ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେଡି ଟିକେଟକୁ ନେଇ ବାଙ୍କି ରାଜନୀତି ସରଗରମ୍।

ବାଙ୍କି ନିର୍ବାଚନମଣ୍ଡଳୀରେ କିଏ ମାରିବ ବାଜି? ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ଏହାକୁ ନେଇ ଭୋଟରଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ଚାରି ଥରର ବିଧାୟକ ପ୍ରଭାତ ତ୍ରିପାଠୀ ତାଙ୍କ ଗଡ଼ ସୁରକ୍ଷିତ ରଖି ପାରିବେ ନା ବିଜେପି, କଂଗ୍ରେସ ଫାଇଦା ନେବେ ତାକୁ ନେଇ ବାଙ୍କିରେ ସରଗରମ ଆଲୋଚନା ଚାଲିଛି।

ଟିକେଟ ଉପରେ ଆଖି!

୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ନିର୍ବାଚନ ଜିତି ପ୍ରଭାତ ତ୍ରିପାଠୀ ନିଜର ଲୋକପ୍ରିୟତାକୁ ପ୍ରମାଣ କରିଛନ୍ତି। କେବଳ ୨୦୦୪ ମସିହାରେ ସେ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକଙ୍କଠାରୁ ପରାଜିତ ହୋଇଥିଲେ। ନଚେତ୍ ସବୁ ନିର୍ବାଚନରେ ସେ ବିଜୟ ବାନା ଉଡ଼ାଇ ଆସିଛନ୍ତି।

ବିଜୁ ଜନତା ଦଳର ଟାଣୁଆ ନେତା ହେଉଛନ୍ତି ପ୍ରଭାତ ତ୍ରିପାଠୀ। ଜନତା ଦଳରୁ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ ସେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ସେ ଶାସକ ଦଳର ମୁଖ୍ୟ ସଚେତକ ହୋଇଥିଲେ।

୨୦୧୪ ନିର୍ବାଚନ ପରେ ପ୍ରଭାତଙ୍କ ରାଜନୀତିକ କ୍ୟାରିଅରରେ କଳଙ୍କର ଦାଗ ଲାଗିଥିଲା। ଏଟି ଚିଟଫଣ୍ଡ ସଂସ୍ଥା ସହ ଟଙ୍କା ନେଣଦେଣ ଅଭିଯୋଗରେ ପ୍ରଭାତ ଜେଲ୍ ଯାଇଥିଲେ। ହାଇକୋର୍ଟରୁ ଜାମିନ ପାଇ ପ୍ରଭାତ ମୁକୁଳିଥିଲେ ମଧ୍ୟ ୨୦୧୯ରେ ତାଙ୍କ ଟିକେଟକୁ ନେଇ ଲାଗି ରହିଛି ଅନିଶ୍ଚିତତା।

ଏବେ ବିଜେଡି ଟିକେଟ ନେବାକୁ ଦୁଇ ଜଣ ଯୁବ ନେତା ଆଗକୁ ଆସିଛନ୍ତି। ଯୁବ ବିଜେଡିର ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ମହାନ୍ତି ଏବଂ ପୂର୍ବତନ ବିଧାୟକ ଘନଶ୍ୟାମ ସାହୁଙ୍କ ପୁଅ ଇଂ ସବ୍ୟସାଚୀ ସାହୁ ଟିକେଟ ଲବିରେ ଅଛନ୍ତି।

ଏହି ତିନି ଜଣଙ୍କ ଭିତରୁ କିଏ ଟିକେଟ ହାତେଇବ ତାହା ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ପ୍ରଭାତ ଟିକେଟ ପାଇବେ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ୬ରୁ ୬ ଜିଲ୍ଲା ପରିଷଦ ପ୍ରଭାତଙ୍କ ନେତୃତ୍ୱରେ ବିଜେଡି ଜିତି ଥିବାରୁ ସେ ହିଁ ଟିକେଟ ପାଇବାକୁ ଦାବିଦାର ବୋଲି ସମର୍ଥକମାନେ କହୁଛନ୍ତି।

କଂଗ୍ରେସରେ ବି ପାଲା!

ବାଙ୍କି ଥିଲା କଂଗ୍ରେସର ଗଡ଼। ଯୋଗେଶ ଚନ୍ଦ୍ର ରାଉତ, ଅକ୍ଷୟ ପଟ୍ଟନାୟକଙ୍କ ଭଳି ନେତା ଏଠାରୁ ନିର୍ବାଚିତ ହୋଇ କଂଗ୍ରେସକୁ ସୁଦୃଢ଼ କରିଥିଲେ। କିନ୍ତୁ ଏବେ ଦକ୍ଷ ନେତା ନଥିବାରୁ ଏଠି କଂଗ୍ରେସ ସଙ୍ଗଠନ ଦୁର୍ବଳ ହୋଇଯାଇଛି। ୨୦୦୪ ମସିହାରେ ବିଧାୟକ ଭାବେ ଜିତିଥିବା ଡକ୍ଟର ଦେବାଶିଷ ପଟ୍ଟନାୟକ ୨୦୧୯ ପାଇଁ ଟିକେଟ ଲବିରେ ଅଛନ୍ତି। କିନ୍ତୁ ଦେବାଶିଷଙ୍କୁ ଚେକ୍‌ ଦେବା ପାଇଁ ୨୦୧୪ରେ ପ୍ରାର୍ଥୀ ହୋଇଥିବା ରବି ମଲ୍ଲିକ ଲାଗି ପଡ଼ିଛନ୍ତି। ଫଳରେ ଏ ଦୁହିଁଙ୍କ ଭିତରୁ କିଏ କଂଗ୍ରେସ ଟିକେଟ ହାତେଇବ ତାକୁ ନେଇ କୌଣସି ଫଇସଲା ହୋଇପାରୁ ନାହିଁ।

ବିଜେପିରେ ନେତା ମାଳ ମାଳ

ସାରା ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ଼ ହେଉଛି ବୋଲି ନେତାମାନେ ଦାବି କରୁଥିଲେ ମଧ୍ୟ ବାଙ୍କି ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ପଡ଼ିନାହିଁ। ୨୦୧୯ରେ ବିଜେପି ଟିକେଟ ନେବା ପାଇଁ ନେତାଙ୍କ ସଂଖ୍ୟା ବଢ଼ି ଚାଲିଛି।

୨୦୦୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଶୁଭ୍ରାଂଶୁ ମୋହନ ପାଢ଼ୀ। କିନ୍ତୁ ସେ ପରାଜିତ ହୋଇଥିବାରୁ ୨୦୧୪ରେ ବିଜେପି ତାଙ୍କୁ ପ୍ରାର୍ଥୀ କରି ନଥିଲା। ବିଜେପି ଅଜୟ ସ୍ୱାଇଁଙ୍କୁ ଦେଇଥିଲା ଟିକେଟ। ହେଲେ ଅଜୟ ତୃତୀୟ ସ୍ଥାନରେ ରହିଥିଲେ।

୨୦୧୯ ନିର୍ବାଚନ ପାଇଁ ଶୁଭ୍ରାଂଶୁ, ଅଜୟ, ପଦ୍ମଜା ଦେବତା, ସୁବଳ ସାହୁ ଏବଂ ନିକଟରେ ବିଜେପିରେ ମିଶିଥିବା ତୁଷାରକାନ୍ତ ଚକ୍ରବର୍ତ୍ତୀ ଟିକେଟ ଦୌଡ଼ରେ ସାମିଲ ହୋଇଛନ୍ତି।

Comment