ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ହୋଲିର ଶୁଭ ଅବସରରେ ବିଜେପି ପକ୍ଷରୁ ସଂସଦକୁ କିଏ ଯିବେ ତାହାର ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୧୮୪ ଜଣ ନାଁ ସାଂସଦ ପ୍ରର୍ଥୀଙ୍କ ନାମରେ ମୋହର ଲାଗିଛି। ଏହି ତାଲିକାରେ କୌଣସି ଆଶ୍ଚର୍ଯ୍ୟ ନଥିବା ହିଁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ।
ଏହା ପ୍ରାୟ ଜଣାଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବାରଣାସୀରୁ ଲଢ଼ିବେ। ତେବେ ଉତ୍ତର ପ୍ରଦେଶର ଅଧାଅଧି ପ୍ରାର୍ଥୀ ବଦଳିବେ ବୋଲି ଯେଉଁ ଆଶଙ୍କା ପ୍ରକଟ କରାଯାଇଥିଲା ତାହା ହେଲା ନାହିଁ।ଏହା ଦ୍ୱାରା ବିଜେପି ପକ୍ଷରୁ ଅଖିଳେଶ-ମାୟାବତୀ ମେଣ୍ଟକୁ ଏହି କଡ଼ା ସନ୍ଦେଶ ପଠାଯାଇଛି ଯେ ଜାତି ଗଣିତରେ ଦଳ ଆଦୌ ବିବ୍ରତ ନୁହେଁ। ଦଳ ବର୍ତ୍ତମାନର ଅଧିକାଂଶ ସାଂସଦଙ୍କୁ ପୁଣି ଟିକେଟ ଦେଇଛି। ଉତ୍ତର ପ୍ରଦେଶର ଘୋଷିତ ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୪ ଜଣ ବଦଳିଛନ୍ତି।
ଜେନରଲ ଭିକେ ସିଂହ, ମହେଶ ଶର୍ମା,ହେମା ମାଳିନୀ, ରାଜନାଥ ସିଂହ, ସଂଜୀବ ବାଲିଆଁ ଓ ସାକ୍ଷୀ ମହାରାଜ ଭଳି ହସ୍ତୀ ମାନଙ୍କୁ ପୁଣି ଥରେ ପ୍ରାର୍ଥୀ କରାଯାଇଛି। ଏହା ଜରିଆରେ ବିଜେପି ସ୍ପଷ୍ଟ ସଂକେତ ଦେଇଛି ଯେ ଉତ୍ତର ପ୍ରଦେଶରେ ଲଢେଇ ଜୋରଦାର ହେବ ଓ ଦଳର ସାଂସଦ ମାନେ ପୁଣି ଥରେ ତାଙ୍କର କରିସ୍ମା ଦେଖାଇବେ।
ଗୁରୁବାର ଦିନ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାର ଗୋଟିଏ ବଡ଼ ଦିଗ ହେଉଛି ଗାନ୍ଧୀନଗରରୁ ଦଳର ସଭାପତି ଅମିତ ଶାହା ପ୍ରାର୍ଥୀ ହେବା। ଦୀର୍ଘ ବର୍ଷ ଧରି ଏଲକେ ଆଡ଼ଭାନୀ ଏହି ଆସନକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ଗାନ୍ଧୀନଗର ଆସନକୁ ବିଜେପିର ଏକ ନିରାପଦ ଆସନ ବୋଲି ଧରାଯାଏ। ଏହି କାରଣରୁ ଅମିତ ଶାହାଙ୍କୁ ଏଠାରୁ ଲଢ଼ିବା ପାଇଁ କୁହାଯାଇଛି।। ଶାହା ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏକାନବେ ବର୍ଷୀୟ ଆଡ଼ଭାନୀଙ୍କୁ ବିଶ୍ରାମ କରିବାକୁ ଦେଇ ଉଭୟ ମୋଦି ଓ ଶାହା ଏହି ସଂକେତ ଦେଇଛନ୍ତି ଯେ ୭୫ ବର୍ଷରୁ ଅଧିକ ନେତାଙ୍କୁ ଟିକେଟ ନାହିଁ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ପ୍ରାର୍ଥୀ ତାଲିକାର ଆଉ ଏକ ବଡ଼ କଥା ହେଉଛି ଯେ ଦଳ ଚାହୁଁଛି ବରିଷ୍ଠ ନେତା ମାନେ ଲୋକସଭା ନିର୍ବାଚନ ଜିତି ସଂସଦକୁ ଆସିବା ଦରକାର ,ରାଜ୍ୟସଭା ଦେଇ ନୁହଁ। ଅମିତ ଶାହାଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଥିବା କେଜେ ଅଲ୍ଫୋନ୍ସ ଓ ସ୍ମୃତି ଇରାନୀ ମଧ୍ୟ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ। ସ୍ମୃତି ଅବଶ୍ୟ ଗତ ଥର ଆମେଠୀରେ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ଠିଆ ହୋଇଥିଲେ। ସେ ଯାହା ହେଉ,ଆଉ କିଛି ଦିନ ପରେ ଯେଉଁ ଦ୍ୱିତୀୟ ଓ ତୃତୀୟ ତାଲିକା ବାହାରିବ ସେଥିରେ ବି ଉଣାଅଧିକେ ଏହି ଫର୍ମୁଲା ହିଁ ଗ୍ରହଣ କରାଯିବାର ସ୍ପଷ୍ଟ ସଂକେତ ମିଳୁଛି।


















