ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶରୁ ଧରା ପଡ଼ିଲେ ଦୁଇ ଜୈଶ-ଇ-ମହମ୍ମଦ ଆତଙ୍କୀ। ଉତ୍ତର ପ୍ରଦେଶର ସହାରନାପୁର ଜିଲ୍ଲାର ଦେଓବନ୍ଦ ଅଞ୍ଚଳରୁ ଏହି ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ଆଣ୍ଟି ଟେରର୍‌ ସ୍କ୍ୱାର୍ଡ (ଏଟିଏସ୍‌)। ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ଏମାନଙ୍କ ସମ୍ପର୍କ ରହିଥିବାର ପ୍ରମାଣ ମିଳିଛି।

ଏହି ଦୁଇ ଆତଙ୍କବାଦୀଙ୍କ ନାଁ ହେଉଛି ଶାହନୱାଜ ତେଲି ଓ ଅକିବ ଅହମ୍ମଦ। ଶାହନୱାଜର ତେଲିର ଘର କଶ୍ମୀରର କୁଲଗାମ୍‌ ଅଞ୍ଚଳରେ ଥିବାବେଳେ ଅକିବ ଅହମ୍ମଦ ହେଉଛି ପୁଲୱାମାର ବାସିନ୍ଦା। ଏହି ଦୁଇଜଣ ଜୈଶ ସଂଗଠନ ପାଇଁ ଭାରତରେ ସଦସ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ଭଳି କାର୍ଯ୍ୟ କରୁଥିଲେ।

ଉତ୍ତରପ୍ରଦେଶ ଏଟିଏସ୍‌ ସେମାନଙ୍କଠାରୁ ୨ଟି ପିସ୍ତଲ ଓ ୩୦ଟି ଅଫୁଟା ଗୁଳି, ଜୈଶ ସହ ଜଡିତ ଭିଡିଓ ଏବଂ ଫଟୋ ଜବତ କରିଛି।

ଗୁରୁବାର ଉତ୍ତରପ୍ରଦେଶ ଏଟିଏସ୍‌ ଆତଙ୍କବାଦୀ ସନ୍ଦେହରେ ୧୨ଜଣ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖିଥିଲା। ଅଟକ ରଖିଥିବା ଯୁବକଙ୍କ ମଧ୍ୟରୁ ଏହି ଦୁଇ ଜଣଙ୍କ ନିକଟରୁ ଜୈଶ ଆତଙ୍କୀ ସଂଗଠନ ସହ ସମ୍ପର୍କ ଥିବାର ପ୍ରମାଣ ମିଳିଛି।

Comment