ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁସେନା ପାଇଲଟ୍ ଅଭିନନ୍ଦନ ଶୁକ୍ରବାର ଭାରତ ଫେରିବେ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।  ବୁଧବାର ପାକିସ୍ତାନ ଯୁଦ୍ଧ ବିମାନ ଏଫ୍-୧୬କୁ ଗୁଳି କରି ଖାସାଇଥିଲା ମିଗ୍-୨୧। ଆଉ ଏଥିରେ ଭାରତୀୟ ପାଇଲଟ ଦୁର୍ଭାଗ୍ୟବଶତଃ ଇସଲାମାବାଦ ସେନା କବଜାକୁ ଚାଲି ଯାଇଥିଲେ।

ଅଭିନନ୍ଦନ ପାକ୍ ସେନା ହାତରେ ଧରାପଡ଼ିବା ପୂର୍ବରୁ କେମିତି ଲଢ଼େଇ କରିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି।

ପାକ୍ ଗଣମାଧ୍ୟମ ଡନରେ ପ୍ରକାଶିତ ଖବର ଅନୁଯାୟୀ, ପାକିସ୍ତାନ ସୀମାରେ ଥିଲେ ହେଁ ପାଇଲଟ୍ ଅଭିନନ୍ଦନଙ୍କ ଚେହେରାରେ ଭୟ ନଥିଲା। ଯୁଦ୍ଧ ବିମାନରୁ ଖସିପଡି ଶତ୍ରୁ ରାଷ୍ଟ୍ରରେ ବି ନିଜର ବୀରତ୍ୱ ଓ ଅଦମ୍ୟ ସାହସ ଦେଖାଇଥିଲେ ଏହି ଭାରତୀୟ ପାଇଲଟ। ଦୁର୍ଘଟଣାଗ୍ରସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ଓହ୍ଲାଇଥିଲେ।

ତାଙ୍କୁ ସେଠାରେ ଦେଖି  କିଛି ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ। ସ୍ଥାନୀୟ ଯୁବକଙ୍କ ଉତ୍ତେଜନା ସତ୍ତ୍ୱେ କାହାରିକୁ ଆକ୍ରମଣ କରିନଥିଲେ ବରଂ ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ।

‘ଅଭିନନ୍ଦନ ସେମାନଙ୍କୁ ପଚାରିଲେ ମୁଁ ଭାରତରେ ଅଛି ନା ପାକିସ୍ତାନରେ?’ ସେଠାରେ ଥିବା ଏକ ପିଲା ଚାଲାକି ଦେଖାଇବାକୁ ଯାଇ କହିଲା ଭାରତରେ ଅଛନ୍ତି। ଅଭିନନ୍ଦନ ଭାରତର କେଉଁ ସ୍ଥାନରେ ଅଛି ବୋଲି ପଚାରିଥିଲେ? ସେ ପିଲାଟି ଅଭିନନ୍ଦନଙ୍କୁ କହିଥିଲା ଆପଣ କିଲାରେ ଅଛନ୍ତି। ପରୀକ୍ଷା କରିବାକୁ ଅଭିନନ୍ଦନ ‘ହିନ୍ଦୁସ୍ତାନ ଜିନ୍ଦାବାଦ’  ଭଳି ନାରା ଦେଇଥିଲେ। ଏହାପରେ ସେଠାରେ ଥିବା କିଛି ପାକିସ୍ତାନୀ ଯୁବକ ଉତକ୍ଷିପ୍ତ ହୋଇ ଅଭିନନ୍ଦନଙ୍କୁ ମାଡ଼ ମାରିଥିଲେ।

ସେତେବେଳକୁ ଅଭିନନ୍ଦନ ଜାଣି ସାରିଥିଲେ ସେ ପାକିସ୍ତାନରେ ଅଛନ୍ତି। ଶତ୍ରୁ ହାତରେ ଯେଭଳି କୌଣସି ସୁରାକ ନଲାଗେ, ସେଥିପାଇଁ ପାଖରେ ଥିବା ପ୍ରମାଣକୁ ନଷ୍ଟ କରିଦେଇଥିଲେ। ଲୋକଙ୍କ ଉପରକୁ ଫାଙ୍କା ଗୁଳିଚାଳନା କରି ପଛକୁ ପଛ ପ୍ରାୟ ଅଧକିଲୋମିଟର ଦୂରରେ ଥିବା ଏକ ପୋଖରୀରେ କାଗଜପତ୍ର ଓ ମ୍ୟାପକୁ ଫୋପାଡି ଦେଇଥିଲେ।

ଏହାପରେ ତାଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଭୟଭୀତ ନ ହୋଇ ଫାଙ୍କା ଗୁଳିଚାଳନା କରିଥିଲେ। ପାକ୍‌ ସେନା ସେଠାରେ ପହଞ୍ଚି ଲୋକଙ୍କ ଆକ୍ରମଣରୁ ରକ୍ଷା କରିଥିଲା।

Comment