ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ): ବଢ଼ୁଛି ସହରର ତାପମାତ୍ରା। ମାର୍ଚ୍ଚ ମାସର ତୃତୀୟ ସପ୍ତାହରେ କଟକ ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସକୁ ଛୁଇଁଲାଣି। ତାତି ବୃଦ୍ଧି ଯୋଗୁଁ ସହରର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରୈାଦ୍ର‌୍ୟର ପ୍ରକୋପ ବୃଦ୍ଧି ହେବା ଯୋଗୁଁ କର୍ମଜୀବୀ ପୁରୁଷ ଓ ମହିଳା ଏବଂ କଲେଜ ପଢୁଆ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସନ ଗ୍ଲାସ୍, ଟୋପି, ହାତ ଗ୍ଲୋବସ୍ , ମୁଣ୍ଡ ସ୍କ୍ରାଫ୍ ଓ ରୁମାଲ ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଛି।

ବିଶେଷକରି କଲେଜ ପଢୁଆ ଛାତ୍ରୀମାନେ ଯାତାୟତ ସମୟରେ ରୈାଦ୍ରତାପରୁ ରକ୍ଷା ପାଇବା ପାଇଁ ହ୍ୟାଣ୍ଡ ଗ୍ଲୋବସ୍, ମୁଣ୍ଡରେ ହେଡସ୍କ୍ରାଫ ଓ ମୁହଁରେ ରୁମାଲ ବାନ୍ଧି ଯିବାର ଦୃଶ୍ୟ ପରିଲକ୍ଷିତ ହେଉଛି। କଲେଜ ପଢୁଆ ଛାତ୍ରମାନଙ୍କ କଥା ଟିକେ ନିଆରା। ଖରା ଦାଉରୁ ରକ୍ଷା ପାଇବା ପାଇଁ ଓ ଷ୍ଟାଇଲ ନିମନ୍ତେ ଆଖିରେ ଚଷମା ପିନ୍ଧୁଥିବା ବେଳେ ମୁଣ୍ଡରେ ଟୋପି ପରିଧାନ କରୁଛନ୍ତି। ସେହିପରି କର୍ମଜୀବୀ ଲୋକମାନଙ୍କ ମଧ୍ୟରୁ କିଛି ମୁଣ୍ଡରେ ରୁମାଲ ବାନ୍ଧୁଥିବା ବେଳେ ଅନ୍ୟ କେତେକ ଥଣ୍ଡା ଗାମୁଛା ମୁଣ୍ଡରେ ପକାଇ କର୍ମକ୍ଷେତ୍ରକୁ ଯାଉଛନ୍ତି।

ଯୁବପିଢ଼ିଙ୍କ ଆଦରକୁ ଲକ୍ଷ୍ୟ କରି ସଂପ୍ରତି ବଜାରରେ ବିଭିନ୍ନ ପ୍ରକାର ସନ ଗ୍ଲାସ୍ ଓ ହରରଙ୍ଗୀ ଟୋପି ଉପଲବ୍ଧ ହେଉଛି। ବିଶେଷକରି କଲେଜ ଛକ, ରାଣୀହାଟ, ବଜ୍ରକବାଟି ରୋଡ, ବାଦାମବାଡ଼ି,  ହାଇକୋର୍ଟ ରୋଡ ନିକଟସ୍ଥ ଛୋଟ ଦୋକାନ ଓ ଫୁଟପାଥରେ ସ୍ୱଳ୍ପ ମୂଲ୍ୟର ସନ ଗ୍ଲାସ୍ ଓ ଟୋପି ଉପଲବ୍ଧ ହେଉଛି।

ନାମୀଦାମୀ ବ୍ରାଣ୍ଡର ନକଲି ନାମରେ ମିଳୁଥିବା ସନ୍ ଗ୍ଲାସ୍ ଓ ଟୋପିକୁ ଯୁବପୀଢୀମାନେ ବେଶ୍ ପସନ୍ଦ କରୁଛନ୍ତି। ସେହିପରି ଧନିକ ଶ୍ରେଣୀର ଲୋକମାନେ ଏହାକୁ ୟୁଜ ଆଣ୍ଡ ଥ୍ରୋ ଭାବେ ବ୍ୟବହାର କରୁଛନ୍ତି।

ସାଧାରଣ କମ୍ପାନିର ସନ ଗ୍ଲାସଗୁଡ଼ିକର ଦାମ୍ ୫୦ରୁ ୩୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି ବଡ଼ ବଡ଼ ଶୋରୁମ୍‌ରେ ବ୍ୟାନ, କେଲଭିନ କ୍ଲେନ, ଫାଷ୍ଟଟ୍ରାକ, ଟାଇଟନ ଭଳି ନାମୀଦାମୀ ସନ ଗ୍ଲାସଗୁଡ଼ିକୁ ଧନିକ ଶ୍ରେଣୀର ବ୍ୟକ୍ତିମାନେ ପସନ୍ଦ କରୁଛନ୍ତି। ୨୦୦୦ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହିଛି।

ସେହିପରି ପୁମା, ନାଇକ, ରିବକ୍ କମ୍ପାନିର ନକଲି ବ୍ରାଣ୍ଡର ହରରଙ୍ଗୀ ଟୋପିକୁ ଯୁବପିଢ଼ି ବେଶ ପସନ୍ଦ କରୁଛନ୍ତି। ଏହି ଟୋପିଗୁଡ଼ିକର ମୂଲ୍ୟ ୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। ଏହାଛଡ଼ା ବଡ଼ ବଡ଼ ଶୋରୁମରେ ବ୍ରାଣ୍ଡେଡ କମ୍ପାନିର ଟୋପିଗୁଡ଼ିକର ମୂଲ୍ୟ ୫୦୦ରୁ ୨୦୦୦ ଟଙ୍କା ମଧ୍ୟରେ ରହିଛି। ହାଲୁକା ରଙ୍ଗର କଟନ ଟୋପିର ମଧ୍ୟ ବେଶ ଚାହିଦା ରହିଛି।

ଛାତ୍ରୀମାନେ ବ୍ୟବହାର କରୁଥିବା ହେଡ ସ୍କ୍ରାଫର ମୂଲ୍ୟ ୧୦୦ରୁ ୪୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି ହ୍ୟାଣ୍ଡ ଗ୍ଲୋବସର ଦାମ ୧୦୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। ଗଞ୍ଜି କପଡ଼ାରେ ତିଆରି ଧଳା ହାତ ଗ୍ଲୋବ୍‌କୁ ଝିଅମାନେ ବେଶ ପସନ୍ଦ କରୁଛନ୍ତି। ସେହିପରି ରୁମାଲର ଦାମ ୫୦ରୁ ୨୦୦ ଟଙ୍କା ମଧ୍ୟରେ ରହିଛି। କଟନ ଧଳା ରୁମାଲର ଚାହିଦା ସବୁଠାରୁ ଅଧିକ ରହିଛି।

ଚଳିତବର୍ଷ ରୈାଦ୍ରତାପର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଟୋପି, ଚଷମା, ହାତ ଗ୍ଲୋବସ, ମୁଣ୍ଡ ସ୍କ୍ରାଫ ଓ ରୁମାଲ ଭଳି ସମର ଫେସନ ଜିନିଷର ବିକ୍ରି ଅଧିକ ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧି ରହିଛି।

Comment