ଓଡ଼ିଶାଲାଇଭ୍ ବ୍ୟୁରୋ

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ନୂତନ ସେନା ମୁଖ୍ୟ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।

ଆସନ୍ତା ଏପ୍ରିଲ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାର କମାଣ ସମ୍ଭାଳିବେ। ଏହି କମାଣ ସମ୍ଭାଳିବାରେ ମନୋଜ ପାଣ୍ଡେ ହେବେ ଦେଶର ପ୍ରଥମ ଇଂଜିନିୟର। ବର୍ତ୍ତମାନର ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭନେ ଚଳିତ ମାସ ଶେଷ ସୁଦ୍ଧା ନିଜ କାର୍ଯ୍ୟକାଳ ପୂରଣ କରିବେ। ମନୋଜ ମୁକୁନ୍ଦଙ୍କ ପରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେଉଛନ୍ତି ସେନାର ସବୁଠାରୁ ବିରଷ୍ଠ ଅଧିକାରୀ।

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ୧୯୮୨ ଡିସେମ୍ବର ମାସରେ କୋର ଅଫ୍ ଇଂଜିନିୟର୍ସରେ କମିଶନ ଦାୟିତ୍ଵ ଦିଆଯାଇଥିଲା। ସେ ଷ୍ଟାଫ୍ କଲେଜ, କେମ୍ବରଲି(ୟୁକେ)ରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ ଆର୍ମି ଓ୍ଵାର କଲେଜ, ମହୁ ଏବଂ ଦିଲ୍ଲୀରେ ନ୍ୟାସନାଲ ଡିଫେନ୍ସ କଲେଜରେ ହାଇୟର କମାଣ୍ଡ କୋର୍ସରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ମନୋଜ ପାଣ୍ଡେ ନିଜର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅପରେସନ ବିଜୟ ଏବଂ ଅପରେସନ ପରାକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

Tags: #LftGeneralManojPanday #ManojMukundNarwane #India #ArmyChief

Comment