂଜିନ ବିଶିଷ୍ଟ ସବୁଠୁ ହାଲୁକା ଲଢୁଆ ବିମାନ। ଏହି ଫାଇଟର ଜେଟ୍‌ ୫୦ହଜାର ଫୁଟ ଉଚ୍ଚରେ ଉଡି ଶତ୍ରୁକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି। ଘଣ୍ଟା ପ୍ରତି ୧୩୫୦ କିଲୋମିଟର ବେଗରେ ୨୩୦୦ କିଲୋମିଟର ଦୂରତା ଅତିକ୍ରମ କରି ପାରିବ ତେଜସ୍ ବିମାନ। ଏହି ଯୁଦ୍ଧ ବିମାନରେ ୩ ହଜାର କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।

ଆକାଶରେ ଥାଇ ଶତ୍ରୁ ପକ୍ଷର ବିମାନକୁ ଧ୍ୱଂସ କରିବା ପାଇଁ ଏହି ବିମାନରେ ଡର୍ବି ମିସାଇଲ ସିଷ୍ଟମ୍ ଖଞ୍ଜା ଯାଇଛି। ସେହିପରି ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରିବା ପାଇଁ ତେଜସ୍ ବିମାନରେ ଲେଜର ଗାଇଡେଡ୍ ବୋମା ଖଞ୍ଜା ଯାଇଛି।

LEAVE A REPLY

Please enter your comment!
Please enter your name here