ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତି ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରବିବାର ଜମ୍ମୁ କଶ୍ମୀରର କୁଳଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତିନି ଆତଙ୍କବାଦୀ ନିହତ ହୋଇଥିଲାବେଳେ ଏସ୍ଓଜି ଡିଏସ୍ପି ଅମନ ଠାକୁର ସହିଦ ହୋଇଛନ୍ତି।
ଏହି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି। ଏହି ମଧ୍ୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ।
ପୁଲୱାମା ଆକ୍ରମଣ ପରେ ସେନା ପକ୍ଷରୁ କଶ୍ମୀରରେ ଅପରେସନ ୬୦ ଆରମ୍ଭ ହୋଇଛି। ସୂଚନା ଅନୁସାରେ କଶ୍ମୀର ଘାଟିରେ ଜୈଶ ଏ ମହମ୍ମଦର ୬୦ ଆତଙ୍କୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୫ ପାକସ୍ତାନର ହୋଇଥିଲାବେଳ ୨୫ ସ୍ଥାନୀୟ ଅଞ୍ଚଳର ଜଣାପଡ଼ିଛି।


















